ଆଜିଠୁ ଖୋଲିଲା ଭକ୍ତଙ୍କ ପାଇଁ ପଶ୍ଚିମ ଦ୍ୱାର
ପୁରୀ (ବୁ୍ୟରୋ): ଶୁକ୍ରବାର ଠାରୁ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର । ସିଂହଦ୍ୱାର ସହ ପଶ୍ଚିମ ଦ୍ୱାର ଦେଇ ପ୍ରବେଶର ସୁଯୋଗ ପାଇଛନ୍ତି ଭକ୍ତ । ସେହିପରି ପୂର୍ବରୁ କେବଳ ଉତ୍ତର ଦ୍ୱାର ପ୍ରସ୍ଥାନ ରହିଥିବା ବେଳେ ଏବେ ଉଭୟ ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ବାହାରକୁ ବାହାରୁଛନ୍ତି ଭକ୍ତ । ଭକ୍ତମାନେ ଯେଭଳି ସୁବିଧାରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେ ନେଇ ପ୍ରଶାସନ ପକ୍ଷରୁ ପଶ୍ଚିମ ଦ୍ୱାର ନିକଟରେ ସ୍ଥାୟୀ ସେଡ୍ ନିର୍ମାଣ ଜାରି ରହିଛି । ଦକ୍ଷିଣ ଦ୍ୱାରରୁ ପଶ୍ଚିମ ଦ୍ୱାରକୁ ଏହି ସେଡ୍ ସଂଯୋଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଫଳରେ ଭକ୍ତମାନେ ଦକ୍ଷିଣଦ୍ୱାର ଦେଇ ବାହାରକୁ ବାହାରିବା ପରେ ସେମାନେ ପଶ୍ଚିମ ଦ୍ୱାରକୁ ଯାଇ ସେଠାରୁ ସେମାନଙ୍କ ଆବଶ୍ୟକ ସାମଗ୍ରୀ ସାଙ୍ଗରେ ନେଇ ଯାଇପାରିବେ । ଏ ସମ୍ପର୍କରେ ଉପଜିଲ୍ଲାପାଳ ଭବତାରଣ ସାହୁ କୁହନ୍ତି ଯେ, ଆସନ୍ତା ୩ରେ ପବିତ୍ର ଅକ୍ଷୟ ତୃତୀୟାରେ ଚନ୍ଦନ ଯାତ୍ରା ସହ ରଥ ନିର୍ମାଣ ଆରମ୍ଭ ହେବ । ତେଣୁ ଭକ୍ତମାନଙ୍କୁ କେବଳ ସିଂହଦ୍ୱାର ଦେଇ ପ୍ରବେଶ କଲେ ତାହା ବିଳମ୍ବ ହେବା ସହ ଭକ୍ତମାନେ ହଇରାଣ ହରକତ ହେବେ । ତାହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଠାରୁ ପଶ୍ଚିମ ଦ୍ୱାର ଖୋଲାଯାଇଛି । ସେଥିଲାଗି ଭକ୍ତଙ୍କୁ ଖରାରୁ ରକ୍ଷା ଲାଗି ସେଡ୍ ସହ ପାନୀୟ ଜଳ, ଜୋତା, ମୋବାଇଲ୍, ବେଲ୍ଟ ସମେତ ଆବଶ୍ୟକ ସାମଗ୍ରୀ ରଖିବା ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି । ଫଳରେ ଭକ୍ତମାନେ ଉଭୟ ଦ୍ୱାର ଦେଇ ଖୁସିରେ ଶ୍ରୀମନ୍ଦିରକୁ ଯାଇ ଦର୍ଶନ ସାରି ଫେରୁଥିବା ଦେଖିବାକୁ ମିଳିଛି । ସୂଚନାଥାଉକି, କରୋନାର ତୃତୀୟ ଲହରରେ ସଂକ୍ରମଣ ବ୍ୟାପିବାରୁ ଜାନୁଆରୀ ୧୦ରୁ ଶ୍ରୀମନ୍ଦିର ଭକ୍ତଙ୍କ ଲାଗି ବନ୍ଦ ରହିଥିଲା । ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବା ପରେ ଛତିଶା ନିଯୋଗ ବୈଠକ ନିଷ୍ପତ୍ତି ଅନୁସାରେ ଫେବ୍ରୁଆରୀ ୧ରୁ ଭକ୍ତଙ୍କ ପାଇଁ ଖୋଲିଥିଲା ଶ୍ରୀମନ୍ଦିର । ସେହି ସମୟରେ ଭକ୍ତଙ୍କ ଲାଗି ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ ରହିଥିଲା ।