ବିକାଶର ଭୂଖଣ୍ଡ ପାଲଟିଛି ଓଡ଼ିଶା
ରାଜ୍ୟସ୍ତରୀୟ କୃଷକ ଦିବସ
ଭୁବନେଶ୍ୱର (ବୁ୍ୟରୋ): ଆମ ରାଜ୍ୟ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୃଷି କ୍ଷେତ୍ରକୁ ଦେଇଥିବା ପ୍ରାଧାନ୍ୟ ଓ କୃଷିଭିତ୍ତିକ ଅନେକ କାର୍ଯ୍ୟକ୍ରମ ଗ୍ରହଣର ଫଳ ସ୍ୱରୂପ ଆଜି ଭୋକର ଭୂଗୋଳରୁ ବିକାଶର ଭୂଖଣ୍ଡରେ ପରିଣତ ହୋଇଛି । ୧୯୯୯ ମହାବାତ୍ୟା ସମୟରେ ଚାଉଳର ଅଭାବୀ ସ୍ଥିତିରୁ ୨୦୨୧ରେ ଆମ ରାଜ୍ୟ ଚାଉଳ ବଳକା ରାଜ୍ୟ ଭାବେ ଉଭା ହୋଇଛି । ଅକ୍ଷୟ ତୃତୀୟା ତିଥିରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ କୃଷି ଯନ୍ତ୍ରପାତି ତାଲିମ ଓ ପରୀକ୍ଷଣ କେନ୍ଦ୍ରଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଦିବସ-୨୦୨୨ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଆମେ ଆଜି ମାଛ, କ୍ଷୀର, ମାଂସ, ଅଣ୍ଡା ଆଦି ଉତ୍ପାଦନରେ ସ୍ୱାବଲମ୍ବୀ ହୋଇପାରିଛୁ । ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ ମନ୍ତ୍ରୀ ଡ. ସାହୁ ଉତ୍ସବକୁ ଉଦ୍ଘାଟନ କରିବା ସହିତ ଭୂମିପୂଜା ଓ ଅକ୍ଷିମୁଠି ଅନୁକୂଳ କରିଥିଲେ । ଏହି ଅବସରରେ ଏକ କୃଷିମେଳାର ଆୟୋଜନ କରାଯାଇଥିଲା । ମେଳାକୁ ଉଦ୍ଘାଟନ କରି ମନ୍ତ୍ରୀ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ ।
କୃଷି ଉତ୍ପାଦନ କମିଶନର ଅତିରିକ୍ତ ମୁଖ୍ୟ ସଚିବ ସଂଜୀବ ଚୋପ୍ରା ସରକାରଙ୍କ ବିଭିନ୍ନ କୃଷି ଉନ୍ନୟନମୂଳକ ଯୋଜନାଗୁଡ଼ିକରେ କୃଷକର ଭାଗୀଦାରି ଓ ସହଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ସଂଜୀବ କୁମାର ଚଢ଼ା କୃଷି କ୍ଷେତ୍ରରେ ବହୁବିଧ ଉନ୍ନତିର ପ୍ରତିଛବି କୃଷକଙ୍କ ସମ୍ମୁଖରେ ବର୍ଣ୍ଣନା କରିଥିଲେ । ସେ ଚଳିତ ବର୍ଷ ଉତ୍ତମ ମୌସୁମୀ ଓ ସଫଳ ଖରିଫ ଋତୁ ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ । କୃଷି ଓ ଖାଦ୍ୟ ଉତ୍ପାଦନ ନିଦେ୍ର୍ଦଶକ ଡଃ. ଏମ୍. ମୁଥୁକୁମାର ସ୍ୱାଗତ ଭାଷଣ ମାଧ୍ୟମରେ କୃଷକମାନଙ୍କୁ ବୈଷୟିକ ଜ୍ଞାନକୌଶଳ ଓ କୃଷି ବିଭାଗର ବିଭିନ୍ନ ମୋବାଇଲ୍ ଆପ୍ର ଲାଭ ଉଠାଇବା ନିମନ୍ତେ ପରାମର୍ଶ ଦେଇଥିଲେ । ଶେଷରେ ଉଦ୍ୟାନ କୃଷି ନିଦେ୍ର୍ଦଶକ ରୋହିତ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।