ମୁକ୍ତା ଯୋଜନାରେ ଝଲସୁଛି ଐତିହ୍ୟ ସ୍ଥଳ
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ର ହେବ ବିଶ୍ୱଐତିହ୍ୟ ନଗରୀ । ସେଥିଲାଗି ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ସହରକୁ ଅନ୍ତର୍ଭୁକ୍ତ କରାଯାଇଛି । ପୁରୀ ସହରର ଅନନ୍ୟ ପରିଚୟ ଯାଗାଆଖଡ଼ା । ହେଲେ ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ମୁକ୍ତା ଯୋଜନାରେ ସାମିଲ କରାଯାଇ ତାହାର ପୁନରୁଦ୍ଧାର କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ପବିତ୍ର ଅକ୍ଷୟ ତୃତୀୟାରେ ୧୧ଟି ଯାଗାଆଖଡ଼ା ଓ ଉଦ୍ୟାନକୁ ପୁରୀବାସୀଙ୍କ ଉଦେ୍ଦଶ୍ୟରେ ଲୋକାର୍ପଣ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଏହି ଯାଗାଆଖଡ଼ାରେ କିଏ ଦୋଳିରେ ବସି ଝୁଲୁଛି ତ ଆଉ କିଏ ଶରୀରକୁ ସୁସ୍ଥ ରଖିବା ଲାଗି ବ୍ୟାୟାମ କରୁଛନ୍ତି । ସେହିପରି ଆଉ କିଏ ଉଦ୍ୟାନରେ ବସି ବିଶ୍ରାମ ନେଉଛି ତ କିଏ ପୁଷ୍କରିଣୀରେ ସ୍ନାନ କରି ମଜା ନେଉଛି । ସେହିଭଳି ଯାଗାଆଖଡ଼ାରେ ନୂତନ କରି ବ୍ୟାୟାମ ଲାଗି ନୂତନ ଉପକରଣ ମଧ୍ୟ ଲଗାଯାଇଛି । ଫଳରେ ପୁଣିଥରେ ପୁରୀର ଐତିହ୍ୟ ଗାଥାକୁ ସ୍ମରଣ କରିବ ଯାଗାଆଖଡ଼ା ।
ପ୍ରଥମ ପର୍ଯ୍ୟାୟରେ ସହରର ୧୧ଟି ଯାଗାଆଖଡ଼ା ଉଦ୍ଘାଟିତ ହୋଇଛି । ଏଥିରେ ଜାତୀୟ ବ୍ୟାୟାମ କ୍ରୀଡ଼ା ପରିଷଦ, ପାଣ୍ଡେ ଯାଗା, ମୁଢୀ ମା’ ତୋଟା, ପାଣିଆ ତୋଟା, ଭଟ୍ଟ ଯାଗା, ମୁଦୁଲି ଯାଗା, ଜାତୀୟ କ୍ରୀଡ଼ା, ଖୁଣ୍ଟିଆ ଯାଗା, ଜଦୁ ତିଆଡ଼ି ଯାଗା, ନୂଆତୋଟା ଯାଗା ଏବଂ ଲୁହାଗଡ଼ ଯାଗାର ଉନ୍ନତିକରଣ କାର୍ଯ୍ୟ ଶେଷ ହୋଇ ଲୋକଙ୍କ ଉଦେ୍ଦଶ୍ୟରେ ଲୋକାର୍ପିତ ହୋଇଛି । ସହରରେ ମୋଟ ୫୨ଟି ଯାଗା ଓ ୮ଟି ଆଖଡ଼ା କେନ୍ଦ୍ର ରହିଛି । ଏଥିଲାଗି ମୋଟ ୧କୋଟି ୬୦ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ଜଣାପଡ଼ିଛି । ମୁକ୍ତା ଯୋଜନାରେ ଯାଗାଆଖଡ଼ା, ଉଦ୍ୟାନର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ କ୍ରୀଡ଼ାବିତ୍ ଓ ଯାଗାଆଖଡ଼ାର ମୁରବିମାନେ ଧନ୍ୟବାଦ ଦେଇଛନ୍ତି । ଏହି ଅବସରରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଅତିରିକ୍ତ ନିର୍ବାହୀ ଅଧିକାରୀ ମନୋଜ ବେହେରା, ଯନ୍ତ୍ରୀ ଭବାନୀ ଶଙ୍କର ମହାନ୍ତି, ସହାୟକ ମୁଖ୍ୟ ଜୟନ୍ତ କୁମାର ମୈତ, ଦେବବ୍ରତ ଷଡ଼ଙ୍ଗୀ, ଦେବଦତ୍ତ ରାୟମହାପାତ୍ର, କନିଷ୍ଠ ଯନ୍ତ୍ରୀଙ୍କ ସମେତ ପରାମର୍ଶଦାତା ଜ୍ୟୋତିପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ ।