ଜ୍ଞାନେଶ୍ୱରୀଙ୍କୁ ରୌପ୍ୟ, ରିତିକାଙ୍କୁ କାଂସ୍ୟ

ନୂଆଦିଲ୍ଲୀ, ୩ା୫ (ଏଜେନ୍ସି): ଗ୍ରୀସ୍ର ହେରାକଲିଅନ୍ଠାରେ ଆୟୋଜିତ ଆଇଡବ୍ଲୁ୍ୟଏଫ୍ କନିଷ୍ଠ ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନ୍ସିପ୍ସରେ ମହିଳାଙ୍କ ୪୯ କିଲୋଗ୍ରାମ୍ ବର୍ଗରେ ଭାରତର ଜ୍ଞାନେଶ୍ୱରୀ ଯାଦବ ରୌପ୍ୟ ପଦକ ଜିତିଥିବା ବେଳେ ଭି. ରିତିକା କାଂସ୍ୟ ପଦକ ହାସଲ କରିଛନ୍ତି । ଏଥି ସହ ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା ତିନିରେ ପହଞ୍ଚିଛି । ଏ ଯାବତ୍ ଏହା ଦେଶର ସର୍ବଶ୍ରେଷ୍ଠ ପ୍ରଦର୍ଶନ ।
ଏହା ପୂର୍ବରୁ ଦିନର ଆରମ୍ଭରେ ହର୍ଷଦା ଶରଦ ଗରୁଡ଼ ଏହି ବିଶ୍ୱ ଚାମ୍ପିଅନ୍ସିପ୍ସରେ ଦେଶର ପ୍ରଥମ ଭାରୋତ୍ତୋଳନକାରୀ ଭାବେ ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ । ୪୫କିଗ୍ରା ବର୍ଗରେ ୧୬ବର୍ଷୀୟା ହର୍ଷଦା ମୋଟ୍ ୧୫୩କିଗ୍ରା (୭୦କିଗ୍ରା + ୮୩କିଗ୍ରା) ଭାର ଉଠାଇଥିଲେ । ଏଥିରେ ଅନ୍ୟତମ ଭାରତୀୟ ଅଞ୍ଜଳି ପାଟିଲ୍ ମୋଟ୍ ୧୪୮କିଗ୍ରା (୬୭କିଗ୍ରା + ୮୧କିଗ୍ରା) ଭାର ଉଠାଇ ପଞ୍ଚମ ସ୍ଥାନରେ ରହିଥିଲେ । ଭାରତ ଏହି ବିଶ୍ୱ ଚାମ୍ପିଅନ୍ସିପ୍ସ ପୂର୍ବରୁ ମୋଟ୍ ତିନି ପଦକ ଜିତିଥିଲା । ଅଚିନ୍ତା ଶେଉଲୀ ରୌପ୍ୟ ଏବଂ ମୀରାବାଇ ଚାନୁ ଓ ଝିଲୀ ଦଳବେହେରା କାଂସ୍ୟ ପଦକ ପାଇଥିଲେ ।
ଛତିଶଗଡ଼ର ଭାରୋତ୍ତୋଳନକାରିଣୀ ଜ୍ଞାନେଶ୍ୱରୀ ମୋଟ୍ ୧୫୬କିଗ୍ରା (୭୩କିଗ୍ରା + ୮୩କିଗ୍ରା) ଭାର ଉଠାଇ ସୋମବାର ରାତିରେ ରୌପ୍ୟ ଜିତିଥିଲେ । ଅନ୍ୟପଟେ, ୧୮ବର୍ଷୀୟା ରିତିକା ମୋଟ୍ ୧୫୦କିଗ୍ରା (୬୯କିଗ୍ରା + ୮୧କିଗ୍ରା) ଭାର ଉଠାଇ ୧୦ ପ୍ରତିଯୋଗୀଙ୍କ ମଧ୍ୟରେ କାଂସ୍ୟ ପଦକ କରାୟତ୍ତ କରିଥିଲେ । ଟୋକିଓ ଅଲିମ୍ପିକ୍ସ କାଂସ୍ୟ ପଦକଧାରିଣୀ ତଥା ଫେଭରିଟ୍ ଇଣ୍ଡୋନେସିଆର ୱିଣ୍ଡି କାଣ୍ଟିକା ଅଏସା ଏଥିରେ ଚାମ୍ପିଅନ୍ ହୋଇଥିଲେ । ସେ ମୋଟ୍ ୧୮୫କିଗ୍ରା (୮୩କିଗ୍ରା + ୧୦୨କିଗ୍ରା) ଭାର ଉଠାଇଥିଲେ ।
ଏହି ବର୍ଗରେ କନିଷ୍ଠ ବିଶ୍ୱ କୀର୍ତ୍ତିମାନ ୨୦୬କିଗ୍ରା (୯୨କିଗ୍ରା + ୧୧୪କିଗ୍ରା) ରହିଛି, ଯାହାକି ଚୀନ୍ର ଜିଆଙ୍ଗ ହୁଇହୁଆଙ୍କ ନାମରେ ଅଛି । ଏହି ବର୍ଗରେହିଁ ମୀରାବାଇ ଚାନୁ (ମୋଟ୍ ୨୦୨କିଗ୍ରା) ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିଲେ ।
ଆଇଡବ୍ଲୁ୍ୟଏଫ୍ ଇଭେଣ୍ଟରେ ଭାଗ ନେବାକୁ ରୁଷିଆ ଓ ବେଲାରୁଷ୍ର ଆଥ୍ଲେଟ୍ମାନଙ୍କୁ ବାରଣ କରାଯାଇଛି । ରୁଷିଆ ପୂର୍ବ ସଂସ୍କରଣରେ ସର୍ବାଧିକ ୯ ପଦକ ହାସଲ କରିଥିଲା । ଚୀନ୍, ରୋମାନିଆ ଓ ବୁଲ୍ଗେରିଆ ବିଭିନ୍ନ କାରଣରୁ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ନାହାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *