କୋଭିଡ୍ କଟକଣାରେ ମାଟ୍ରିକ୍ ପରୀକ୍ଷା
କଟକ, ୨୯ା୪ (ବୁ୍ୟରୋ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ସମେଟିଭ-୨ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ରାଜ୍ୟର ୩୫୪୦ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀଙ୍କୁ ନେଇ ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନ ଇଂରାଜୀ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା । ପରୀକ୍ଷା ଆରମ୍ଭ ହେବାର ଅଧଘଣ୍ଟା ପୂର୍ବରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ । ଏହାପରେ ପିଲାଙ୍କୁ ୧୫ ମିନିଟ୍ ପୂର୍ବରୁ ଅର୍ଥାତ ସକାଳ ୭ଟା ୪୫ରେ ପ୍ରଶ୍ନପତ୍ର ଦିଆଯାଇଥିଲା । ଦୁଇ ଘଣ୍ଟାର ପରୀକ୍ଷାରେ ପ୍ରଥମ ଘଣ୍ଟାରେ ୫୦ ମାର୍କର ଅବ୍ଜେକ୍ଟିଭ ଓ ଦ୍ୱିତୀୟ ଘଣ୍ଟାରେ ୩୦ ମାର୍କର ସବ୍ଜେକ୍ଟିଭ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ଗ୍ରୀଷ୍ମପ୍ରବାହ ଓ କୋଭିଡକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ନେଇ ବୋର୍ଡ ସଭାପତି କହିଛନ୍ତି । ଏହାସହ ପ୍ରଥମ ଦିନର ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ଓ କୌଣସି ପରୀକ୍ଷା କେନ୍ଦ୍ରରୁ କୌଣସି ଅନିୟମିତତା ଖବର ଆସିନଥିବା ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା । ଦୁଇ ବର୍ଷ ପରେ ପୁଣି ଅଫଲାଇନ୍ ପରୀକ୍ଷା ଦେଉଥିବାରୁ ପରୀକ୍ଷାର୍ଥୀ ବେଶ୍ ଉତ୍ସାହିତ ଥିବା ଦେଖାଯାଇଛି ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଭୁବନେଶ୍ୱର ୟୁନିଟ୍-୧ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପରୀକ୍ଷା କେନ୍ଦ୍ର ବୁଲି ଛାତ୍ରଛାତ୍ରୀଙ୍କ ପାଇଁ ହୋଇଥିବା ବ୍ୟବସ୍ଥାର ଅନୁଧ୍ୟାନ କରିବା ସହିତ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି । ଇଂରାଜୀ ପରୀକ୍ଷାରେ ପ୍ରଶ୍ନପତ୍ର ବେଶ ସହଜ ଓ ସରଳ ଥିଲା ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ତେବେ ଅବ୍ଜେକ୍ଟିଭ ଉତ୍ତର ଖୁବ୍ଶୀଘ୍ର ସରିଯାଉଥିବା ବେଳେ ଗୋଟିଏ ଘଣ୍ଟାରେ ୩୦ ମାର୍କର ସବ୍ଜେକ୍ଟିଭ କରିବା ସମ୍ଭବ ହେଉ ନାହିଁ ବୋଲି ଛାତ୍ରଛାତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତା ସୋମବାର ଦିନ ଗଣିତ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ପରୀକ୍ଷା କେନ୍ଦ୍ରଗୁଡ଼ିକରେ ନିରବିଚ୍ଛିନ୍ନ ବିଦୁ୍ୟତ ସେବା ସହ ପାନୀୟ ଜଳ ଓ ଓଆରଏସ ବ୍ୟବସ୍ଥା କରାଯାଇଛି । କରୋନା ଯୋଗୁଁ ଗତ ଦୁଇବର୍ଷ ହେଲା ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେଇନଥିଲେ ଛାତ୍ରଛାତ୍ରୀ । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପିଲାମାନଙ୍କୁ ମାର୍କ ଦିଆଯାଇ ଫଳାଫଳ ପ୍ରକାଶ କରାଯାଇଥିଲା । କିନ୍ତୁ ଏବେ କରୋନା ସଂକ୍ରମଣ କମିବା ଯୋଗୁଁ ସିଧାସଳଖ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । କପି ରୋକିବା ପାଇଁ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ସମସ୍ତ ପରୀକ୍ଷାଗୁଡ଼ିକୁ ଗୋଟିଏ ସିଟିଂରେ ସୀମିତ ରଖାଯାଇଛି । ଚଳିତଥର ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟ ବା ନିକଟତମ ବିଦ୍ୟାଳୟରେ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଛି । ବୋର୍ଡ, ଜିଲ୍ଲା ଶିକ୍ଷାଧିକାରୀ, ଗଣଶିକ୍ଷା ବିଭାଗ ଏବଂ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍କ୍ୱାଡ୍ ଗଠନ କରାଯାଇଛି । ଏପ୍ରିଲ ୨୯ରୁ ମେ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ ।