ଗହମ ଉତ୍ପାଦନ ୨୫% କମିବ

ଲୁ’ପ୍ରଭାବ
ନୂଆଦିଲ୍ଲୀ, ୩ା୫: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଯୋଗୁ ବିଶ୍ୱ ବଜାରରେ ଗହମ ଅଭାବ ଦେଖାଦେବା ସହିତ ଦର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ପରିପ୍ରେକ୍ଷୀରେ ବିଶ୍ୱର ଦ୍ୱିତୀୟ ବୃହତ୍ ଗହମ ଉତ୍ପାଦନକାରୀ ରାଷ୍ଟ୍ର ଭାରତ ଗହମ ରପ୍ତାନି କରି ଲାଭବାନ ହେବାକୁ ଆଶା ରଖିଥିଲା । କିନ୍ତୁ ଏ ବର୍ଷ ପ୍ରବଳ ଗରମ ଯୋଗୁଁ ଗହମ ଉତ୍ପାଦନ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨୫% ହ୍ରାସ ପାଇବାର ଆଶଙ୍କା ପ୍ରକାଶ ପାଇଛି । ଫଳସ୍ୱରୂପ ଆଭ୍ୟନ୍ତରୀଣ ଆବଶ୍ୟକତା ମେଣ୍ଟାଇବା ପରେ ରପ୍ତାନି ପାଇଁ କେତେ ବଳିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କ୍ରମାଗତ ୫ ବର୍ଷ ଧରି ଭାରତରେ ଗହମ ଉତ୍ପାଦନ ରେକର୍ଡ କରିଥିଲା । ଚଳିତ ବର୍ଷ ଗହମ ଚାଷ ସମୟରେ ପାଗ ଭଲ ଥିବାରୁ ଉତ୍ପାଦନ ପୂର୍ବ ବର୍ଷଠାରୁ ଅଧିକ ହେବ ବୋଲି କୃଷି ମନ୍ତ୍ରଣାଳୟ ପକ୍ଷରୁ ଆକଳନ କରାଯାଇଥିଲା । ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତ ୭.୮୫ ନିୟୁତ ଟନ ଗହମ ରପ୍ତାନି କରିଥିଲା, ଯାହାକି ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨୭୫ ପ୍ରତିଶତ ଅଧିକ । ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରାୟ ୧୨ ନିୟୁତ ଟନ ଗହମ ରପ୍ତାନି କରି ପୁଣି ରେକର୍ଡ କରିବାକୁ ଲକ୍ଷ୍ୟଥିଲା । ଫେବୃୟାରୀ ମଧ୍ୟ ଭାଗରେ ଆକଳନ କରାଯାଇଥିଲା, ଏଥର ପୂର୍ବବର୍ଷ ଅପେକ୍ଷା ଅଧିକ ଗହମ ଉତ୍ପାଦନ ହେବ । ଗତ ବର୍ଷ ୧୦୯. ୫୯ ମିଲିୟନ ଟନ୍ ଗହମ ଉତ୍ପାଦିତ ହୋଇଥିଲା । ଏବର୍ଷ ୧୧୧.୩୨ ନିୟୁତ ଟନ୍ ଉତ୍ପାଦନ ହେବ ବୋଲି ଆଶା କରାଯାଇଥିଲା । ହେଲେ ମାର୍ଚ୍ଚରେ ତାପମାତ୍ରା ରେକର୍ଡ ପରିମାଣର ବୃଦ୍ଧି ସବୁ ବିଗାଡ଼ି ଦେଇଛି ।
ଚଣ୍ଡିଗଡର କୃଷି ବିଶେଷଜ୍ଞ ଦେବୀନ୍ଦର ଶର୍ମା କହିଛନ୍ତି, ଭାରତର ଶସ୍ୟ ଭଣ୍ଡାର ରୂପେ ପରିଚିତ ପଞ୍ଜାବ ରାଜ୍ୟ ସମେତ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ଆଦି ପ୍ରମୁଖ ଗହମ ଉତ୍ପାଦକ ରାଜ୍ୟଗୁଡିକରେ ଚଳିତବର୍ଷ ୨୫ ପ୍ରତିଶତ କମ୍ ଉତ୍ପାଦନ ହେବ ।
ଏବର୍ଷ ମାର୍ଚ୍ଚରୁ ଦେଶରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିଲା । ଦେଶରେ ତାପମାତ୍ରା ୩୩.୧ ଡିଗ୍ରୀ ଥିଲା । ଯାହାକି ସ୍ୱାଭାବିକଠାରୁ ୧.୮୬ ଡିଗ୍ରୀ ସେଣ୍ଟିଗ୍ରେଡ୍ ଅଧିକ । ଏହା ମଧ୍ୟ ୧୨୧ ବର୍ଷର ରେକର୍ଡ ଭାଙ୍ଗିଥିଲା । ତାପମାତ୍ରା ବୃଦ୍ଧି ଯୋଗୁ ଗହମ ଉତ୍ପାଦନ ପୂର୍ବାପେକ୍ଷା ପ୍ରାୟ ୬ ପ୍ରତିଶତ ହ୍ରାସ ପାଇ ୧୦୫ ନିୟୁତ ଟନକୁ ଖସି ଆସିବ ବୋଲି କୁହାଯାଉଛି । କିନ୍ତୁ ସରକାରୀଭାବେ ଏ ନେଇ କିଛି ସୂଚନା ଦିଆଯାଇ ନାହିଁ କିମ୍ବା ଉତ୍ପାଦନ ନେଇ ସଂଶୋଧିତ ଆକଳନ ପ୍ରକାଶ ପାଇନାହିଁ । କୃଷି ଉତ୍ପାଦନ ସହିତ ଜଡ଼ିତ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ଫସଲହାନି ସମ୍ଭାବନା ରହିଛି କିନ୍ତୁ ପରିମାଣ ନେଇ ଏତେଶୀଘ୍ର କିଛି କୁହାଯାଇ ପାରିବ ନାହିଁ । କେତେକ ବ୍ୟବସାୟୀ ମଧ୍ୟ ଗହମ ଉତ୍ପାଦନ ହ୍ରାସ ନେଇ ମତଦେଉଥିଲେ ବି କେତେ ପରିମାଣର କ୍ଷତି ହେବ ତାହା ଏବେଠାରୁ ଆକଳନ କରିବା ସମ୍ଭ ନୁହେଁ ବୋଲି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *