ପଟାଦାର ଗିରଫ, ତହସିଲଦାର ଫେରାର

ଏନ୍ଜିଟିର ଛାଟ ପରେ ଫିଟିଲା ଗୁମର
ବେତନଟୀ (ଆପ୍ର): ବଡ଼ସାହି ତହସିଲ୍ ଅଧୀନ ଆରପଟା ଓ ଡିଙ୍ଗିରା ବାଲିଘାଟରୁ କୋଟିକୋଟି ଟଙ୍କାର ବେଆଇନ ବାଲି ଚାଲାଣ ଅଭିଯୋଗରେ ବଡ଼ସାହି ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କ ନେତୃତ୍ୱରେ ପୁଲିସ ଟିମ୍ ବେତନଟୀ ବ୍ଲକ୍ ଡାହିସାହିର ପଟାଦାର ପ୍ରଦୀପ କୁମାର ବିନ୍ଧାଣୀ (୪୫)ଙ୍କୁ ଗିରଫ କରିଛି । ତାଙ୍କୁ ରବିବାର ସନ୍ଧ୍ୟାରେ ବେତନଟୀ ଜେଏମ୍ଏଫ୍ସି ଏ. ଅବିନାଶ ନାଇଡୁଙ୍କ ଇଜଲାସରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ୍ତାଙ୍କୁ ୧୪ ଦିନ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ ଏହି କାରବାରରେ ଜଡ଼ିତ ଥିବା ବଡ଼ସାହି ତହସିଲଦାର ରବିବାର ସକାଳେ କାର୍ଯ୍ୟାଳୟକୁ ଆସି କେତେକ ଦସ୍ତାବିଜ ନେଇ ଭୁବନେଶ୍ୱର ଯାଉଥିବା କହି ଫେରାର ହୋଇଯାଇଛନ୍ତି । ତେବେ ତହସିଲଦାରଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି ।
ଏନ୍ଜିଟି ନିଦେ୍ର୍ଦଶକ୍ରମେ ବାରିପଦା ସହକାରୀ ଜିଲ୍ଲାପାଳ ଗୀତା ମୁର୍ମୁ ପ୍ରଦୀପ ବିନ୍ଧାଣୀଙ୍କ ନାମରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ତହସିଲଦାର ମମତାଜ ମହାରଣା ପ୍ରଦୀପଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଥିବାରୁ ରାଜକୋଷକୁ ୧୭ କୋଟି ୩ ଲକ୍ଷ ୧୬ ହଜାର ୨୭୨ ଟଙ୍କା କ୍ଷତି ହୋଇଛି ବୋଲି ଏତଲାରେ ଦର୍ଶାଯାଇଛି । ଆରପଟା ଓ ଡିଙ୍ଗିରା ପାଇଁ ଦୁଇଟି ଭିନ୍ନଭିନ୍ନ ଅଭିଯୋଗ କରିଛନ୍ତି ସହକାରୀ ଜିଲ୍ଲାପାଳ ଗୀତା ମୁର୍ମୁ । ଅଭିଯୋଗ କ୍ରମେ ବଡ଼ସାହି ଥାନାରେ ପଟାଦାର ପ୍ରଦୀପ, ତହସିଲଦାର ମମତାଜଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ଆରପଟା ଓ ଡିଙ୍ଗିରା ବାଲି ଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ ନେଇ ଜଣେ ଆଦିବାସୀ ଯୁବକ ରାଧାମୋହନ ସିଂ ଏନ୍ଜିଟି ପୂର୍ବ ଜୋନର ଦ୍ୱାରସ୍ଥ ହୋଇଥିଲେ । ଏହା ଉପରେ ଶୁଣାଣି ଚାଲିଥିଲା । ଏକ ଚାରିଜଣିଆ ଟିମ୍ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ । ଏହି ରିପୋର୍ଟ ଭିତ୍ତିରେ ୨୨ ଏପି୍ରଲରେ ଶୁଣାଣି କରାଯାଇ ଉଭୟ ପଟାଦାର ଓ ବଡସାହି ତହସିଲଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏନ୍ଜିଟି ନିଦେ୍ର୍ଦଶ ଦେଇଥିଲେ । ଆସନ୍ତା ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *