ସତ୍ୟଭାମାପୁର ସବୁ ଓଡ଼ିଆଙ୍କ ପାଇଁ ତୀର୍ଥକ୍ଷେତ୍ର

ଭୁବନେଶ୍ୱର,୨୮ା୪(ବୁ୍ୟରୋ): ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଠାରେ ଉକ୍ରଳ ଗୌରବ ମଧୁସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମଧୁବାବୁ ଥିଲେ ଓଡ଼ିଆ ସ୍ୱାଭିମାନର ପ୍ରତୀକ । ତାଙ୍କ ଜୀବନୀ ହେଉଛି ଓଡ଼ିଆ ସ୍ୱାଭିମାନର ଗୌରବମୟ ଗାଥା ।
ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉକ୍ରଳ ଗୌରବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ ଯେ ସତ୍ୟଭାମାପୁର ସବୁ ଓଡ଼ିଆଙ୍କ ପାଇଁ ଏକ ତୀର୍ଥ କ୍ଷେତ୍ର । ଏହି ସଂଗ୍ରହାଳୟରେ ସମସ୍ତଙ୍କୁ ବିଶେଷ କରି ଯୁବପିଢିଙ୍କୁ ଓଡିଆ ସ୍ୱାଭିମାନର ସୁରକ୍ଷା ପାଇଁ ପ୍ରେରଣା ଦେଇ ଚାଲିବ । ସତ୍ୟଭାମାପୁରକୁ ଏକ ଆଦର୍ଶ ଗ୍ରାମ ରୂପେ ବିକାଶ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ଗ୍ରାମକୁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳ ଭାବରେ ପରିଣତ କରିବା ପାଇଁ ସରକାରଙ୍କ ପଦକ୍ଷେପ ଜାରି ରହିବ । ମଧୁବାବୁଙ୍କ ଆଦର୍ଶରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ କରିବା ପାଇଁ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇ କହିଲେ ଯେ ମଧୁବାବୁଙ୍କ ଜାତି ପ୍ରୀତି ଓ ତ୍ୟାଗର ତୁଳନା ନାହିଁ । ଓଡ଼ିଆ ଜାତି ପାଇଁ ମଧୁବାବୁ ତାଙ୍କର ସବୁ କିଛି ତ୍ୟାଗ କରିଯାଇଛନ୍ତି । ତାଙ୍କ ପାଇଁ ଓଡ଼ିଆ ସ୍ୱାଭିମାନ ଥିଲା ସବୁଠୁ ଉପରେ । ତା ସହ ସେ କେବେ ବି ସାଲିସ କରିନାହାନ୍ତି । ଏ ଜାତି ପାଇଁ ତାଙ୍କର ଅବଦାନ ତାଙ୍କୁ ଓଡ଼ିଆଙ୍କ ହୃଦୟରେ ଯୁଗ ଯୁଗ ପାଇଁ ଅମର କରି ରଖିବ ।
ଓଡ଼ÿିଶାକୁ ମଧୁବାବୁଙ୍କ ଅବଦାନ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଭାଷାକୁ ଭିତ୍ତିକରି ରାଜ୍ୟ ଗଠନ ପାଇଁ ମଧୁ ବାବୁଙ୍କ ଉଦ୍ୟମ, ତାଙ୍କର ଦୂର ଦୃଷ୍ଟିର ପରିଚୟ ଦିଏ । ସ୍ୱାଧୀନତା ପରେ ଭାଷା ସୂତ୍ରରେ ହିଁ ଭାରତର ଅନେକ ରାଜ୍ୟ ଗଠିତ ହୋଇଛି । କିନ୍ତୁ ସେତେବେଳେ ଓଡ଼ିଶା ଥିଲା ଭାଷା ଭିତ୍ତିରେ ଭାରତର ପ୍ରଥମ ରାଜ୍ୟ ।
କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଲେ ଯେ ମଧୁ ବାବୁ ଥିଲେ ଓଡ଼ିଆ ଜାତିର ମୁଖ୍ୟ ପୁରୋଧା । ତାଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଆଜି ମଧୁ ସଂଗ୍ରହାଳୟ ଲୋକାର୍ପିତ କରିଛନ୍ତି । ଆଜି ସାରା ବିଶ୍ୱରେ ଥିବା ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ । ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସତ୍ୟଭାମାପୂର ଗାଁର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ସତ୍ୟଭାମାପୁରର ଉନ୍ନତି ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ । ଜିଲ୍ଲାପାଳ ଭବାନୀ ଚଇନି ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସତ୍ୟଭାମାପୁର ମଧୁସୂଦନ ସାଂସ୍କୃତିକ ସଂଘର ସଭାପତି ପ୍ରଶାନ୍ତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଲୋକସେବା ଭବନରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଉକ୍ରଳ ଗୌରବ ମଧୁସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ସଂପର୍କରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ଏହି ସଂଗ୍ରହାଳୟରେ ମଧୁବାବୁଙ୍କ ଏନ୍ତୁଡ଼ି ଶାଳ, ପିଲା ଦିନର ବିରଳ ଫଟୋ, ଜନ୍ମ ଜାତକ, ଢ଼ିଙ୍କି ଆଦି ବିଭିନ୍ନ ବିରଳ ଜିନିଷ ସ୍ଥାନ ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *