ଧୋନି ନେତୃତ୍ୱକୁ ଫେରୁ ଫେରୁ ଚେନ୍ନାଇ ବିଜୟୀ

ମୁମ୍ବାଇ, ୨ା୫ (ଏଜେନ୍ସି): ମହେନ୍ଦ୍ର ସିଂ ଧୋନି ପୁନର୍ବାର ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ହେଉ ହେଉ ଟିମ୍ ବିଜୟ ପଥକୁ ପ୍ରତ୍ୟାବର୍ତ୍ତନ କରିଛି । ଓପନର୍ ଋତୁରାଜ ଗାଏକୱାଡ଼ ଓ ଡେଭନ୍ କନୱେଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ଚଳିତ ସିଜନ୍ର ସର୍ବବୃହତ୍ ୧୮୨ ରନ୍ର ଭାଗୀଦାରୀ ଏବଂ ମୁକେଶ ଚୌଧୁରୀଙ୍କ ୪ ୱିକେଟ୍ ହାସଲ ବଳରେ ସିଏସ୍କେ ରବିବାର ଖେଳାଯାଇଥିବା ୪୬ତମ ଆଇପିଏଲ୍ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦରାବାଦକୁ ୧୩ ରନ୍ରେ ପରାସ୍ତ କରିଛି । ଚେନ୍ନାଇର ଏହା ନଅଟି ମ୍ୟାଚ୍ରୁ ତୃତୀୟ ବିଜୟ । ଅନ୍ୟପଟେ, ହାଇଦରାବାଦର ଏହା ସମାନ ସଂଖ୍ୟକ ମ୍ୟାଚ୍ରୁ ଚତୁର୍ଥ ପରାଜୟ ।
୨୦୩ ରନ୍ ବିଜୟଲକ୍ଷ୍ୟର ପିଛା କରିଥିବା ହାଇଦରାବାଦ ଟିମ୍ ଅଭିଷେକ ଶର୍ମା (୩୯) ଓ ଅଧିନାୟକ କେନ୍ ୱିଲିଅମ୍ସନ୍ (୪୭) ୫୮ ରନ୍ର ଭାଗୀଦାରୀ କରି ଭଲ ଆରମ୍ଭ କରିଥିଲେ; କିନ୍ତୁ ମୁକେଶ, ଅଭିଷେକଙ୍କୁ ଲଙ୍ଗ୍ଅନ୍ରେ ଡ୍ୱେନ୍ ପ୍ରିଟୋରିଅସ୍ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ ଯେତେବେଳେକି ରାହୁଲ ତ୍ରିପାଠୀ ଖାତା ଖୋଲି ନ ପାରି ପାଭିଲିଅନ୍ ଫେରି ଯାଇଥିଲେ । ଏହାପରେ ଟିମ୍ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । । ତେବେ ନିକୋଲାସ ପୂରନ୍ (୩୩ ବଲ୍ରୁ ଅପରାଜିତ ୬୪) ଏକାକୀ ଲଢ଼େଇ ଜାରି ରଖିଥିଲେ; ହେଲେ ତାଙ୍କୁ ସଫଳତା ମିଳି ନ ଥିଲା । ଅନ୍ୟମାନଙ୍କ ମଧ୍ୟରେ ମାର୍କରାମ ୧୭, ଶଶାଙ୍କ ସିଂହ ୧୫, ୱାଶିଂଟନ୍ ସୁନ୍ଦର ୨ ରନ୍ କରିଥିଲେ ।
ହାଇଦରାବାଦ ପୂରା ଓଭର୍ ଖେଳି ୬ ୱିକେଟ୍ ହରାଇ ୧୮୯ ରନ୍ କରିବାକୁ ସମର୍ଥ ହୋଇଥିଲା । ବିପକ୍ଷ ବୋଲର୍ ମୁକେଶଙ୍କ ୪ ୱିକେଟ୍ ଛଡ଼ା ମିଚେଲ୍ ସାଣ୍ଟନର୍ ଓ ପ୍ରିଟୋରିଅସ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଏଥି ପୂର୍ବରୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଚେନ୍ନାଇ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୨ ୱିକେଟ୍ ହରାଇ ୨୦୨ ରନ୍ର ବଡ଼ ସ୍କୋର୍ ଛିଡ଼ା କରିଥିଲା । ଋତୁରାଜ ୫୭ ବଲ୍ରୁ ୬ ଚୌକା ଓ ୬ ଛକା ସହାୟତାରେ ୯୯ ରନ୍ କରିଥିବା ବେଳେ କନୱେ ୫୫ ବଲ୍ରୁ ୮ ଚୌକା ଓ ୪ ଛକା ସହାୟତାରେ ଅପରାଜିତ ୮୫ ରନ୍ର ଇନିଂସ୍ ଖେଳିଥିଲେ ।
ଋତୁରାଜ ଓ କନୱେଙ୍କ ମଧ୍ୟରେ ୧୮୨ (୧୦୭ ବଲ୍ରୁ) ରନ୍ର ଭାଗୀଦାରୀ ଆଇପିଏଲ୍ରେ ସିଏସ୍କେ ପାଇଁ ସର୍ବବୃହତ୍ ଭାଗୀଦାରୀ ଥିଲା । ପୂର୍ବରୁ ରେକର୍ଡ ଶେନ୍ ୱାଟ୍ସନ୍ ଓ ଫାଫ୍ ଡୁ’ ପ୍ଲେସିସ୍ଙ୍କ ମଧ୍ୟରେ ଥିଲା, ଯେଉଁମାନେ ୨୦୨୦ରେ ପ୍ରଥମ ୱିକେଟ୍ ପାଇଁ ଅପରାଜିତ ୧୮୧ ରନ୍ ଯୋଗ କରିଥିଲେ । ତେବେ ଆଇପିଏଲ୍ ଇତିହାସରେ ପ୍ରଥମ ୱିକେଟ୍ ପାଇଁ ଏହା ଚତୁର୍ଥ ବୃହତ୍ ଭାଗୀଦାରୀ ।
ପାୱାରପ୍ଲେରେ ଚେନ୍ନାଇର ସ୍କୋର୍ ବିନା ୱିକେଟ୍ରେ ୪୦ ରନ୍ ଥିଲା । ଧୀରେ ଧୀରେ ରନ୍ଗତି ବଢ଼ିଲା । ଋତୁରାଜ ଉମରାନ ମଲିକଙ୍କ ଓଭର୍ରେ ଦୁଇଟି ଛକା ମାରି ୩୩ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ୧୧ତମ ଓଭର୍ରେ ଏଡେନ୍ ମାର୍କରାମଙ୍କ ବଲ୍ରେ ଦୁଇଟି ଛକା ମାରି ସେ ଇନିଂସ୍କୁ ୧୦୦ ଅତିକ୍ରମ କରାଇଥିଲେ । କନୱେ ୧୫ତମ ଓଭର୍ରେ ମାର୍କୋ ଜାନ୍ସନ୍ଙ୍କ ବଲ୍ରେ ଛକା ଲଗାଇ ୩୯ ବଲ୍ରୁ ଆଇପିଏଲ୍ରେ କ୍ୟାରିଅରର ପ୍ରଥମ ଅର୍ଦ୍ଧଶତକ ପୂରଣ କରିଥିଲେ । ଟି. ନଟରାଜନ୍ଙ୍କ ବଲ୍ରେ ଋତୁରାଜ ଏକ ସହଜ କ୍ୟାଚ୍ ଦେଇ ନର୍ଭସ ନାଇଣ୍ଟିଜ୍ର ଶିକାର ହୋଇଥିଲେ । ଧୋନି (୮) ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ; ହେଲେ ନଟରାଜନ୍ଙ୍କ ବଲ୍ରେ ସଅଳ ପାଭିଲିଅନ୍ ଫେରିଥିଲେ । ରବୀନ୍ଦ୍ର ଜାଡ଼େଜା ୧ ରନ୍ କରି କନୱେଙ୍କ ସହ ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *