ବେଳାଭୂମି ଓ ସହର ପ୍ରବେଶ ପଥରେ ଚେକିଂ ଜୋର୍ଦାର୍
ଆକ୍ସନ୍ ମୋଡ୍ରେ ପୁଲିସ୍
ପୁରୀ (ବୁ୍ୟରୋ): ସହରକୁ ନିଶା ଓ ଅପରାଧ ମୁକ୍ତ କରିବା ଲାଗି ପୁରୀ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ପ୍ରତ୍ୟେକ ଦିନ ପୁଲିସ ପକ୍ଷରୁ ସହରର ବିଭିନ୍ନ ଥାନା ଅଞ୍ଚଳରୁ ନିଶା ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଦାଦାବଟି ଆଦାୟ କରୁଥିବା ଦୁର୍ବୃତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ ଜାରି ରହିଛି । ଏହା ସତ୍ତ୍ୱେ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବା ଲାଗି ସହରର ବିଭିନ୍ନ ଛକରେ ପୁଲିସ ମୁତୟନ କରାଯାଇଛି । ଅନ୍ୟପକ୍ଷରେ ବେଳାଭୂମି ମାର୍ଗରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କିଭଳି ରାସ୍ତା ଜାମ୍ ନ ହେବ ତାହା ଉପରେ ରୋକ ଲଗାଯାଇଛି । ବେଳାଭୂମି ମାର୍ଗରେ କୌଣସି ଏକ କାର୍କୁ ବେଆଇନ୍ ଭାବେ ପାର୍କିଂ କଲେ ତାହାକୁ ପୁଲିସ କ୍ରେନ୍ ସାହାଯ୍ୟରେ ଉଠାଇ ଆଣି ଜବତ କରୁଛି । ତତ୍ ସହିତ ପୁରୀ ସହରକୁ ସଂଯୋଗ କରୁଥିବା ମୁଖ୍ୟ ପ୍ରବେଶ ପଥ ତଥା ଭୂଦାନ ଛକ, ବୀରହରେକୃଷ୍ଣପୁର ଛକ, ମଙ୍ଗଳାଘାଟ ଛକ ଓ ବଳିଆପଣ୍ଡା ଛକରେ ପୁଲିସ ପକ୍ଷରୁ ଗାଡ଼ି ଚେକିଂ ଜୋରଦାର କରାଯାଉଛି ।