ପ୍ରାର୍ଥୀ ଦେଖି ସମର୍ଥନ ନିଷ୍ପତ୍ତି
ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ନବୀନଙ୍କ ମତ
ଭୁବନେଶ୍ୱର,୩ଠା୪(ବୁ୍ୟରୋ): ଆଗକୁ ରାଷ୍ଟ୍ରପତି ନିର୍ବାଚନ । ବିଜେଡି ଏଥର ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ, ତାକୁ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ଜାତୀୟ ଗଣମାଧ୍ୟମ ଏନ୍ଡିଟିଭିକୁ ନବୀନ ଏକ ସ୍ୱତନ୍ତ୍ର ସାକ୍ଷାତ୍କାର ଦେବା ଅବସରରେ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ତାଙ୍କର ମତ ରଖିଛନ୍ତି । ସେ କହିଛନ୍ତି, ରାଷ୍ଟ୍ରପତି ପଦ ପାଇଁ କେଉଁ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଉଛି, ତାକୁ ଦେଖି ତାଙ୍କ ଦଳ ସମର୍ଥନ ଦେବା ନେଇ ନିଷ୍ପତ୍ତି ନେବ । ଆଗ ଦେଖିବା କିଏ ପ୍ରାର୍ଥୀ ହେଉଛି, ତାହା ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ବିଜେଡି ସବୁବେଳେ ସ୍ୱାଧୀନ ନିଷ୍ପତ୍ତିକୁ ପସନ୍ଦ କରିଆସିଛି ଏବଂ ଏହାକୁ ବଜାୟ ରଖିବ ବୋଲି ମଧ୍ୟ ନବୀନ ସ୍ପଷ୍ଟ କରିଛନ୍ତି ।
ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମ୍ଭାବ୍ୟ ତୃତୀୟ ସାମ୍ମୁଖ୍ୟ ପ୍ରସଙ୍ଗରେ କହିଛନ୍ତି, ବିଜେଡି ଉଭୟ ଏନ୍ଡିଏ ଏବଂ ୟୁପିଏ ଠାରୁ ସମଦୂରତ୍ୱ ବଜାୟ ରଖିବ ।
୨ଠ୨୪ ଲୋକସଭା ନିର୍ବାଚନକୁ ଆହୁରି ଦୁଇବର୍ଷ ବାକି ଥିବାବେଳେ ଏବେଠାରୁ ଏକ ଅଣ-କଂଗ୍ରେସ, ଅଣ-ବିଜେପି ୩ୟ ସାମ୍ମୁଖ୍ୟ ଗଠନ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ତେବେ ବିଜେଡି କାହା ସହ ରହିବ, ତାହା ମଧ୍ୟ ବେଶ୍ ଗୁରୁତ୍ୱ ବହନ କରୁଛି । ଏପରିସ୍ଥିତିରେ ନବୀନ କହିଛନ୍ତି ଯେ ଏଥିପାଇଁ ବହୁ ସମୟ ବାକି ଅଛି । ଦଳ ସବୁବେଳେ ଏନଡିଏକୁ ସମର୍ଥନ ଦେଇନି । ଦଳ ସବୁବେଳେ ନିଜର ସ୍ୱାଧୀନତା ଓ ସ୍ୱତନ୍ତ୍ରତା ବଜାୟ ରଖିଛି, ରଖିବ । ଅନ୍ୟପକ୍ଷରେ ରାଷ୍ଟ୍ରପତି ନିର୍ବାଚନରେ ଦଳ ପ୍ରାର୍ଥୀ ଦେଖି ସମର୍ଥନ କରିବ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ୨ଠ୧୭ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନ୍ଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଦେଇଥିଲା । ଏଥର ରାଷ୍ଟ୍ରପତି ନିର୍ବାଚନରେ ବି ଏନ୍ଡିଏ ପାଇଁ ବିଜେଡି ସମର୍ଥନ ଜରୁରୀ ହୋଇପଡ଼ିଛି । କାରଣ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଏନ୍ଡିଏ ପାଖରେ ଏବେ ବି ୧.୨ ପ୍ରତିଶତ ଭୋଟ୍ କମ୍ ରହିଛି । ଉଭୟ ରାଜ୍ୟସଭା ଓ ଲୋକସଭାରେ ବିଜେଡିର ମୋଟ୍ ୨୧ ଜଣ ସାଂସଦ ଥିବାବେଳେ ବିଜେଡି ପାଖରେ ଇଲେକ୍ଟୋରାଲ କଲେଜର ମୋଟ୍ ୩.୨୨ ପ୍ରତିଶତ ଭୋଟ୍ ରହିଛି ।