ବାତ୍ୟା ପାଇଁ ପାଗ ଅନୁକୂଳ

ଭୁବନେଶ୍ୱର,୨ା୫(ବୁ୍ୟରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ବଢ଼ୁଛି ଆଶଙ୍କା । ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଥିବାବେଳେ ଏପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ବାତ୍ୟା ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ପ୍ରଦାନ କରିନାହିଁ । ତେବେ ମେ’ ମାସରେ କେତେକ ବାତ୍ୟା ଭୟଙ୍କର ରୂପରେ ଉପକୂଳରେ ମାଡ଼ ହୋଇଛି । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅଧିକ ଘନୀଭୂତ ହେବା ପାଇଁ ପାଗ ବେଶ୍ ଅନୁକୂଳ ରହିଥିବା କୁହାଯାଉଛି । ହେଲେ ଏହା କେତେ ଘନୀଭୂତ ହେବ, ଗତିପଥ କ’ଣ ରହିବ; ତାହା ଏବେ ବି ଅସ୍ପଷ୍ଟ ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଆସନ୍ତା ୪ ତାରିଖ ଅର୍ଥାତ୍ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଅଧିକ ଘନୀଭୂତ ହୋଇ ୬ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇପାରେ । ତେବେ ଏହା ବାତ୍ୟା ରୂପ ନେବ କି ନାହିଁ ତାହା ସ୍ପଷ୍ଟ କରିନି ଆଇଏମ୍ଡି । ଦିନେ କିମ୍ବା ଦୁଇଦିନ ଭିତରେ ବାତ୍ୟା ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି ।
ବିଭିନ୍ନ ପାଣିପାଗ ସଂସ୍ଥାର ଆକଳନ ଅନୁସାରେ, ସମ୍ଭାବ୍ୟ ଲଘୁଚାପଟି ବାତ୍ୟା ରୂପ ନେବ । ଏହା ଅଧିକ ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ଝଡ଼ବାତ୍ୟାରେ ପରିଣତ ହେବ । ଆସନ୍ତା ୧ଠ ତାରିଖ ବେଳକୁ ଏହା ଲ୍ୟାଣ୍ଡଫଲ କରିପାରେ । ହେଲେ କେଉଁଠି ଉପକୂଳ ଛୁଇଁବ, ସେନେଇ ଦ୍ୱନ୍ଦ୍ୱ ଜାରି ରହିଛି । ଇସିଏମ୍ଡବ୍ଲୁ୍ୟଏଫ୍ ମଡେଲ ସୋମବାର ସନ୍ଧ୍ୟାରେ କହିଛି, ଆସନ୍ତା ୧ଠ ତାରିଖରେ ବାତ୍ୟା ପାରାଦୀପରୁ ଭଦ୍ରକ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ । କିନ୍ତୁ ସୋମବାର ସକାଳେ ବାତ୍ୟା ଗତିପଥ ପଶ୍ଚିମବଙ୍ଗ ଉପକୂଳ ଆଡ଼େ ରହିବ ବୋଲି ପୂର୍ବାନୁମାନ କରାଯାଇଥିଲା । ସେହିପରି ୟୁଏସ୍ ଗ୍ଲୋବାଲ୍ ଫୋରକାଷ୍ଟ୍ ସିଷ୍ଟମ୍ କହୁଛି, ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଠାରେ ସ୍ଥଳଭାଗ ଛୁଇଁପାରେ । ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇନଥିବାରୁ ପାଣିପାଗ ସଂସ୍ଥାର ପୂର୍ବାନୁମାନ ବଦଳୁଛି । ଲଘୁଚାପ ସୃଷ୍ଟି ହେବା ପରେ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।
ପାଣିପାଗ ବିଜ୍ଞାନୀଙ୍କ ମତରେ ସମୁଦ୍ର ପତ୍ତନର ତାପମାତ୍ରା ୩୧ ଡିଗ୍ରୀ ରହିଛି । ଅତ୍ୟଧିକ ତାପମାତ୍ରା ଯୋଗୁ ଜଳୀୟ ବାଷ୍ପର ପରିମାଣ ବଢ଼ିଛି । ବାୟୁର ଆର୍ଦ୍ରତା ବାତ୍ୟା ପାଇଁ ଅନୁକୂଳ ରହିଛି । ଗରମ ବାୟୁର ଚଳନ ସମୁଦ୍ର ଉପରେ କମ୍ ରହିଛି । ଉତ୍ତର ପଶ୍ଚିମ ଦିଗରୁ ଉତ୍ତପ୍ତ ବାୟୁ ପ୍ରବାହ ଧୀରେ ଧୀରେ କମୁଛି । ଏହି ସବୁ ପରିସ୍ଥିତି ବାତ୍ୟାକୁ ଅଧିକ ଘନୀଭୂତ କରାଇପାରେ ।
ଅନ୍ୟପକ୍ଷରେ ଉପକୂଳ ଜିଲ୍ଲାମାନଙ୍କରେ ତାତି ସାମାନ୍ୟ ହ୍ରାସ ପାଇଥିବାବେଳେ ପଶ୍ଚିମ ଓଡ଼ିଶା ଜଳୁଛି । ସୋମବାର ୫ଟି ସହରରେ ପାରଦ ୪୨ ଡିଗ୍ରୀ ଉପରେ ରହିଥିଲା । ସେହିପରି ୧୮ଟି ସହରର ସର୍ବୋଚ୍ଚ ତାପମାତ୍ରା ୪ଠ ଡିଗ୍ରୀ ଉପରେ ରେକର୍ଡ଼ ହୋଇଛି । ୪୩.୨ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ବୌଦ୍ଧରେ ୪୨.୫, ଫୁଲବାଣୀରେ ୪୨.୨, ଟିଟିଲାଗଡ଼ ଓ ତାଳଚେରରେ ୪୨ ଡିଗ୍ରୀ ରେକର୍ଡ଼ କରାଯାଇଛି । ତେବେ ୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼ ଏବଂ ଦେବଗଡ଼ ଜିଲ୍ଲାରେ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଘଣ୍ଟାପ୍ରତି ୪ଠ-୫ଠ କିମି ବେଗରେ ପବନ ସହ କେତେକ ସ୍ଥାନରେ ବଜ୍ରପାତ ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । କାଳବୈଶାଖୀ ସମୟରେ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ପାଣିପାଗ ଉପରେ ନଜର ରଖିବା ସହ ବଜ୍ରପାତରୁ ରକ୍ଷା ପାଇଁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଲୋକଙ୍କୁ କୁହାଯାଇଛି । କାଳବୈଶାଖୀ ନେଇ ପାଣିପାଗ କେନ୍ଦ୍ରର ସୂଚନା ଆଧାରରେ ଏସ୍ଆର୍ସି ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ପ୍ରଶାସନିକ କଳ ପ୍ରସ୍ତୁତ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି ।
ଅନ୍ୟପକ୍ଷରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା (ଦିନର ତାପମାତ୍ରା)ରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ତେବେ ଆସନ୍ତା ୨ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିପାରେ ବୋଲି ଆକଳନ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *