ପଦକ ପକ୍କା କଲେ ସିନ୍ଧୁ

ବ୍ୟାଡ୍ମିଣ୍ଟନ ଏସିଆ ଚାମ୍ପିଅନ୍ସିପ୍
ମାନିଲା (ଫିଲିପିନ୍ସ), ୨୯ା୪ (ଏଜେନ୍ସି): ଦୁଇ ଥର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ଶୁକ୍ରବାର ଚୀନ୍ର ହି ବିଙ୍ଗ୍ ଜିଆଓଙ୍କୁ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରି ବ୍ୟାଡ୍ମିଣ୍ଟନ ଏସିଆ ଚାମ୍ପିଅନ୍ସିପ୍ର ମହିଳା ଏକକ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି । ଏହି ବିଜୟ ସହ ସିନ୍ଧୁ ମହାଦେଶୀୟ ବ୍ୟକ୍ତିଗତ ପ୍ରତିଯୋଗିତାରେ ଏକ ପଦକ ସୁନିଶ୍ଚିତ କରିଛନ୍ତି । ଅନ୍ୟପଟେ, ଭାରତର ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟିଙ୍କ ଅଭିଯାନ ଶେଷ ହୋଇଛି । ପୁରୁଷ ଯୁଗଳ କ୍ୱାର୍ଟର୍-ଫାଇନାଲ୍ରେ ପଞ୍ଚମ ସିଡ୍ ଆରୋନ୍ ଚିଆ ଓ ସୋହ ୱି ୟିକ୍ଙ୍କ ମାଲେସୀୟ ଯୋଡ଼ି ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ିକୁ ୧୨-୨୧, ୨୧-୧୪, ୨୧-୧୬ରେ ପରାଜିତ କରିଥିଲେ । ଚତୁର୍ଥ ସିଡ୍ ସିନ୍ଧୁଙ୍କ ପାଇଁ ଏହା ଚାମ୍ପିଅନ୍ସିପ୍ ଇତିହାସରେ ଦ୍ୱିତୀୟ ପଦକ ହେବ । ଏଥି ପୂର୍ବରୁ ସେ ୨୦୧୪ ଗିମଚିଅନ୍ ସଂସ୍କରଣରେ କାଂସ୍ୟ ପଦକ ଜିତିଥିଲେ । ସିନ୍ଧୁ କ୍ୱାର୍ଟର-ଫାଇନାଲ୍ ମ୍ୟାଚ୍ରେ ପଞ୍ଚମ ସିଡ୍ ଚୀନା ଖେଳାଳିଙ୍କୁ ୨୧-୯, ୧୩-୨୧, ୨୧-୧୯ ଗେମ୍ରେ ହରାଇଥିଲେ । ଏହି ମ୍ୟାଚ୍ ଏକ ଘଣ୍ଟା ୧୬ ମିନିଟ୍ ଧରି ଚାଲିଥିଲା । ପୂର୍ବତନ ବିଶ୍ୱ ବିଜୟିନୀ ପ୍ରଥମ ଗେମ୍କୁ ସହଜରେ ଜିତିଥିଲେହେଁ ଦ୍ୱିତୀୟ ଗେମ୍ରେ ପରାଜିତ ହୋଇଥିଲେ । ତେବେ ତୃତୀୟ ତଥା ନିର୍ଣ୍ଣାୟକ ଗେମ୍ରେ ସେ ଜୋର୍ଦାର ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଗେମ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା, ତେବେ ଶେଷରେ ସିନ୍ଧୁ ବାଜିମାତ୍ କରିଥିଲେ । ସୟଦ ମୋଦି ଇଣ୍ଟର୍ନାସ୍ନାଲ୍ ଓ ସ୍ୱିସ୍ ଓପନ୍ରେ ସୁପର୍ ୩୦୦ ମୁକୁଟ ଜିତିଥିବା ୨୬ବର୍ଷୀୟା ସିନ୍ଧୁ ସେମିଫାଇନାଲ୍ରେ ଟପ୍ ସିଡ୍ ଜାପାନ୍ର ଅକାନେ ୟାମାଗୁଚିଙ୍କ ଆହ୍ୱାନର ସମ୍ମୁଖୀନ ହେବେ । ଶୁକ୍ରବାର ବିଶ୍ୱର ସାତ ନମ୍ବର ଖେଳାଳି ଚୀନା ଖେଳାଳିଙ୍କ ବିପକ୍ଷରେ ୭-୯ ଜୟ-ପରାଜୟ ରେକର୍ଡ ସହ କୋର୍ଟକୁ ଆସିଥଲେ । ଟୋକିଓ ଅଲିମ୍ପିକ୍ସରେ ବିଙ୍ଗ୍ ଜିଆଓଙ୍କୁ ସେ କାଂସ୍ୟ ପଦକ ଲଢ଼େଇରେ ହରାଇଥିଲେ । ଏଥିପୂର୍ବରୁ ପ୍ରି-କ୍ୱାର୍ଟରରେ ସେ ୧୦୦ତମ ମାନ୍ୟତାଧାରିଣୀ ହୁଇଙ୍କୁ ୨୧-୧୬, ୨୧-୧୬ରେ ପରାସ୍ତ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ସାଇନା ନେହୱାଲ୍ ଓ ବିଶ୍ୱ ଚାମ୍ପିଅନ୍ସିପ୍ସ ରୌପ୍ୟ ବିଜେତା କିଦାମ୍ବୀ ଶ୍ରୀକାନ୍ତ ପରାଜୟ ସହ ପ୍ରତିଯୋଗିତାରୁ ବିଦାୟ ନେଇ ସାରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *