୩ ବର୍ଷରେ ହଜାରେ ଜଳଧାରକ ନିର୍ମାଣ ଲକ୍ଷ୍ୟ

ଭୁବନେଶ୍ୱର (ବୁ୍ୟରୋ): ପୋଲ-ତଥା-ଜଳଧାରକ (ବ୍ରିଜ୍-କମ୍-ୱାଟର ଓୟାର) ନିର୍ମାଣ କୌଶଳକୁ ରାଜ୍ୟର ସବୁ ଜିଲ୍ଲାରେ ବ୍ୟାପକ ଭାବେ ପ୍ରୟୋଗ କରିବା ପାଇଁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିଦେ୍ର୍ଦଶ ଦେଇଛନ୍ତି । ଏହି ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ଉକ୍ତ ବୈଷୟିକ କୌଶଳର କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ପ୍ରଶାସନିକ ଓ ଆର୍ଥିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।
ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ସ୍ୱଳ୍ପ-ଖର୍ଚ୍ଚ ଭିତ୍ତିକ ଏହି ସବୁ ନିର୍ମାଣର ବହୁମୁଖୀ ସୁଫଳ ରହିଛି । ୧ ରୁ ୨ କି.ମି. ଦୀର୍ଘ ପର୍ଯ୍ୟନ୍ତ ନଦୀ ଶଯ୍ୟାରେ ଜଳ ପତ୍ତନ ଅଧିକ ରହିଥାଏ । ଏହା ଭୂତଳ ଜଳ ପ୍ରତିପୂରଣରେ ସହାୟକ ହୁଏ । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଥିଲେ ଯେ ବ୍ରିଜ-କମ-ୱାଟର ଓୟାର ନିର୍ମାଣ ନଦୀର ସାଧାରଣ ଜଳପ୍ରବାହ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଏ ନାହିଁ । ଏ ପ୍ରକାର ନିର୍ମାଣ ନିମନ୍ତେ ଯୋଗ୍ୟ ସମସ୍ତ ଗ୍ରାମ ଉନ୍ନୟନ ରାସ୍ତା ଓ ପୂର୍ତ୍ତ ବିଭାଗ ରାସ୍ତାରେ ଥିବା ପୋଲଗୁଡିକୁ ଚିହ୍ନଟ କରିବା ପାଇଁ ଶ୍ରୀ ମହାପାତ୍ର ପୂର୍ତ୍ତ ବିଭାଗଙ୍କୁ ନିଦେ୍ର୍ଦଶ ଦେଇଥିଲେ । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି କାର୍ଯ୍ୟ ସାରିବା ପାଇଁ ଏକ ୩-ବର୍ଷିଆ କାର୍ଯ୍ୟ-ଯୋଜନା ପ୍ରସ୍ତୁତି ନିମନ୍ତେ ନିଦେ୍ର୍ଦଶ ଦେଇଥିଲେ । ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରାୟ ୧୦୦୦ ଟି ଏହିପରି ଜଳଧାରକ ନିର୍ମାଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।
ପ୍ରମୁଖ ସଚିବ ଶ୍ରୀ ଯାଦବ ଜଣାଇଥିଲେ ଯେ ପରୀକ୍ଷାମୂଳକ ଭିତ୍ତିରେ ୪୯ଟି ନିର୍ମାଣ ହାତକୁ ନିଆଯାଇଥିଲା । ଏଥିରୁ ୧୨ଟିର ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି । ନିର୍ମାଣାଧୀନ ୩୭ଟି ଜଳଧାରକ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ କୁହାଯାଇଛି । ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ମନୋରଂଜନ ମିଶ୍ର କହିଥିଲେ ଯେ ଢ଼େଙ୍କାନାଳ, କଳାହାଣ୍ଡି, ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ନଦୀ ଓ ନାଳ ଉପରେ ଥିବା ହାଇ ଲେଭେଲ୍ ପୋଲ ତଳେ ଏପରି ୧୨ ଟି ୱାଟର-ଓୟାର ନିର୍ମାଣ କରାଯାଇଛି । ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, ଗଞ୍ଜାମ, କେନ୍ଦୁଝର, କଳାହାଣ୍ଡି, ବଲାଙ୍ଗିର ଏବଂ ସୁନ୍ଦରଗଡ ଆଦି ଜିଲ୍ଲାରେ ଅବଶିଷ୍ଟ ୩୭ ଟି ୱାଟର-ଓୟାର ନିର୍ମାଣ କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *