ବଢ଼ିଲା ବାତ୍ୟା ଭୟ

ଭୁବନେଶ୍ୱର,୩ଠା୪(ବୁ୍ୟରୋ): ପୁଣି ମେ’ ମାସରେ ଆସୁଛି ବାତ୍ୟା । ଖରାଦିନିଆ ବାତ୍ୟା ଆଶଙ୍କାକୁ ନେଇ ଏବେ ଉପକୂଳ ଓଡ଼ିଶାରେ ଭୟ ବଢ଼ିଛି । ଏପର୍ଯ୍ୟନ୍ତ ବାତ୍ୟାର ସ୍ପଷ୍ଟ ଚିତ୍ର ଆସିନଥିଲେ ବି ଛନକା ପଶିଛି । କେତେକ ମଡେଲ ବାତ୍ୟା ସୃଷ୍ଟି ହେବା ନେଇ ଆକଳନ କରିଥିବାବେଳେ ଆଇଏମ୍ଡି ମଧ୍ୟ ଏହି ସମ୍ଭାବନାକୁ ଏଡ଼ାଇ ନାହିଁ ।
ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍ଡି ଡିଜି ଡ. ମୃତୁ୍ୟଞ୍ଜୟ ମହାପାତ୍ର ସ୍ପଷ୍ଟ କରି କହିଛନ୍ତି, ମେ’ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ତା’ର ତୀବ୍ରତା ଅଧିକ ରହିଥାଏ । ତେଣୁ ବାତ୍ୟା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବନି ।
ଡ. ମହାପାତ୍ର କହିଛନ୍ତି, କାଳବୈଶାଖୀ ଯୋଗୁ ଏଥର ମେ’ ମାସରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ କମ୍ ରହିବ । ତେବେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ । ମେ’ରେ ସାଧାରଣତଃ ଯେତିକି ବର୍ଷା ହୋଇଥାଏ, ଏଥର ତା’ଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି । ସମ୍ଭାବ୍ୟ ବାତ୍ୟା ନେଇ ସେ କହିଛନ୍ତି, ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ମେ’ ୬ ତାରିଖ ପାଖାପାଖି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ବର୍ତ୍ତମାନ ପାଇଁ ଆମେ କୌଣସି ପୂର୍ବାନୁମାନ ଦେଇ ନାହୁଁ ଯେ ଏହା କେଉଁ ଉପକୂଳକୁ ଯିବ ଓ କେତେ ତୀବ୍ରତର ହେବ ।
ଯେତେବେଳେ ଏହି ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେବ, ସେତେବେଳେ ଏହାର ଗତିପଥ ଓ ତୀବ୍ରତା ବିଷୟରେ ସୂଚନା ପ୍ରଦାନ କରାଯିବ । ଭାରତ ମହାସାଗରରେ ବାତ୍ୟା ସାଧାରଣତଃ ଦୁଇଟି ସିଜିନରେ ହୋଇଥାଏ । ଗୋଟିଏ ହେଉଛି ପ୍ରାକ୍ ମୌସୁମୀ ଋତୁ (ମାର୍ଚ୍ଚ, ଏପ୍ରିଲ, ମେ ଓ ଜୁନ୍) । ଅର୍ଥାତ ମୌସୁମୀ ଆସିବା ପୂର୍ବରୁ । ଆଉ ଗୋଟିଏ ହେଉଛି- ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର । ପ୍ରାକ୍ ମୌସୁମୀ ଋତୁରେ ମେ’ରେ ସବୁଠୁ ଅଧିକ ବାତ୍ୟା ହୋଇଥାଏ । ସେହିପରି ମୌସୁମୀ ବାୟୁ ଚାଲିଯିବା ପରେ ନଭେମ୍ବର ମାସରେ ଅଧିକ ବାତ୍ୟା ହୋଇଥାଏ । ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସରେ ତିନି/ଚାରିଟି ବାତ୍ୟା ହୋଇଥାଏ । ସେହିଭଳି ଗୋଟିଏ/ଦୁଇଟି ବାତ୍ୟା ଏପ୍ରିଲ, ମେ’ ଓ ଜୁନ୍ ମାସ ମଧ୍ୟରେ ଆସିଥାଏ । ତେଣୁ ମେ’ରେ ବାତ୍ୟା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରକୁ ନେଇ ଆମେ ନିରବଚ୍ଛିନ୍ନ ଭାବେ ଆକଳନ ଜାରି ରଖିଛୁ । ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଯାଇ ପରବର୍ତ୍ତୀ ଆକଳନ କରାଯାଇପାରିବ ।
ଅନ୍ୟପକ୍ଷରେ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଶନିବାର ରାଜ୍ୟର ଉପକୂଳରେ ତାପମାତ୍ରା କମିଥିବା ବେଳେ ଆଭ୍ୟନ୍ତରୀଣରେ ପାରଦ ଉପରମୁହାଁ ରହିଛି । ୨୧ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରଯାଇଛି । ସେଥିରୁ ୩ଟି ସହରରେ ୪୫ଂ ଉପରେ ଓ ୪୪ଂ ଉପରେ ୯ଟି ସହରରେ ତାପମାତ୍ରା ଥିବା ଜଣାପଡ଼ିଛି । ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୫.୫ଂ ସେଲସିୟସ ଥିବା ବେଳେ ବଲାଙ୍ଗୀର ଓ ବୌଦ୍ଧରେ ୪୫ଂ ରେକର୍ଡ କରଯାଇଛି । ତେବେ ଭୁବନେଶ୍ୱରରେ ୩୭.୮ଡିଗ୍ରୀ ଓ କଟକରେ ୩୬.୮ଡିଗ୍ରୀ ରେକର୍ଡ କରାଯାଇଛି । କୃଷି ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଭୁବନେଶ୍ୱର ସମେତ ଉପକୂଳରେ ମେ’ ୨ ପରେ ତାପାମତ୍ରା ପୁଣି କମିବ । ଆସନ୍ତା ୧୦ଦିନ ପର୍ଯ୍ୟନ୍ତ ତାପମାତ୍ରା ୩୬ ଡିଗ୍ରୀ ପାଖାପାଖି ରହିବ । ଆଭ୍ୟନ୍ତରୀଣ ଦକ୍ଷିଣ ଯଥା- ବଲଙ୍ଗୀର, ସୋନପୁର, ଟିଟିଲାଗଡ଼,ବୌଦ୍ଧ, ଅନୁଗୁଳ ଆଦି ସ୍ଥାନରେ ଗରମ ସପ୍ତାହେ ପର୍ଯ୍ୟନ୍ତ ରହିବ । ୩ ଓ ୫ ତାରିଖ ଭିତରେ କାଳବୈଶାଖୀ ହେଲେ ହୁଏତ ସ୍ଥାନେ ସ୍ଥାନେ ପ୍ରାୟ ୨ଂ ସେଲସିୟସ ତାପମାତ୍ରା କମିପାରେ । ତଥାପି ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୨ଂ ଉପରେ ରହିବ । ଉପକୂଳରେ ୪ରୁ ୬ ତାରିଖ ଭିତରେ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ । ତେବେ ରାଜ୍ୟରେ ଗୁଳୁଗୁଳି ଜାରି ରହିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *