ଗୁଜରାଟର ଅଷ୍ଟମ ବିଜୟ
ମୁମ୍ବାଇ, ୩୦ା୪ (ଏଜେନ୍ସି): ଗୁଜରାଟ ଟାଇଟନ୍ସ ଶନିବାର ଚଳିତ ଆଇପିଏଲ୍ର ୪୩ତମ ମ୍ୟାଚ୍ରେ ତିନିଟି ବଲ୍ ବାକି ଥାଇ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟ୍ରେ ପରାସ୍ତ କରିଛି । ନଅ ମ୍ୟାଚ୍ରୁ ଅଷ୍ଟମ ବିଜୟ ସହ ଶୀର୍ଷ ସ୍ଥାନରେ ଥିବା ଗୁଜରାଟର ପ୍ଲେ-ଅଫ୍ରେ ପ୍ରବେଶ ଆପାତତଃ ସୁନିଶ୍ଚିତ ହୋଇଛି । ଅନ୍ୟପଟେ, ପଞ୍ଚମ ସ୍ଥାନରେ ଥିବା ବାଙ୍ଗାଲୋରର ଏହା ଦଶ ମ୍ୟାଚ୍ରୁ ପଞ୍ଚମ ପରାଜୟ ।
୧୭୧ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ଗୁଜରାଟ ଟିମ୍ ୧୯.୩ ଓଭର୍ରେ ୪ ୱିକେଟ୍ ହରାଇ ୧୭୪ ରନ୍ କରି ବିଜୟୀ ହୋଇଥିଲା । ରାହୁଲ ତେୱାଟିଆ ଓ ଡେଭିଡ୍ ମିଲର୍ ପୁଣି ଥରେ ଗୁଜରାଟର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେୱାଟିଆ ୨୫ ବଲ୍ରୁ ୪୩ ଏବଂ ମିଲର୍ ୨୪ ବଲ୍ରୁ ୩୯ ରନ୍ର ଅପରାଜିତ ଇନିଂସ୍ ଖେଳିଥିଲେ । ତେୱାଟିଆଙ୍କୁ ‘ପ୍ଲେୟାର୍ ଅଫ୍ ଦ ମ୍ୟାଚ୍’ ଘୋଷଣା କରାଯାଇଥିଲା ।
ଗୁଜରାଟର ଓପନର୍ ରିଦ୍ଧିମାନ ସାହା ଓ ଶୁଭମନ ଗିଲ୍ ପ୍ରଥମ ୱିକେଟ୍ ପାଇଁ ୫୧ ରନ୍ ଯୋଗ କରିଥିଲେ । ସାହା ୨୯ ରନ୍ କରି ହସରଙ୍ଗା ଡି ସିଲ୍ଭାଙ୍କ ବଲ୍ରେ ଆଉଟ୍ ହୋଇଥିବା ବେଳେ ଗିଲ୍ଙ୍କ ୱିକେଟ୍ ଶାହବାଜ ଅହମ୍ମଦଙ୍କ ଖାତାକୁ ଯାଇଥିଲା । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୩ ରନ୍ କରି ଶାହବାଜଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ସାଇ ସୁଦର୍ଶନ (୨୦)ଙ୍କୁ ଆଉଟ୍ କରି ହସରଙ୍ଗା ଦ୍ୱିତୀୟ ସଫଳତା ପାଇଥିଲେ । ୯୫ ରନ୍ରେ ୪ ୱିକେଟ୍ ପଡ଼ିଥିଲା । ଏହାପରେ ମିଲର୍ ଓ ତେୱାଟିଆ ସ୍ଥିତି ସମ୍ଭାଳିଥିଲେ । ଉଭୟ ଦୃଢ଼ତାର ସହ ଖେଳି ଆଉ ୱିକେଟ୍ ପଡ଼ିବାକୁ ନ ଦେଇ ଟିମ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ପଞ୍ଚମ ୱିକେଟ୍ ପାଇଁ ୪୦ ବଲ୍ରୁ ୭୯ ରନ୍ର ଅପରାଜିତ ଭାଗୀଦାରୀ ହୋଇଥିଲା । ତେୱାଟିଆଙ୍କ ଇନିଂସ୍ରେ ୫ ଚୌକା ଓ ୨ ଛକା ରହିଥିବା ବେଳେ ମିଲର୍ ୪ ଚୌକା ଓ ୧ ଛକା ଲଗାଇଥିଲେ ।
