ବାଜିଲା ବ୍ରଜରାଜନଗର ବିଗୁଲ

ଭୁବନେଶ୍ୱର,୨ା୫(ବୁ୍ୟରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ବିଜେଡି ବିଧାୟକ କିଶୋର ଚନ୍ଦ୍ର ମହାନ୍ତିଙ୍କ ପରଲୋକ ପରଠୁ ଖାଲି ପଡ଼ିଥିବା ଏହି ବିଧାନସଭା ଆସନରେ ଉପନିର୍ବାଚନ ହେବ । ମେ’ ୩୧ ତାରିଖରେ ଏଠାରେ ପଡ଼ିବ ଭୋଟ୍‌ । ଭାରତୀୟ ନିର୍ବାଚନ କମିଶନ ଏନେଇ ଘୋଷଣା କରିଛନ୍ତି । ଏଥିସହିତ ଝାରସୁଗୁଡ଼ା ଜିଲ୍ଲାରେ ଲାଗୁ ହୋଇଛି ନିର୍ବାଚନ ଆଚରଣ ବିଧି ।
ମିଳିଥିବା ସୂଚନା ଅନୁଯାୟୀ, ବ୍ରଜରାଜନଗର ଉପନିର୍ବାଚନ ପାଇଁ ମେ’ ୪ ତାରିଖରେ ପ୍ରକାଶ ପାଇବ ଗେଜେଟ୍ ବିଜ୍ଞପ୍ତି । ମେ’ ୧୧ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ । ମେ’ ୧୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଚାହିଁଲେ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ । ଏହା ପରେ ମେ’ ୩୧ରେ ଭୋଟ୍‌ ଗ୍ରହଣ କରାଯିବ । ଜୁନ୍‌ ୩ରେ ଭୋଟ୍‌ ଗଣତି ହେବ ।
ଏହି ଉପନିର୍ବାଚନରେ ଇଭିଏମ୍‌ ଓ ଭିଭିପାଟ୍‌ ଉପଯୋଗ କରାଯିବ । ଆବଶ୍ୟକ ସଂଖ୍ୟକ ଇଭିଏମ୍‌ ଓ ଭିଭିପାଟ୍‌ ଉପଲବ୍ଧ କରାଯାଇଥିବା ନିର୍ବାଚନ କମିଶନ କହିବା ସହ ୨୦୨୨ ଜାନୁଆରୀ ପହିଲା ସୁଦ୍ଧା ନିର୍ବାଚନମଣ୍ଡଳୀରେ ଜାରି ହୋଇଥିବା ଭୋଟର ତାଲିକା ହିଁ ଉପନିର୍ବାଚନରେ ଉପଯୋଗ ହେବ । ଏହାସହିତ ପ୍ରାର୍ଥୀଙ୍କୁ ଅତିକମ୍ରେ ୩ ଥର ନିଜର ଅପରାଧିକ କାର୍ଯ୍ୟକଳାପ ସମ୍ପର୍କିତ ତଥ୍ୟ ବିଜ୍ଞାପନ ମାଧ୍ୟମରେ ଭୋଟରଙ୍କୁ ଅବଗତ କରାଇବାକୁ ପଡ଼ିବ ।
ବ୍ରଜରାଜନଗର ଉପନିର୍ବାଚନ ଲଢ଼ିବା ପାଇଁ ସ୍ୱର୍ଗତ କିଶାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ଆଶାୟୀ ଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ମଧ୍ୟ ବିଜେଡି ତରଫରୁ ଟିକେଟ୍‌ ପାଇଁ ଆଶା ରଖିଥିବା ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ, ଗତ ଡିସେମ୍ବର ୩୦ ତାରିଖରେ ହୃଦ୍ଘାତ ଯୋଗୁ ବିଧାୟକ କିଶୋର ମହାନ୍ତିଙ୍କର ପରଲୋକ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *