ଆଜି ଐତିହ୍ୟ କରିଡର ପ୍ରକଳ୍ପ ଅନୁଧ୍ୟାନ କରିବ ଏଏସ୍ଆଇ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ
ପୁରୀ (ବୁ୍ୟରୋ): ରାଜ୍ୟରେ ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣକୁ ନେଇ ଝଡ଼ ବିବାଦ ଏବେ ଘନେଇବାରେ ଲାଗିଛି । ପ୍ରକଳ୍ପ ନିର୍ମାଣକୁ ନେଇ ବିଭିନ୍ନ ରାଜନୈତିକ ଦଳ ଓ ଅନୁଷ୍ଠାନ ପକ୍ଷରୁ ଭିନ୍ନ ଭିନ୍ନ ମତ ଦେଉଥିବା ବେଳେ ରାଜ୍ୟ ସରକାର ତାହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରୁଛନ୍ତି । ଏପରିକି ଏଏସ୍ଆଇର ବିନା ଅନୁମତିରେ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ନେଇ ଅଭିଯୋଗ ହେବା ପରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ସମସ୍ତଙ୍କ ନଜର ରହିଛି ଏଏସ୍ଆଇ ରିପୋର୍ଟକୁ । ତେଣୁ ରବିବାର ଏଏସ୍ଆଇର ଏକ ପ୍ରତିନିଧି ଦଳ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାଞ୍ଚ ପାଇଁ ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି । ଏହି ସମୟରେ ଏଏସ୍ଆଇର ରିଜିଓନାଲ ଡାଇରେକ୍ଟର ଦିଲ୍ଲୀପ ଖଟେଇ, ସୁପରିଟେଣ୍ଡଣ୍ଟ ଅରୁଣ ମଲ୍ଲିକ, ଆସିଷ୍ଟାଣ୍ଡ ସୁପରିଟେଣ୍ଡଣ୍ଟ ଚିତ୍ତରଞ୍ଜନ ଦାସ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିବେ । ଏହି ସମୟରେ ମଧ୍ୟ ଓବିସିସି ଓ ଟାଟା ପ୍ରୋଜେକ୍ଟର ଅଧିକାରୀମାନେ ଉପସ୍ଥିତ ରହିବେ । ବିଶେଷ ଭାବରେ ନିର୍ମାଣଧୀନ ପ୍ରକଳ୍ପର ଉଚ୍ଚତା ଓ ଗଭୀରତା ସହ ମେଳ ଖାଉଛି କି ନା ହିଁ ମଧ୍ୟ ତାହାକୁ ଯାଞ୍ଚ କରିବ ପ୍ରତିନିଧିଦଳ ।
ଅନୁଧ୍ୟାନ କରିବା ପରେ ଏଏସ୍ଆଇ ଆସନ୍ତା ୭ତାରିଖ ସୁଦ୍ଧା ସତ୍ୟପାଠ ହାଇକୋର୍ଟରେ ଦାଖଲ କରିବା ପାଇଁ ନିଦେ୍ର୍ଦଶ ଥିବା ଜଣାପଡ଼ିଛି । ମେ’୧୬ରେ ଏହାର ଶୁଣାଣି ହାଇକୋର୍ଟରେ ହେବାର ଥିଲା । ହେଲେ କାମ ଚାଲୁଥିବାରୁ ତ୍ୱରିତ ଶୁଣାଣି ପାଇଁ ଗୁହାରୀ କରିଥିଲେ ଆବେଦନକାରୀ । ତେଣୁ ମେ’୯କୁ ଦିନ ଧାର୍ଯ୍ୟ କରାଯାଇଛି । ଏହାପୂର୍ବରୁ ଅର୍ଥାତ୍ ମେ’୭ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିଦେ୍ର୍ଦଶ ରହିଛି । ସେଥିଲାଗି ଏହା ପୂର୍ବରୁ ପ୍ରକଳ୍ପ ଅନୁଧ୍ୟାନ ଲାଗି ପୁରୀ ଟିମ୍ ଆସୁଥିବା ନେଇ ଚର୍ଚ୍ଚା ଜୋର ଧରିଛି ।
ସୂଚନାଥାଉକି, ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାଶ୍ୱର୍କୁ ଐତିହ୍ୟ କରିଡର କରିବା ଲାଗି ସ୍ୱପ୍ନ ଦେଖିଥିଲେ । ଏଥିଲାଗି ମଧ୍ୟ ୮୦୦କୋଟି ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି । ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି । ମାତ୍ର ଏହି ପ୍ରକଳ୍ପ ନିର୍ମାଣ ଲାଗି ଏଏସ୍ଆଇ ବିଭାଗ ଅନୁମତି ଦେଇ ନ ଥିବା ଜଣାପଡ଼ିଛି । ଏହାକୁ ନେଇ ବିବାଦ ଲାଗି ରହିଛି । ଏପରିକି ଶ୍ରୀମନ୍ଦିରର ମେଘନାଦ ପାଚେରି ଠାରୁ ଶହେ ମିଟର ପରିସର ମଧ୍ୟରେ କୌଣସି ବଡ଼ ବଡ଼ ପ୍ରକଳ୍ପ ହୋଇପାରିବ ନାହିଁ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଥିବା ବେଳେ ୭୫ମିଟର ପରିସରରେ ପ୍ରକଳ୍ପ ନିର୍ମାଣ ଜାରି ରହିଛି । ଏହି ନିର୍ମାଣକୁ ଏଏସ୍ଆଇ ପକ୍ଷରୁ ଅନୁମତି ମିଳିଛି କି ନାହିଁ ତାହାକୁ ନେଇ ସଂସଦରେ ଝଡ଼ ସୃଷ୍ଟି ହୋଇଛି । ପ୍ରକଳ୍ପକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏଏସ୍ଆଇ କର୍ତ୍ତୃପକ୍ଷ ମୁହଁ ନ ଖୋଲିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ତେବେ ରବିବାର ଏଏସ୍ଆଇର ବରିଷ୍ଠ ବିଶେଷଜ୍ଞ ଦଳ କ’ଣ ଅନୁଧ୍ୟାନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *