୫୫୫୧ କୋଟିର ସମ୍ପତ୍ତି ଜବତ

ସାଓମୀ ଇଣ୍ଡିଆ ଉପରେ ଇଡି ଚଢ଼ଉ
ନୂଆଦିଲ୍ଲୀ (ଏଜେନ୍ସି): ଚୀନ୍ର ସ୍ମାର୍ଟ ଫୋନ୍ ପ୍ରସ୍ତୁତକାରୀ ମୂଳ କମ୍ପାନୀ ସାଓମୀର ବେଙ୍ଗାଲୁରୁ ସ୍ଥିତ ଭାରତୀୟ ଶାଖା, ସାଓମୀ ଟେକ୍ନୋଲୋଜି ଇଣ୍ଡିଆ ଲିମିଟେଡ୍ ଉପରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ପକ୍ଷରୁ ଶନିବାର ଚଢ଼ଉ କରାଯାଇଛି । କମ୍ପାନୀ କାର୍ଯ୍ୟାଳୟରୁ ଇଡି ଅଧିକାରୀମାନେ ପ୍ରାୟ ୫୫୫୧.୨୭ କୋଟି ଟଙ୍କାର ନଗଦ ଅର୍ଥରାଶି ଜବତ କରିଛନ୍ତି । ଭାରତରେ କରୁଥିବା ବ୍ୟବସାୟ ବାବଦକୁ ରୋଜଗାର ହେଉଥିବା ଅର୍ଥକୁ ବେଆଇନ୍ ଭାବେ ଭାରତ ବାହାରକୁ ପଠାଯାଉଥିବା ନେଇ କମ୍ପାନୀ ବିରୋଧରେ ଅଭିଯୋଗ ହେବା ପରେ ଇଡ଼ି ଏହି ଚଢ଼ଉ କରିଛି । କମ୍ପାନୀ ପକ୍ଷରୁ ଚଳିତ ବର୍ଷ ଫେବ୍ରୁଆରୀରେ ଏହି ଅର୍ଥ ହେରଫେର କରାଯାଇଥିବା ପ୍ରମାଣ ମିଳିଛି । ପ୍ରକାଶ, ଗତ ଦୁଇ ମାସ ଧରି ସାଓମୀ ଇଣ୍ଡିଆ ଏବଂ ଚୀନ୍ରେ ଥିବା ଏହାର ମୂଳ କମ୍ପାନୀ ମଧ୍ୟରେ ରୟାଲଟି ପୈଠ ସହ ଆର୍ଥିକ ହେରଫେର ନେଇ ତଦନ୍ତ ଜାରି ରହିଛି ।
ଇଡି ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଟେକ୍ କମ୍ପାନୀ ପକ୍ଷରୁ ରୟାଲ୍ଟି ଆଳରେ ଏପ୍ରକାର ବେଆଇନ୍ ଭାବେ ଏକ ବଡ଼ ପରିମାଣର ଅର୍ଥ ହେରଫେର କରାଯାଇଛି । ଚୀନ୍ରେ ଥିବା ମୂଳ କମ୍ପାନୀ ନିଦେ୍ର୍ଦଶରେ ଏସବୁ ହୋଇଥିବା ଏପରିକି ଆମେରିକାରେ ଥିବା ସାଓମୀ ଗ୍ରୁପ୍ କମ୍ପାନୀକୁ ମଧ୍ୟ ବିପୁଳ ପରିମାଣର ଅର୍ଥ ସମ୍ପୂର୍ଣ୍ଣ ବେଆଇନ୍ ଭାବେ ପଠାଯାଇଥିବା ଇଡି ଅଧିକାରୀମାନେ ଜାଣିବାକୁ ପାଇଛନ୍ତି । ବିଦେଶୀ ମୁଦ୍ରା ପରିଚାଳନା ଆଇନ୍ (ଫେମା ଆକ୍ଟ୍)-୧୯୯୯ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କେନ୍ଦ୍ରୀୟ ସଂସ୍ଥା ଇଡ଼ି ଦର୍ଶାଇଛି । ତେବେ ଚାଇନିଜ୍ ସ୍ମାର୍ଟଫୋନ କମ୍ପାନୀର ବ୍ୟାଙ୍କ ଖାତାରେ ଥିବା ଏହି ରାଶିକୁ ସିଜ୍ କରାଯାଇଥିବା ଇଡି ଅଧିକାରୀମାନେ ସୂଚନା ଦେଇଛନ୍ତି ।
ରଏଟର୍ସ ଅନୁସାରେ, ଚଳିତ ମାସ ଆରମ୍ଭରେ ସାଓମୀ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଏପ୍ରକାର ବ୍ୟାପକ ଅର୍ଥ ହେରଫେର ହେଉଥିବା ନେଇ ଅଭିଯୋଗ ହେବା ପରେ ଇଡି କମ୍ପାନୀର ପ୍ରାୟ ୩ ପୂର୍ବତନ ଅଧିକାରୀଙ୍କୁ ତଦନ୍ତ ପରିସରକୁ ଆଣିଥିଲା । ପରେ ଏହି ଅଧିକାରୀମାନେ ଇଡି ଅଧିକାରୀଙ୍କ ସମ୍ମୁଖରେ ସବୁ ସତ ଓଗାଳିଦେଇଥିଲେ । ସାଓମୀ କମ୍ପାନୀ ପକ୍ଷରୁ ବିଦେଶର ଯେଉଁ ୩ କମ୍ପାନୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ବଡ଼ ପରିମାଣର ଅର୍ଥ ପଠାଯାଉଥିଲା, ସେମାନଙ୍କ ସହ ସାଓମୀ ଇଣ୍ଡିଆର କୌଣସି ପ୍ରକାର ବ୍ୟବସାୟିକ ସମ୍ପର୍କ ନଥିବା ଏମାନେ ଇଡିକୁ ସୂଚନା ଦେଇଥିଲେ । ପରେ ଏହାର ପ୍ରମାଣ ମଧ୍ୟ ମିଳିଥିଲା । ଅନ୍ୟପକ୍ଷେ ରୟଟର୍ସକୁ ପ୍ରତିକ୍ରିୟା ଦେଇ ସାଓମୀ କହିଛି, କମ୍ପାନୀ ଭାରତର ସବୁ ନିୟମକୁ ପାଳନ କରୁଛି । ଅଧିକାରୀଙ୍କ ତଦନ୍ତରେ କମ୍ପାନୀ ସମ୍ପୂର୍ଣ୍ଣ ସହଯୋଗ କରୁଛି । ତଦନ୍ତକାରୀ ଅଧିକାରୀଙ୍କୁ ଆବଶ୍ୟକୀୟ ସମସ୍ତ ସୂଚନା ପ୍ରଦାନ କରିବାରେ କମ୍ପାନୀ ସହଯୋଗ କରୁଛି । ସୂଚନାଯୋଗ୍ୟ ଇଡ଼ି ପୂର୍ବରୁ ଆୟକର ବିଭାଗ (ଆଇଟି) ପକ୍ଷରୁ ମଧ୍ୟ ସାଓମୀର ଏହି କାର୍ଯ୍ୟାଳୟ ଉପରେ ଚଢ଼ଉ କରାଯାଇସାରିଛି । ଉଲ୍ଲେଖଯୋଗ୍ୟ, ଭାରତୀୟ ସ୍ମାର୍ଟଫୋନ ବଜାରରେ ସାଓମୀର ୨୨% କବ୍ଜା ରହିଛି । ଏହାସହ ୨ଠ୨୧ରେ ଭାରତରେ ସାଓମୀ ଫୋନ ସବୁଠୁ ଅଧିକ ବିକ୍ରି ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *