ପରିବା ବ୍ୟବସାୟୀଙ୍କ ସମସ୍ୟା ବୁଝିଲେ ମେୟର ଓ ଡେପୁଟି ମେୟର

ବ୍ରହ୍ମପୁର (ବୁ୍ୟରୋ): କିଛିଦିନ ତଳେ କମାପଲ୍ଲୀ ମର୍ଦ୍ଦରାଜ ଭେଣ୍ଡିଂ ଜୋନ୍ ବାହାରେ ତଥା ରାସ୍ତାର ଦୁଇପାଶ୍ୱର୍ରେ ବସି ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ରାସ୍ତାକଡରୁ ହଟାଯାଇଥିଲା । ବିଏମ୍ସିର ଏଭଳି ପଦକ୍ଷେପକୁ ବ୍ୟବସାୟୀମାନେ ପ୍ରତିବାଦ କରି କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ । ଭେଣ୍ଡିଂ ଜୋନ୍ର ପାର୍କିଂ ସ୍ଥାନରେ ବ୍ୟବସାୟ କରିବା ପାଇଁ ଅନୁମତି ଦେବାକୁ ବ୍ୟବସାୟୀମାନେ କମିଶନରଙ୍କୁ ନିବେଦନ କରିଥିଲେ । କମିଶନର ବ୍ୟବସାୟୀଙ୍କ ଅନୁରୋଧକୁ ରକ୍ଷାକରି ଭେଣ୍ଡିଂ ଜୋନ୍ର ପାର୍କିଂସ୍ଥଳରେ ବ୍ୟବସାୟ କରିବା ପାଇଁ ଅନୁମତି ଦେଇଥିଲେ । ତେବେ ପୂର୍ବରୁ ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା ହେବା ଠାରୁ ଯେଉଁ ବ୍ୟବସାୟୀଙ୍କୁ ପିଣ୍ଡି ମିଳିଥିଲା ସେମାନେ ପିଣ୍ଡିର ବ୍ୟବସାୟ ନ କରି ରାସ୍ତା କଡ଼ରେ ବ୍ୟବସାୟ କରି ଆସୁଥିଲେ ।
ଏହି ଅଭିଯୋଗ ପାଇବା ପରେ ସେମାନଙ୍କ ସହ ଆଲୋଚନାକରି ପୁଣି ନିଜର ପିଣ୍ଡିକୁ ଯାଇ ବ୍ୟବସାୟ କରିବା ପାଇଁ ମେୟର ସଂଘମିତ୍ରା ଦଳେଇ ଓ ଡେପୁଟି ମେୟର ଇ.ବିବେକ ରେଡ୍ଡି ବ୍ୟବସାୟୀଙ୍କୁ କହିଛନ୍ତି । ଆସନ୍ତା ୨ଦିନ ଭିତରେ ଯେଉଁମାନଙ୍କୁ ନିଗମ ପକ୍ଷରୁ ପିଣ୍ଡି ପ୍ରଦାନ କରାଯାଇଛି ସେମାନଙ୍କ ତାଲିକା ପ୍ରସ୍ତୁତ କରାଯିବ । ଯେଉଁମାନେ ନିଗମର ନୀତି ନିୟମକୁ ନ ମାନି ପିଣ୍ଡିରେ ବସିବେନି ସେମାନଙ୍କ ସ୍ଥାନରେ ଅନ୍ୟ ବ୍ୟବସାୟୀଙ୍କୁ ଥଇଥାନ କରାଯିବ ବୋଲି ମେୟର କହିଛନ୍ତି । ସେପଟେ ପାର୍କିଂ ସ୍ଥଳରେ ସହର ସୀମାନ୍ତ ଅଞ୍ଚଳରୁ ଆସୁଥିବା ପରିବା ବ୍ୟବସାୟୀଙ୍କୁ ସବୁଦିନିଆ ବ୍ୟବସାୟ କରିବା ପାଇଁ ମର୍ଦ୍ଦରାଜ ଭେଣ୍ଡିଂ ଜୋନ୍ ଓ ମାଛ ବଜାର ମଧ୍ୟସ୍ଥଳରେ ଥିବା ଖାଲି ଜାଗାକୁ ପରିଷ୍କାର କରାଯାଇ ଆସନ୍ତା ୭ଦିନ ମଧ୍ୟରେ ବ୍ୟବସାୟୀଙ୍କୁ ସେଠାରେ ବସିବା ପାଇଁ ଅନୁମତି ଦିଆଯିବ ବୋଲି ମେୟର କହିଛନ୍ତି । ମେୟର ଓ ଡେପୁଟି ମେୟରଙ୍କ ଗସ୍ତ ବେଳେ ସ୍ଥାନୀୟ କର୍ପୋରେଟର ବି. ପୁଷ୍ପାବତୀ, ପୂର୍ବତନ କର୍ପୋରେଟର ବି.ଶ୍ରୀନିବାସ ରାଓଙ୍କ ସମେତ ନିଗମର ଏନ୍ଫୋର୍ସମେଣ୍ଟ ଅଫିସ୍ର ତରୁଣକାନ୍ତ ଓ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *