ଜାତୀୟ ରାଜପଥ ହେବ ବନୀକରଣ
ବେଲଦା ହାଇଟେକ୍ ନର୍ସରୀ ଦ୍ୱାରା ଚାରା ପ୍ରସ୍ତୁତି
କେନ୍ଦୁଝର(ଆପ୍ର): ବେଲଦା ହାଇଟେକ ନର୍ସରୀରେ ବିଭିନ୍ନ କିସମର ଚାରା ଅତ୍ୟାଧୁନିକ ପ୍ରଣାଳୀରେ ପ୍ରସ୍ତୁତ କରି ବଣ୍ଟନ କରାଯାଉଛି । ଏଠାରେ ୨ହେକ୍ଟର ପରିମିତ ଅଞ୍ଚଳରେ ଏହି ନର୍ସରୀ ସ୍ଥାପିତ ହୋଇଛି । ତେବେ ଏଠାରେ ବିଶେଷ କରି ୧୮ମାସ ପର୍ଯ୍ୟନ୍ତ ଚାରା ରକ୍ଷଣାବେକ୍ଷଣ କରାଯାଇ ବଣ୍ଟନ କରାଯାଉଛି । ଫଳରେ ସଫଳ ବନୀକରଣ ହେଉଛି । ଶାଳ,ପିଆଶାଳ,ହରିଡା,ବାହାଡା, ଅଁଳା, ଆମ୍ବ, ପଣସ, ଜାମୁ, ଜେଉଠ, ବର, ଅଶ୍ୱସ୍ଥ, ବଉଳ, ନିମ୍ବ, ଅଶୋକ, ମେହଗାନି, ପୁତ୍ରିବା, ନାଗଚମ୍ପା, କୁସୁମ, ଭାଲିଆ, ମହୁଲ, ମାଙ୍କଡା କେନ୍ଦୁ ଆଦି ଚାରା ସୃଷ୍ଟି କରାଯାଉଛି । ସଠିକ୍ ଭାବରେ ବିହନକୁ ବିଶୋଧନ କରି ଚାରା ପ୍ରସ୍ତୁତ କରାଯାଉଛି । ନୂତନ ଚାରା ପାଇଁ ୧୬୦ରୁ ଉଦ୍ଧ୍ୱର୍ ବେଡ ପ୍ରସ୍ତୁତ କରାଯାଇଛି ବୋଲି ଦାୟିତ୍ୱରେ ଥିବା ଫରେଷ୍ଟ ଗାର୍ଡ ମିତ୍ରଭାନୁ ନାୟକ କହିଛନ୍ତି । ପ୍ରାୟ ୪୦ ରୁ ଉଦ୍ଧ୍ୱର୍ ଶ୍ରମିକ ଏହି ନର୍ସରୀରେ କାମ କରନ୍ତି । ଓମ୍ବାଡସି ଅନୁଦାନରେ ୨୦୨୦-୨୧ ଆର୍ଥିକ ବର୍ଷରେ ୧ ଲକ୍ଷ ୫୦ ହଜାର ଚାରା ସୃଷ୍ଟି କରାଯାଇଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ୧ ଲକ୍ଷ ଚାରା ସୃଷ୍ଟି କରାଯାଇଛି । ବର ଗଛ ମଧ୍ୟ ସଫଳ ଭାବେ ଚାରା ସୃଷ୍ଟି କରାଯାଇ ପାରିଛି । ବର ଗଛ ଚାରା ଜାତୀୟ ରାଜପଥ, ରାଜ୍ୟ ରାଜପଥ ବ୍ୟତିତ ଅନ୍ୟ ରାସ୍ତାର ପଥପାଶ୍ୱର୍ ବନୀକରଣ କରାଯିବା ପାଇଁ ସୃଷ୍ଟି କରାଯାଇଛି । ଏହାବ୍ୟତିତ ଅଧିକ ଛାଇ ଦେଉଥିବା ଏବଂ ଫଳ ଦେଉଥିବା ଅଶ୍ୱସ୍ଥ, ମେହଗାନି, ଆମ୍ବ, ପଣସ, ଜାମୁ, ନିମ୍ବ, କର ଚାରା ଅଧିକ ପରିମାଣରେ ସୃଷ୍ଟି କରାଯାଇଛି । ଏହି ନର୍ସରୀରେ ଜୈବିକ ସାର ବ୍ୟବହାର କରାଯାଇ ଚାରା ପ୍ରସ୍ତୁତ ହେଉଛି । ପ୍ରଥମ ଥର ପାଇଁ ଡିଏଫଓ ଧନରାଜ ଏଚଡିଙ୍କ ପରାମର୍ଶ କ୍ରମେ ବଡ ପଲିଥିନରେ ଚାରା ସୃଷ୍ଟି କରାଯାଇଛି । ଯାହାକି ବଡ ବଡ ଚାରା ସୃଷ୍ଟି କରାଯାଇ ପାରୁଛି । ଏହି ହାଇଟେକ ନର୍ସରୀରୁ ଚାରା ନେଇ ସଦର ଥାନା ଅନ୍ତର୍ଗତ କେନ୍ଦୁଆ ଠାରେ ୩୨ ହଜାର ବନୀକରଣ କରାଯାଇ ନୂତନ ଜଙ୍ଗଲ କରାଯାଇଛି । ଏତଦବ୍ୟତିତ ହାଡିଭଙ୍ଗା, କେରୀ, ବଳଭ୍ରଦପୁର, ନରଣପୁର ଆଦି ଅଞ୍ଚଳରେ ବନୀକରଣ ହୋଇଛି । ଚଳିତ ବର୍ଷ ମଞ୍ଜି ସଂଗ୍ରହ କରି ଉପଯୁକ୍ତ ବିଶୋଧନ କରି ଚାରା ସୃଷ୍ଟି କରିବା ପାଇଁ ପ୍ରସ୍ତୁତି ଚାଲିଛି ।