୧୩ ଗିରଫ, ୨ ଲକ୍ଷ ଜରିମାନା
ମଦ ପିଇ ଗାଡ଼ି ଚଳାଇଲେ କ୍ଷମା ନାହିଁ
ଆସିକା (ଆପ୍ର): ନିଶାସକ୍ତ ଅବସ୍ଥାରେ ଗାଡ଼ିଚାଳନା ଉପରେ ଲାଗିଛି ବ୍ରେକ୍ । ସାବାଡ଼ ହେଉଛନ୍ତି ମଦୁଆ ଗାଡ଼ି ଚାଳକ । ଆସିକା ପୁଲିସ ପକ୍ଷରୁ ମଦ୍ୟପ ଚାଳକଙ୍କୁ ଧରିବା ଲାଗି ଧରପଗଡ଼ ଜୋରଦାର ଚାଲିଛି । ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ପୁଲିସ ପ୍ରଶାସନ ପକ୍ଷରୁ ମୋଟର ଯାନ ଆଇନ ଅନୁସାରେ ପୁଲିସ ପକ୍ଷରୁ ବିଜୁ ପଟ୍ଟନାୟକ ଛକ, ପାକଲାପଲ୍ଲୀ ଛକ ସମେତ ଥାନା ପରିସରଭୁକ୍ତ ଅଞ୍ଚଳରେ ବ୍ରେଥ୍ ଆନାଲାଇଜର ମେସିନ ଜରିଆରେ ଗାଡି ଚାଳକଙ୍କୁ ଯାଞ୍ଚ କରାଯାଉଛି ।
ଆସିକା ପୁଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ମଦ୍ୟପାନ କରି ଗାଡ଼ି ଚଳାଇବା ଅଭିଯୋଗରେ ୧୩ଜଣକୁ ଗିରଫ କରାଯାଇ କରାଯାଇଥିଲା ବେଳେ ସେମାନଙ୍କ ନିକଟରୁ ୮ଟି ବାଇକ୍ ସହ ୨ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି । ସଡ଼କ ସୁରକ୍ଷା ପାଇଁ ଯାନବାହାନ ଯାଞ୍ଚକୁ କଡ଼ାକନି କରିଛି ପୁଲିସ । ମଦପିଇ ଗାଡି ଚଳାଇ ଧରାପଡିଲେ କ୍ଷମା ଦିଆଯିବ ନାହିଁ ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି । ମଦ୍ୟପ ଗାଡି ଚାଳକ ଧରାପଡ଼ିଲେ ତୁରନ୍ତ ଗିରଫ କରାଯିବ । ସେମାନେ ମଦ ପିଇଛନ୍ତି କି ନାହିଁ ବ୍ରେଥ ଆନାଲାଇଜର ମାଧ୍ୟମରେ ଟେଷ୍ଟ କରାଯିବ । ଏପରିକି ଆବଶ୍ୟକ ପଡିଲେ ଦୁଇଘଣ୍ଟା ମଧ୍ୟରେ ମଦ୍ୟପ ଗାଡ଼ି ଚାଳକଙ୍କ ରକ୍ତ ମଧ୍ୟ ପରୀକ୍ଷା କରାଯିବ ।