ମଧୁବାବୁ ଥିଲେ ଓଡ଼ିଆଙ୍କ ଅସ୍ମିତା
ସାଲେପୁର (ଆପ୍ର): ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ଜନ୍ମ ଜୟନ୍ତୀ ଉକ୍ରଳ ଗୌରବ ମଧୁବାବୁ ଜୟନ୍ତୀ କମିଟି ସାଲେପୁର ପକ୍ଷରୁ ପାଳିତ ହୋଇଯାଇଛି । ପ୍ରତୁ୍ୟଷରୁ କମିଟିର ସାଧାରଣ ସଂପାଦକ ଅଶ୍ୱିନୀ କୁମାର ଦାସଙ୍କ ନେତୃତ୍ୱରେ କମିଟିର ସଦସ୍ୟ ମାନସ ରଂଜନ ଦାଶ, ଅକ୍ଷୟ ବେହେରା, ଦିଲ୍ଲୀପ ରାଉତ, ସଂଗ୍ରାମ କେଶରୀ ପଣ୍ଡା, ଅସିତ୍ କରଙ୍କ ସହଯୋଗରେ ପ୍ରଥମେ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁରଠାରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ମଧୁବାବୁଙ୍କ ଏନ୍ତୁଡ଼ିଶାଳରୁ ମଧୁଜ୍ୟୋତି ସଂଗ୍ରହ କରାଯାଇ ମୋଟର ସାଇକେଲ୍ ଶୋଭାଯାତ୍ରାରେ ସାଲେପୁର ବଜାର ପରିକ୍ରମା କରି କୁଆଁପାଳଛକସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମଧୁଭବନ ପରିସରରେ ମଧୁଜ୍ୟୋତି ସ୍ଥାପନ କରାଯାଇଥିଲା । ସେହିପରି ସାଲେପୁର ବାର୍ ଆସୋସିଏସନ୍ ପକ୍ଷରୁ ମଧୁବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।
ଚୌଦ୍ୱାର (ଆପ୍ର): ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀ ଚୌଦ୍ୱାରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି । ଚୌଦ୍ୱାର ସାହିତ୍ୟ ସଂସଦ ତରଫରୁ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ବହୁ ବିଶିଷ୍ଟ ବ୍ୟକ୍ତି ପୁଷ୍ପମାଲ୍ୟାର୍ପଣ ପୂର୍ବକ ମଧୁବାବୁଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରି ସେ ଉତ୍କଳର ମୁକୁଟ ବିହୀନ ସମ୍ରାଟ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ସଂସଦର ସଭାପତି ବିଶ୍ୱକଲ୍ୟାଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ, ପ୍ରାକ୍ତନ ନଗରପାଳ ପ୍ରେମଚାନ୍ଦ ନାୟକ, ଅବସରପ୍ରାପ୍ତ ଶିକ୍ଷକ ସଂଘର ସଂପାଦକ ସୁକାନ୍ତ କୁମାର ମହାନ୍ତି, ଶରତ କୁମାର ଖୁଣ୍ଟିଆ, ଅଧ୍ୟାପକ ଶରତ ଚନ୍ଦ୍ର ନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଂପାଦକ ଦିବ୍ୟଜ୍ୟୋତି ପାଣି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ କବି ଇଂ ହରିହର ରଣା, ଇଂ ଭାଗିରଥୀ ସାହୁ, ବାଣୀଭୂଷଣ ମହାନ୍ତି ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଚୌଦ୍ୱାର ଆଇନଜୀବୀ ସଂଘ ତରଫରୁ ଆଇନଜୀବୀ ଚନ୍ଦ୍ରପ୍ରକାଶ ପଟ୍ଟନାୟକ, ସରିତା ଦାସ, ବିଜୟ କୁମାର ପରିଜା, ମାନସ ପରିଜା, ଜ୍ଞାନରଞ୍ଜନ ଦାସ, ପ୍ରତିମା ଦାସ, ଈଶ୍ୱର ଚନ୍ଦ୍ର ଜେନା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣକରିଥିଲେ । ଉକ୍ରଳ ପୁଜନ ପରିଷଦ ଓ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ମିଳିତ ଆନୁକୁଲ୍ୟରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ମଧ୍ୟ ମଧୁବାବୁଙ୍କ ଜୟନ୍ତୀ ଅନୁଷ୍ଠିତ ହୋଇଥିଲା ।
ନିଆଳି (ଆପ୍ର): ମହାନ ସ୍ୱାଧୀନତା ସଂଗ୍ରାମୀ, ଜନନାୟକ, ଦେଶଭକ୍ତ, ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶର ସ୍ରଷ୍ଟା, ଓଡ଼ିଆ ଭାଷା ଆନେ୍ଦାଳନର ପୁରୋଧା, କବି, ଲେଖକ ତଥା ପ୍ରଥମ ଓଡ଼ିଆ ବାରିଷ୍ଟର ଉକ୍ରଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ଉତ୍ସବ ଦି-ପ୍ରାଚୀ ଅନୁଷ୍ଠାନ ପକ୍ଷରୁ ନିଆଳି ସ୍ଥିତ ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ନଟବର ଷଢ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଅଶୋକ କୁମାର ରାୟ, ଆଇନ୍ଜିବୀ ପ୍ରଶାନ୍ତ ପ୍ରଧାନ, ମୃତ୍ୟୁଞ୍ଜୟ ମହାନ୍ତି ପ୍ରମୁଖ ଯୋଗଦେଇ ଉକ୍ରଳଗୌରବ ମଧୁବାବୁଙ୍କ ସ୍ମୃତି ଚାରଣ କରିବା ସହ ଅନୁଷ୍ଠାନ ପକ୍ଷରୁ ରଖାଯାଇଥିବା ଆଲୋଚନାର ଶିର୍ଷକ ‘ମୁଁ ମଧୁ ବାବୁ ପରି ହେବି’ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
କଟକ-ଜଗତପୁର (ବୁ୍ୟରୋ): ଗୋପବନ୍ଧୁ ସେବା ସଂଗଠନ ପକ୍ଷରୁ ସମ୍ପାଦକ ମାନସ ପରିଡାଙ୍କ ପୌରହିତ୍ୟରେ ନବ ଉକ୍ରଳର ନିର୍ମାତା, ପଗଡି ପୁରୁଷ, କୂଳ ବୃଦ୍ଧ, ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜୟନ୍ତି ପାଳିତ ହୋଇଯାଇଛି । ଏହି ଅବସରରେ ଜଗତପୁର ଗୋଲେଇଛକ ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ତାଙ୍କର ବହୁବିଧ ପ୍ରତିଭା, ତ୍ୟାଗ, ଅବଦାନ ଓ ସ୍ୱାଭିମାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝି ଯୋଗଦେଇ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସଂଗଠନର ସଦସ୍ୟ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏଥିରେ ଦିଲ୍ଲୀପ କୁମାର ଜେନା, ପୂର୍ବତନ କର୍ପୋରେଟର ଦୟାନିଧି ନାୟକ, କୁଳମଣି ବେହେରା, ଅଶୋକ ମିଶ୍ର ଓ ତୀର୍ଥାନନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଆୱାରନେସ ସଭାପତି ସମିର କୁମାର ଖିଲାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ସଦସ୍ୟମାନେ ଜଗତପୁର ଗୋଲେଇଛକ ପାଶ୍ୱର୍ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ମଧୁବାବୁଙ୍କ ସମାଧିପୀଠ ଗୋରାକବର ଠାରେ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଗୌତମ ବେହେରା, ସମ୍ପାଦିକା ଆଇନଜିବୀ ଜୟନ୍ତି ଦାସଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।
ନରସିଂହପୁର (ଆପ୍ର): ନରସିଂହପୁର ବ୍ଲକର ବିଭିନ୍ନ ସ୍ଥାନରେ ଓଡିଆ ଜାତିର ଉକ୍ରଳ ଗୈାରବ ମଧୁସୂଦନ ଦାସଙ୍କର ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ କୋର୍ଟ ପରିସରରେ ଓକିଲ ସଂଘର ଉପସଭାପତି ଅଶୋକ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଉପସ୍ଥିତ ଆଇନଜୀବୀ ମଧୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଓକିଲ ସଂଘର ପୂର୍ବତନ ସଭାପତି ସରୋଜ କୁମାର ସାହୁ, ସଂଘର ସମ୍ପାଦକ ବିଭୁଦତ୍ତ ମିଶ୍ର, ଆଇନଜୀବୀ ଅଞ୍ଜନ ପ୍ରସାଦ ପଣ୍ଡା, ଶ୍ରୀକାନ୍ତ ମିଶ୍ର, ନରନାରାୟଣ ବାରିକ, ଶରତ ଚନ୍ଦ୍ର ଖଟୁଆ, ଭୂପେନ କୁମାର ଦାସ, ପ୍ରକାଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସ୍ୱତନ୍ତ୍ର ଓଡିଶା ଗଠନ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ମଧୁବାବୁଙ୍କ ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ସମ୍ବାଦିକମାନଙ୍କ ପକ୍ଷରୁ ସ୍ଥାନୀୟ ଇନ୍ଦ୍ରଭବନ ଠାରେ ସାମ୍ବାଦିକ ପ୍ରମୋଦ ରାଉତଙ୍କ ଅଧ୍ୟକ୍ଷତାରେ ମଧୁବାବୁଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଉପସ୍ଥିତ ସାମ୍ବାଦିକ ଦିଲ୍ଲୀପ କୁମାର ପଣ୍ଡା, ରମେଶ ଚନ୍ଦ୍ର ପାଢୀ, ଶିବସୁନ୍ଦର ଦାସ, ବିପିନ ବିହାରୀ ପଣ୍ଡା, ଗଣେଶ୍ୱର ସାହୁ, ଅଜୟ ପଣ୍ଡା, ଅଜୟ ସାହୁ, ଅଞ୍ଜନ କୁମାର ବେହେରା, ବିନୋଦ ସାହୁ ପ୍ରମୁଖ ଉପସ୍ଥିତ ରହି ମଧୁବାବୁଙ୍କ ସମ୍ପର୍କରେ ସ୍ମୁତିଚାରଣ କରିଥିଲେ । ସେଇଭଳି ଲେଖକ ସାମୁଖ୍ୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ମଧୁବାବୁ ଜୟନ୍ତୀ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି ।