ନିକୋଲାଇ ହେବେ ରୁଷ୍ର ଅସ୍ଥାୟୀ ରାଷ୍ଟ୍ରପତି!
ମସ୍କୋ, ୨ା୫: ୟୁକ୍ରେନ୍ ସହ ଯୁଦ୍ଧ ଜାରି ରହିଥିବାବେଳେ ଖବର ଆସିଛି ଯେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ସ୍ୱାସ୍ଥ୍ୟଗତ କାରଣରୁ କିଛି ଦିନ ଛୁଟିରେ ରହିବେ ଏବଂ ତାଙ୍କ ସ୍ଥାନରେ କେହି ଜଣେ ଅସ୍ଥାୟୀ ଭାବେ ରାଷ୍ଟ୍ରପତି ଦାୟିତ୍ୱ ତୁଲାଇବେ । ଯେତେ ଦୂର ସମ୍ଭବ, ପୁତିନ୍ଙ୍କ ଅନୁପସ୍ଥିତିରେ ଦେଶର ସୁରକ୍ଷା ପରିଷଦ ମୁଖ୍ୟ ତଥା ଗୋଇନ୍ଦା ଏଜେନ୍ସି ଏଫ୍ଏସ୍ବିର ପୂର୍ବତନ ମୁଖ୍ୟ ନିକୋଲାଇ ପେତ୍ରୁଶେବଙ୍କୁ ଅସ୍ଥାୟୀ ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯିବ । ପେତ୍ରୁଶେବ ପୁତିନ୍ଙ୍କ ବିଶ୍ୱସ୍ତ ସହକର୍ମୀମାନଙ୍କ ମଧ୍ୟରୁ ଅନ୍ୟତମ । ପୁନଶ୍ଚ, ପେତ୍ରୁଶେବହିଁ ୟୁକ୍ରେନ୍ ଯୁଦ୍ଧ ସମ୍ବନ୍ଧୀୟ ସବୁ ନିଷ୍ପତ୍ତି ନେଇ ଆସୁଛନ୍ତି । ତାଙ୍କରି ପ୍ରରୋଚନାରେ ପୁତିନ୍ ୟୁକ୍ରେନ୍ ଆକ୍ରମଣ ଆଦେଶ ଦେଇଥିଲେ ।
ପେତ୍ରୁଶେବ ପୁତିନ୍ଙ୍କୁ ବୁଝାଇ ଦେଇଥିଲେ ଯେ ୟୁକ୍ରେନ୍ରେ ଏବେ ନବ୍ୟ ନାଜି ଶାସନ ଚାଲିଛି । ସେମାନେ ରୁଷ୍ ବିରୋଧରେ କ୍ରମାଗତ ଷଡଯନ୍ତ୍ର କରି ଆସୁଛନ୍ତି । ପେତ୍ରୁଶେବଙ୍କ ଅପ୍ଟେଡ୍ ପରେ ହିଁ ପୁତିନ୍ ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ ।
ମିଡିଆ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ପୁତିନ୍ କ୍ୟାନ୍ସର ଅପରେସନ୍ ପାଇଁ କିଛି ଦିନ ଛୁଟିରେ ଯିବେ । ୧୮ ମାସ ପୂର୍ବେ ତାଙ୍କ ପେଟରେ କ୍ୟାନ୍ସର ହୋଇଥିବା ଜଣାପଡିଥିଲା । ସେ ମଧ୍ୟ ପାର୍କିନ୍ସନ୍ ରୋଗରେ ପୀଡିତ । ଡାକ୍ତରମାନେ ସର୍ଜରୀ ପରାମର୍ଶ ଦେଇଥିଲେ । କିନ୍ତୁ ଅତ୍ୟଧିକ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସର୍ଜରୀକୁ ସେ ସମୟରେ ସେ ଟାଳି ଦେଇଥିଲେ । ସ୍ୱାସ୍ଥ୍ୟରେ ଅଧିକ ଅବନତି ହେବା ଯୋଗୁଁ ପୁତିନ୍ ସର୍ଜରୀ ପାଇଁ ରାଜି ହୋଇଛନ୍ତି । ଆସନ୍ତା ୯ତାରିଖ ଦିନ ବିଜୟ ଦିବସ ପରେଡ୍ରେ ଯୋଗଦେବା ପରେ ପୁତିନଙ୍କ କ୍ୟାନ୍ସର ଅପରେସନ୍ କରାଯିବ ।