ଗୋଟିଏ ଦିନରେ ୩ରୁ ୪ଟି ଘରେ ବୁଲାଉଥିଲେ କଳାକନା
ଲୁଟ୍ ପୂର୍ବରୁ ପ୍ରସ୍ତୁତ ହେଉଥିଲା ବ୍ଲୁପ୍ରିଣ୍ଟ
କଟକ (ବୁ୍ୟରୋ): ଲୁଟ୍ ପାଇଁ ପ୍ରସ୍ତୁତ କରୁଥିଲେ ବ୍ଲୁ ପ୍ରିଣ୍ଟ । ଏଥିପାଇଁ ଜନଗହଳି ପୂର୍ଣ୍ଣ ଅଞ୍ଚଳକୁ ବାଛୁଥିବାବେଳେ ପୂର୍ବରୁ କରୁଥିଲେ ରେକି । କେଉଁ ଘରେ ତାଲା ଝୁଲୁଛି, କେଉଁ ଘରେ ଲୋକେ ଶୋଉଛନ୍ତି ସେ ସବୁ ବିଷୟରେ ସଂଗ୍ରହ କରୁଥିଲେ ଅପ୍ଡେଟ ଡାଟା । ଏହାପରେ ରାତି ଅଧରେ ଆରମ୍ଭ କରୁଥିଲେ ନିଜର ଅପରେସନ । ପୂର୍ବରୁ ଟାର୍ଗେଟ କରୁଥିବା ଘର କବାଟ, ଝରକା ତାଡ଼ି ଲୁଟି ନେଉଥିଲେ ସୁନା, ରୂପା ସହ ଲକ୍ଷାଧିକ ଟଙ୍କା । ଏପରିକି ଗୋଟିଏ ରାତିରେ ୩ରୁ ୪ଟି ଘରେ କଳାକନା ବୁଲାଉଥିଲେ । ଏଭଳି ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ । ଏହି ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ୨ ଜଣ ଫେରାର ଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ । ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ାର ଏସ୍କେ ମୁନା ଓରଫ ଲୋକା (୩୫), ସାଜିଦ୍ ଖାନ୍ (୨୪), ପ୍ରଫୁଲ୍ଲ କୁମାର ଜେନା (୪୮) ଓ ଗୁଲାମ ଖାନ (୨୮) । ସେମାନଙ୍କ ନିକଟରୁ ପୁଲିସ ୧୫୭.୨୫୦ ଗ୍ରାମ ସୁନା, ୧୭୦ ଗ୍ରାମ ରୂପା, ୨ଟି ମୋବାଇଲ ଓ ଗୋଟିଏ ବୋଲେରୋ ଗାଡ଼ି ଜବତ କରିଛି । ସୂଚନାଯୋଗ୍ୟ,ଗତ ମାର୍ଚ୍ଚ ୯ ତାରିଖରେ ଚହଟା ଲେନରେ ସୁବାସ ଚନ୍ଦ୍ର ଦାସଙ୍କ ଘରେ ପ୍ରାୟ ୧୨୦ ଗ୍ରାମ ସୁନା ଅଳଙ୍କାର ସମେତ ଲକ୍ଷେ ଟଙ୍କା ଚୋରି ହୋଇଯାଇଥିଲା । ଏନେଇ ସେ ବିଡ଼ାନାସୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଥିଲା । ବିଡ଼ାନାସୀରେ ପାଖାପାଖି ୧୦ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି କରିଥିବା ନେଇ ଅଭିଯୁକ୍ତ ସ୍ୱୀକାର କରିଥିବା ଡିସିପି ଶ୍ରୀ ସିଂ ସୂଚନା ଦେଇଛନ୍ତି । ଏପରିକି ଚୌଦ୍ୱାରରେ ଏହି ଗ୍ୟାଙ୍ଗ ଏଭଳି ଲୁଟ କରିଥିବା ନେଇ ତଦନ୍ତରେ ଜଣାପଡ଼ିଛି ।ଲୁଟେରା ଗ୍ୟାଙ୍ଗ ମୁଖ୍ୟତଃ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପାରଦୀପ, ଯାଜପୁର ସମେତ ଏକାଧିକ ଜିଲ୍ଲାରେ ନିଜର ଅପରାଧିକ ସାମ୍ରାଜ୍ୟକୁ ସକ୍ରିୟ କରିଛନ୍ତି । ଏହି ଲୁଟେରାମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଏହି ଗ୍ୟାଙ୍ଗର ଅନ୍ୟମାନେ ସଦସ୍ୟ ଫେରାର ଥିବାବେଳେ ସେମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଥିବା ନେଇ ଡ଼ିସିପି ଶ୍ରୀ ସିଂ କହିଛନ୍ତି ।