ଏଥି ପୂର୍ବରୁ ବାଙ୍ଗାଲୋର ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଟିମ୍ରେ ସୁୟାଶ ପ୍ରଭୁଦେସାଇଙ୍କ ସ୍ଥାନରେ ମହିପାଲ୍ ଲୋମରୋରଙ୍କୁ ସୁଯୋଗ ମିଳିଥିଲା । ସେହିପରି ଗୁଜରାଟ ଟିମ୍ରେ ଯଶ ଦୟାଲ ଓ ଅଭିନବ ମନୋହରଙ୍କ ସ୍ଥାନରେ ପ୍ରଦୀପ ସାଙ୍ଗୱାନ ଓ ସାଇ ସୁଦର୍ଶନଙ୍କୁ ସାମିଲ୍ କରାଯାଇଥିଲା ।
ବିରାଟ କୋହଲି ଓ ଅଧିନାୟକ ଫାଫ୍ ଡୁ’ ପ୍ଲେସିସ୍ ବାଙ୍ଗାଲୋର ଟିମ୍ର ଇନିଂସ୍ ଓପନ୍ କରିଥିଲେ । ଡୁ’ ପ୍ଲେସିସ୍ କୌଣସି ସ୍କୋର୍ ନ କରି ପ୍ରଦୀପ ସାଙ୍ଗୱାନଙ୍କ ବଲ୍ରେ ଆଉଟ୍ ହୋଇଥିଲେ ଏବଂ ୧୧ ରନ୍ରେ ଓପନିଂ ଯୋଡ଼ି ଭାଙ୍ଗିଥିଲା । ଏହାପରେ କୋହଲି ନୂଆ ବ୍ୟାଟର୍ ରଜତ ପାଟିଦାରଙ୍କ ସହ ମିଶି ଇନିଂସ୍ ସମ୍ଭାଳିଥିଲେ । ଉଭୟ ଦୃଢ଼ତାର ସହ ଖେଳି ଇନିଂସ୍କୁ ୧୦୦ ଅତିକ୍ରମ କରାଇଥିଲେ । ଦ୍ୱିତୀୟ ୱିକେଟ୍ ପାଇଁ ୯୯ (୬୮ ବଲ୍ରୁ) ରନ୍ର ଭାଗୀଦାରୀ ହୋଇଥିଲା ।
ଇତ୍ୟବସରେ କୋହଲି ୪୫ ବଲ୍ରୁ ଓ ପଟିଦାର ୨୯ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଚଳିତ ସିଜନ୍ରେ ଏହା କୋହଲିଙ୍କ ପ୍ର୍ରଥମ ଅର୍ଦ୍ଧଶତକ । ଏହାଛଡ଼ା ସେ ୧୪ ଇନିଂସ୍ ଖେଳିବା ପରେ ଅର୍ଦ୍ଧଶତକ ଲଗାଇଥିଲେ । ପଟିଦାର (୩୨ ବଲ୍ରୁ ୫୨ ରନ୍)ଙ୍କୁ ଆଉଟ୍ କରି ସାଙ୍ଗୱାନ ଏହି ଯୋଡ଼ି ଭାଙ୍ଗିଥିଲେ । କୋହଲି ବ୍ୟକ୍ତିଗତ ୫୮ ରନ୍ରେ ମହମ୍ମଦ ଶାମୀଙ୍କ ଶିକାର ହୋଇଥିଲେ । ସେ ୫୩ ବଲ୍ ଖେଳି ୬ ଚୌକା ଓ ୧ ଛକା ଲଗାଇଥିଲେ ।
ଦିନେଶ କାର୍ତ୍ତିକ ମାତ୍ର ୨ ରନ୍ କରି ରଶିଦ୍ ଖାଁଙ୍କ ବଲ୍ରେ ପାଭିଲିଅନ୍ ଫେରିଥଲେ । ଗ୍ଲେନ୍ ମ୍ୟାକ୍ସୱେଲ୍ ୩୩ ରନ୍ର ଇନିଂସ୍ ଖେଳି ଲୋକୀ ଫର୍ଗୁସନ୍ଙ୍କ ବଲ୍ରେ ଏବଂ ଶେଷ ବଲ୍ରେ ମହିପାଲ୍ ୧୬ ରନ୍ କରି ଅଲଜାରୀ ଯୋସେଫ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଆର୍ସିବି ଧାର୍ଯ୍ୟ ୨୦ ଓଭର୍ରେ ୬ ୱିକେଟ୍ ହରାଇ ୧୭୦ ରନ୍ ସଂଗ୍ରହ କରିଥିଲା । ଶାହବାଜ ଅହମ୍ମଦ ୨ ରନ୍ କରି ଅପରାଜିତ ଥିଲେ ।