୧ଠ ଥାନା ଇଲାକାରେ କର୍ଫୁ୍ୟ
ଯୋଧପୁରରେ ଦଙ୍ଗା
ଯୋଧପୁର (ଏଜେନ୍ସି): ଇଦ୍ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତଙ୍କ ଜନ୍ମ ନଗରୀ ଯୋଧପୁରରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଛି । ଜାଲୋରୀ ଗେଟ୍ ଛକ ଠାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସୋମବାର ବିଳମ୍ବିତ ରାତିରେ ଗଣ୍ଡଗୋଳ ଆରମ୍ଭ ହୋଇ ମଙ୍ଗଳବାର ପର୍ଯ୍ୟନ୍ତ ଲାଗି ରହିଥିଲା । ଏହାକୁ ଦୃଷ୍ଟିରେ ରଖି ଯୋଧପୁର ସହରର ଦଙ୍ଗା ପ୍ରଭାବିତ ୧୦ ପୁଲିସ ଷ୍ଟେସନ ଇଲାକାରେ କର୍ଫୁ୍ୟ ଲାଗୁ କରାଯାଇଛି । କର୍ଫୁ୍ୟ ମଙ୍ଗଳବାର ଦିନ ୧ଟାରୁ ବୁଧବାର ରାତି ୧୨ଟା ପର୍ଯ୍ୟନ୍ତ ରହିବ । ସହରର ପ୍ରଭାବିତ ଅଞ୍ଚଳର ପ୍ରତ୍ୟେକ କୋଣ ଅନୁକୋଣରେ ପୁଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ଏଥିସହିତ ଅନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସର ପାଟ୍ରୋଲିଂ ବୃଦ୍ଧି କରାଯାଇଛି ।
ଅନ୍ୟପକ୍ଷରେ ଯୋଧପୁର ହିଂସାକୁ ନେଇ ରାଜଧାନୀ ଜୟପୁରରେ ସିଏମ୍ ଅଶୋକ ଗହଲୋତ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ । ବୈଠକରେ ଗହଲୋତ ବରିଷ୍ଠ ଅଧିକାରୀଙ୍କ ସହ ପରିସ୍ଥିତିର ସମୀକ୍ଷା କରିଥିଲେ । ବୈଠକରେ ଅସାମାଜିକ ତତ୍ତ୍ୱ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା ।
ଯୋଧପୁର ପୁଲିସ କମିଶନରେଟଙ୍କ ଜିଲ୍ଲା ପୂର୍ବରେ ଉଦୟମନ୍ଦିର, ସଦର କୋଟୱାଲୀ, ସଦର ବଜାର, ନାଗୋରୀ ଫାଟକ ତଥା ଖାଣ୍ଡାଫାଲସା ଏବଂ ପଶ୍ଚିମ ଜିଲ୍ଲାର ପ୍ରତାପନଗର, ପ୍ରତାପନଗର ସଦର, ଦେବ ନଗର, ସୁରସାଗର ଏବଂ ସର୍ଦ୍ଦାରପୁରା ଥାନା ଅଞ୍ଚଳରେ କର୍ଫୁ୍ୟ ଲାଗୁ କରାଯାଇଛି । କର୍ଫୁ୍ୟ ନିଦେ୍ର୍ଦଶରେ କୁହାଯାଇଛି ଯେ ଏହି ସମୟ ମଧ୍ୟରେ କୌଣସି ବ୍ୟକ୍ତି ବିନା ଅନୁମତିରେ ଘର ସୀମାରୁ ବାହାରକୁ ଆସିବେ ନାହିଁ । ପରିସ୍ଥିତିର ସମୀକ୍ଷା କରିବା ପରେ ଏହି ଅବଧି ବୃଦ୍ଧି ମଧ୍ୟ କରାଯାଇପାରେ ।
ଆଜି ଏକ ଉଚ୍ଚସ୍ତରୀୟ ଦଳ ଜୟପୁରରୁ ଯୋଧପୁର ଯିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ତୁରନ୍ତ ହେଲିକାପ୍ଟର ଯୋଗେ ଯୋଧପୁର ଯିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଏହି ଦଳକୁ ନିଦେ୍ର୍ଦଶ ଦେଇଛନ୍ତି । ଦଳରେ ଗୃହମନ୍ତ୍ରୀ ରାଜେନ୍ଦ୍ର ଯାଦବ, ଯୋଧପୁର ଦାୟିତ୍ୱରେ ଥିବା ମନ୍ତ୍ରୀ ଡ.ସୁଭାଷ ଗର୍ଗ, ଏସିଏସ୍ ଗୃହ ବିଭାଗ ଅକ୍ଷୟ କୁମାର, ଏଡିଜି ଆଇନ ଏବଂ ଅର୍ଡର ହାୱା ସିଂ ଘୁମରିଆ ରହିଛନ୍ତି ।
ଯୋଧପୁର ଘଟଣାରେ ଗୃହମନ୍ତ୍ରୀ ରାଜେନ୍ଦ୍ର ଯାଦବ କହିଛନ୍ତି ଯେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଗହଲୋତ ଅତ୍ୟନ୍ତ ଗମ୍ଭୀର । ଏହି ଘଟଣାର ଅପରାଧୀ କୌଣସି ଧର୍ମ କିମ୍ବା ସମ୍ପ୍ରଦାୟର ହୋଇଥାନ୍ତୁ ନା କାହିଁକି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଗହଲୋତ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଯୋଧପୁରରେ କର୍ଫୁ୍ୟ ଲାଗୁ କରାଯାଇଛି । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ଏକ ଧାର୍ମିକ ପର୍ବରେ ଏପରି ଘଟଣା ଘଟିବା ଦୁର୍ଭାଗ୍ୟଜନକ । ଘଟଣା ଉପରେ ରାଜନୀତି କରାଯିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି ।
ପ୍ରକାଶ ଯେ ପତାକା ଓ ଲାଉଡ଼୍ସ୍ପିକର ଲଗାଇବା କାରଣରୁ ଯୋଧପୁରର ଜାଲୋରୀ ଗେଟ୍ ଅଞ୍ଚଳରେ ପଥରମାଡ଼ ହୋଇଥିଲା । ବିବାଦ ପରେ ମଙ୍ଗଳବାର ସକାଳେ ଜାଲୋରୀ ଗେଟ୍ ଠାରେ ଭିଡ଼ ଜମା ହୋଇଥିଲା । ଭିଡ଼ ଦେଖି ପୁଲିସ ପକ୍ଷରୁ ବୁଝାସୁଝା କରାଯାଇଥିଲେହେଁ ସମାଧାନ ନ ହେବାରୁ ଲାଠିଚାର୍ଜ କରାଯାଇଥିଲା । ଏହି ସମୟରେ କେତେକ ଯବାନଙ୍କ ସହିତ କିଛି ସାମ୍ବାଦିକ ଆହତ ହୋଇଥିବା ଜଣାପଡ଼ିଛି ।