ଆବେଦନ ଅବଧି ପୁଣି ବଢ଼ିଲା
+୨ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଲାପ୍ଟପ୍ ସ୍କିମ୍
ଭୁବନେଶ୍ୱର (ବୁ୍ୟରୋ): +୨ ପାସ୍ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବିଜୁ ଯୁବ ସଶକ୍ତିକରଣ ଯୋଜନା ଅଧୀନରେ ଲାପ୍ଟପ୍ କିଣିବା ପାଇଁ ସରକାର ଦେଉଥିବା ଆର୍ଥôକ ସହାୟତା ପାଇଁ ଆବେଦନ ତାରିଖର ସମୟସୀମା ପୁଣି ଥରେ ବୃଦ୍ଧି କରାଯାଇଥିବା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଏହି ସମୟ ବୁଦ୍ଧି ଫଳରେ +୨ ଛାତ୍ରଛାତ୍ରୀମାନେ ଲାପ୍ଟପ୍ ବଦଳରେ ଅର୍ଥ ପାଇବା ପାଇଁ ଅନ୍ଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଏଥିପାଇଁ ସରକାର ଆବେଦନ କରିବାର ସମୟସୀମା ମେ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଯୋଜନା ଅଧୀନରେ ଲାପ୍ଟପ୍ ପାଇଁ ଆବେଦନ କରିବାର ସମୟସୀମା ସରକାର ୩ୟ ଥର ପାଇଁ ବୃଦ୍ଧି କରିଛନ୍ତି । ପୂର୍ବରୁ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୨୯ ଓ ଅପ୍ରେଲ ୧୦ ତାରିଖ ଥିବାବେଳେ ଏବେ ପୁଣି ଥରେ ଏହାକୁ ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଯେଉଁ ମେଧାବୀ ଛାତ୍ରଛାତ୍ରୀମାନେ ଏଯାଏ ଆବେଦନ କରିନାହାଁନ୍ତି ସେମାନଙ୍କର ଆବେଦନ ପତ୍ର ଏହି ସମୟସୀମା ମଧ୍ୟରେ ଦାଖଲ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୧୫ ହଜାର ଛାତ୍ରଛାତ୍ରୀଙ୍କ ନାମ ପ୍ରକାଶ ପାଇଥିଲା ଯେଉଁମାନେ ଲାପଟପ ପାଇଁ ୩୦ ହଜାର ଆର୍ଥôକ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଏହି ଅର୍ଥ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଆଧାର ଲିଙ୍କ ଆକାଉଣ୍ଟ ମାଧ୍ୟମରେ ଟ୍ରାନ୍ସଫର କରାଯିବ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଆକାଉଣ୍ଟ ଦେବାକୁ ପଡ଼ିବ ନାହିଁ । ବରଂ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଆଧାର କାର୍ଡ ସହ ଲିଙ୍କ କରିବା ଜରୁରୀ । ଯୋଗ୍ୟ ଛାତ୍ରଛାତ୍ରୀ ଓଡ଼ିଶା ସରକାରଙ୍କ ସରକାରୀ ସ୍କଲାରସିପ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ ।