ଶିବସେନା-ଶିଖ୍ ସଂଗଠନ ମୁହାଁମୁହିଁ
ସାମ୍ପ୍ରଦାୟିକ ଦଙ୍ଗା ରୂପ ନେଲା ଖଲିସ୍ତାନ୍ ବିରୋଧୀ ଶୋଭାଯାତ୍ରା
ପଟିଆଲା (ଏଜେନ୍ସି): ପଞ୍ଜାବର ଦକ୍ଷିଣପୂର୍ବ ସହର ପଟିଆଲାରେ ଶୁକ୍ରବାର ଦିନ ଶିବସେନା କର୍ମୀ ଏବଂ ଖଲିସ୍ତାନୀ ସମର୍ଥକଙ୍କ ମଧ୍ୟରେ ତୁମୁଳ କାଣ୍ଡ ସଂଘଠିତ ହୋଇଥିବା ଏବଂ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି । ରିପୋର୍ଟ ଲେଖାହେବା ସୁଦ୍ଧା ଏହି ଘଟଣାରେ ଜଣେ ଏସ୍ଏଚ୍ଓ (ପୁଲିସ୍ ଅଧିକାରୀ)ଙ୍କ ସମେତ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ସହରରେ କର୍ଫୁ୍ୟ ଜାରି କରାଯାଇଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ୍ ମାନ ଏହି ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କରିବା ସହ ରାଜ୍ୟ ପୋଲିସ ମହାନିଦେ୍ର୍ଦଶକଙ୍କୁ ରିପୋର୍ଟ ମାଗିଛନ୍ତି । ଏହାସହ ପଞ୍ଜାବରେ ଶାନ୍ତି ଏବଂ ସଦ୍ଭାବ ବଜାୟ ରଖିବାକୁ ଅପିଲ କରିଛନ୍ତି । ପ୍ରାପ୍ତ ସୂଚନାନୁସାରେ ଶିବସେନା କର୍ମୀଙ୍କ ପକ୍ଷରୁ ଏଠାରେ ଖଲିସ୍ତାନୀ ବିରୋଧୀ ଶୋଭାଯାତ୍ରା ଆରମ୍ଭ କରାଯାଇଥିବା ବେଳେ କିଛି ଶିଖ୍ ସଂଗଠନ ଏହାକୁ ତୀବ୍ର ବିରୋଧ କରିଥିଲେ । ପ୍ରଥମେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା, ଯାହାକି ପରବର୍ତ୍ତୀ ସମୟରେ ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଯାଇଥିଲା । ଉଭୟ ପକ୍ଷରୁ ପ୍ରତିପକ୍ଷଙ୍କ ଉପରେ ଟେକା-ପଥର ମାଡ଼ କରାଯାଇଥିଲା । ପରେ ପରେ ଉଭୟ ପକ୍ଷ ହାତରେ ଖଣ୍ଡା ଧରି ପ୍ରତିପକ୍ଷଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ଶିବସେନା ପକ୍ଷରୁ ଏଠାରେ ଖଲିସ୍ତାନ ବିରୋଧରେ କୁଶ ପୁତ୍ତଳିକା ଦାହ କରାଯିବା ନେଇ ପ୍ରସ୍ତୁତି କରାଯାଇଥିଲା । ତେବେ ଏସମ୍ପର୍କରେ ଜାଣିପାରିବା ପରେ ଖଲିସ୍ତାନ ସମର୍ଥକମାନେ ଏହାକୁ ବିରୋଧ କରିଥିଲେ । ପରିସ୍ଥିତିକୁ ସମ୍ଭାଳିବାକୁ ଯାଇ ପୁଲିସ୍କୁ ଏଠାରେ ଫାଙ୍କା ଗୁଳିଚାଳନା କରିବାକୁ ପଡ଼ିଛି । ତେବେ ଏହି ଘଟଣାକୁ ନେଇ ସହରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପୁଲିସ୍ ପ୍ରଶାସନ ଏଠାରେ ସନ୍ଧ୍ୟା ୭ରୁ କର୍ଫୁ୍ୟ ଲାଗୁ କରିଛି, ଯାହାକି ଆସନ୍ତା କାଲି ଅର୍ଥାତ୍ ଶନିବାର ସକାଳ ୬ଟା ଯାଏ ବଳବତ୍ତର ରହିବ । ପ୍ରକାଶ, ଆଜି ଦିନରେ ଖଲିସ୍ତାନୀ ବିରୋଧରେ ଶୋଭାଯାତ୍ରା ବାହାର କରିବ ବୋଲି ଦିନକ ପୂର୍ବରୁ ଶିବସେନା ଘୋଷଣା କରିଥିଲା । ଏପ୍ରକାର ପରିସ୍ଥିତିର ପୂର୍ବାନୁମାନ ପୂର୍ବକ ରାଜ୍ୟ ପୁଲିସ୍ ବ୍ୟାପକ ସତର୍କତା ଅବଲମ୍ବନ କରିଥିଲା । କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପୋଲିସ ବ୍ୟାରିକେଡ୍ ମଧ୍ୟ କରିଥିଲା । ଉଭୟ ପକ୍ଷ ମୁହାଁମୁହିଁ ହେଲା ପରେ ପୋଲିସ ବାଧ୍ୟ ହୋଇ ବଳପ୍ରୟୋଗ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା । ସୂଚନାଯୋଗ୍ୟ, ଏପ୍ରିଲ ୨୯କୁ ଖଲିସ୍ତାନ ଆତଙ୍କବାଦୀମାନେ ଖଲିସ୍ତାନ ସ୍ଥାପନା ଦିବସ ପାଳନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତ୍ୱନ୍ତ ସିଂହ, ପଞ୍ଜାବ, ହରିଆଣା ଏବଂ ହିମାଚଳପ୍ରଦେଶର ସବୁ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଖଲିସ୍ତାନୀ ପତାକା ଲଗାଇବାକୁ ଘୋଷଣା କରିଥିଲା । କେବଳ ଏତିକି ନୁହେଁ, ପତାକା ଲଗାଇବାର ଭିଡିଓଗୁଡ଼ିକୁ ସୋସିଆଲ ମିଡ଼ିଆରେ ସେୟାର କରିବାକୁ ମଧ୍ୟ ନିଜ ଅନୁଗାମୀମାନଙ୍କୁ କହିଥିଲା । ତେବେ ଅନ୍ୟ ରାଜ୍ୟ ଗୁଡ଼ିକରୁ ଏ ସମ୍ପର୍କିତ ରିପୋର୍ଟ ଆସିନଥିବା ବେଳେ ପଞ୍ଜାବରେ ଏପ୍ରକାର ଅଘଟଣ ଘଟିଥିବା ନେଇ ସୂଚନା ମିଳିଛି । ଅନ୍ୟପକ୍ଷେ ଏହି ଘଟଣା ପରେ ନିଜର ପଞ୍ଜାବ କାର୍ଯ୍ୟକାରୀ ସଭାପତି ବା ଅଧ୍ୟକ୍ଷ ହରିସ୍ ସିଙ୍ଗ୍ଲାଙ୍କୁ ଦଳରୁ ଶିବସେନା ବହିଷ୍କାର କରିବା ପରେ ସେ ଗିରଫ ହୋଇଛନ୍ତି । ସିଙ୍ଗ୍ଲାଙ୍କୁ ପଟିଆଲା ରାଲିର ନେତୃତ୍ୱ ଦିଆଯାଇଥିବା ବେଳେ ଏପ୍ରକାର ହିଂସାକାଣ୍ଡର ରୂପ ନେଇଥିଲା । ତେବେ ଏହି ଘଟଣାକୁ ନେଇ ରାଜ୍ୟରେ ଆଇନ୍ କାନୁନ ବିପର୍ଯ୍ୟସ୍ତ ହୋଇପଡିଥିବା ଦର୍ଶାଇବା ଆଳରେ ବିରୋଧୀ ଦଳଗୁଡ଼ିକ ମାନ୍ ସରକାରଙ୍କୁ ଘେରିବା ଆରମ୍ଭ କରିଦେଇଛି ।