ଦାନା ବାନ୍ଧୁଛି ବାତ୍ୟା

ଭୁବନେଶ୍ୱର,୨୯ା୪ (ବୁ୍ୟରୋ): ଦକ୍ଷିଣ ଆଣ୍ଡାମାନସାଗର ଏବଂ ଆଖପାଖ ଅଞ୍ଚଳରେ ଦାନା ବାନ୍ଧୁଛି ବାତ୍ୟା । ଆସନ୍ତା ମେ’ ୪ ତାରିଖ ବେଳକୁ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି । ସେପଟେ ଏହି ଲଘୁଚାପ ବତ୍ୟାରେ ପରିଣତ ହେଇପାରେ । ଭୀଷଣ ବାତ୍ୟାରେ ରୂପ ନେବା ପରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ ବୋଲି ବିଭିନ୍ନ ମଡେଲ ଆକଳନ କରିଛନ୍ତି । କୃଷି ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ ଆକଳନ କରି କହିଛନ୍ତି, ଗତ ତିନିଦିନ ହେଲା ବିଭିନ୍ନ ମଡେଲ ବଙ୍ଗୋପସାଗରରେ ଲଘୁଚାପ ଓ ବାତ୍ୟା ସୃଷ୍ଟି ନେଇ ଆକଳନ କରିଛନ୍ତି । ଆକଳନ ବି ବାରମ୍ବାର ପରିବର୍ତ୍ତନ ହୋଇଛି । ତେବେ ଶୁକ୍ରବାର ଅପରାହ୍ନରେ ଉଭୟ ଜିଏଫଏସ୍ ଏବଂ ଇସିଏଚ୍ଡବ୍ଳୁ୍ୟଏଫ୍ ମଡେଲ ଆକଳନରେ ଅନେକ ସମ୍ଭାବନା ଆସିଛି । ମେ’ ୪ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୫ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଣ୍ଡାମାନର ଦକ୍ଷିଣରେ ଏକ ଲଘୁଚାପରେ ପରିଣତ ହେବ । ଉଭୟ ସମୁଦ୍ର ଓ ବାୟୁମଣ୍ଡଳର ପରିସ୍ଥିତି ଅଧିକ ଘନୀଭୂତ ପାଇଁ ଅନୁକୂଳ ରହିଛି । ଫଳତଃ ମେ’ ୬ରେ ଅବପାତ, ୭ରେ ବାତ୍ୟା ଓ ୮ରେ ଭୀଷଣ ବାତ୍ୟାରେ ପରିଣତ ହୋଇପାରେ ।
ବର୍ତ୍ତମାନ ମଡେଲ କହୁଛି, ମେ’ ୬ରେ ଗତିପଥ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ଦକ୍ଷିଣ ଉପକୂଳ ଆଡ଼କୁ ମୁହାଁଇବ । ଯଦି ଏହା ହୁଏ, ୮ ତାରିଖ ରାତିରୁ ଉପକୂଳ ଓଡ଼ିଶାର ପାଗରେ ପରିବର୍ତ୍ତନ ସହିତ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇପାରେ । ୧୦ ତାରିଖରେ ଆନ୍ଧ୍ର ଉପକୂଳରେ ଛୁଇଁପାରେ । ଅଷ୍ଟ୍ରେଲିଆର ଗୋଟିଏ ମଡେଲ କହୁଛି ଯେ ଏହା ୮ ତାରିଖ ପରେ ରିକୁ୍ୟଭ ହୋଇପାରେ । ଏହି ପ୍ରାଥମିକ ଆକଳନରେ ପରିବର୍ତ୍ତନ ହେବ । ତେଣୁ ଲଘୁଚାପ ସୃଷ୍ଟି ହେବା ପରେ ଅଧିକ କହି ହେବ ବୋଲି ଶ୍ରୀ ପଶୁପାଳକ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *