ପ୍ରଥମ ଦିନରେ ୨୯ ଏମ୍ପି
ଆରମ୍ଭ ହେଲା +୨ ପରୀକ୍ଷା
ଭୁବନେଶ୍ୱର,୨୮ା୪(ବୁ୍ୟରୋ): ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇଛି । ଦୀର୍ଘ ୨ବର୍ଷ ପରେ ପିଲାଏ ପରୀକ୍ଷାକେନ୍ଦ୍ରରେ ବସିଛନ୍ତି । ପରୀକ୍ଷାକେନ୍ଦ୍ରକୁ ସକାଳ ୮ଟା ୩୦ରୁ ପରୀକ୍ଷାର୍ଥୀମାନେ ପ୍ରବେଶ କରିଥିଲେ । ପ୍ରବେଶ ସମୟରେ ଯାଞ୍ଚ କଡାକଡି କରାଯାଇଥିଲା । ପରୀକ୍ଷାର୍ଥୀମାନେ ସେମାନଙ୍କର ଆଡମିଟ୍ କାର୍ଡ ଦେଖାଇ କେନ୍ଦ୍ରକୁ ପ୍ରବେଶ କରିଥିଲେ । ସେହିପରି ପ୍ରତି ପରୀକ୍ଷାକେନ୍ଦ୍ରରେ ତ୍ରିସ୍ତରୀୟ ଯାଞ୍ଚ କରାଯାଇଥିଲା । ୮ଟା୫୦ମିନିଟ୍ରେ ପ୍ରଶ୍ନପତ୍ର ଦିଆଯାଇଥିବା ବେଳେ ୮ଟା ୫୫ରେ ଉତ୍ତରଖାତା ପ୍ରଦାନ କରାଯାଇଥିଲା । ଗୁରୁବାର ଉଭୟ କଳା ଏବଂ ବାଣିଜ୍ୟ ବିଷୟର ଓଡ଼ିଆ ବିଷୟ ପରୀକ୍ଷା ହୋଇଛି । ତେବେ ରାଜ୍ୟରେ ୧୧୩୩ ପରୀକ୍ଷାକେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହିତ ପରୀକ୍ଷା ଶେଷ ହୋଇଥିବା ଜଣାପଡ଼ିଛି । ପ୍ରଥମ ଦିନରେ ୪ଟି ଜୋନ୍ରେ ମୋଟ୍ ୨୯ଜଣ ପରୀକ୍ଷାର୍ଥୀ କପି କରି ଧରାପଡିବା ପରେ ସେମାନଙ୍କୁ ଏମ୍ପି କରାଯାଇଛି ।
ସେଥିରୁ ସମ୍ବଲପୁର ଜୋନରେ ୧୧ଜଣ କପି କରି ଧରାପଡିଥିବା ବେଳେ ବାରିପଦା ଜୋନରୁ ୧୦ଜଣ, ସେଣ୍ଟ୍ରାଲ ଜୋନରୁ ୮ଜଣ ପରୀକ୍ଷାର୍ଥୀ ରହିଛନ୍ତି । ମାତ୍ର ବ୍ରହ୍ମପୁର ଜୋନରୁ କୌଣସି ପରୀକ୍ଷାର୍ଥୀ କପି କରିନଥିବା ଜଣାପଡ଼ିଛି ।
ହବ୍ କେନ୍ଦ୍ରରୁ ସକାଳ ୬ଟାରୁ ପ୍ରଶ୍ନପତ୍ର ବିଭିନ୍ନ ପରୀକ୍ଷାକେନ୍ଦ୍ରକୁ ପଠାଯାଇଥିଲା । ପ୍ରାୟତଃ ସମସ୍ତ ପରୀକ୍ଷାକେନ୍ଦ୍ରଗୁଡିକରେ ସକାଳ ୮ଟା ସୁଦ୍ଧା ପ୍ରଶ୍ନପତ୍ର ପହଞ୍ଚôଥିବା +୨ ପରିଷଦ ପକ୍ଷରୁ ସୂଚନା ମିଳିଛି । ଚଳିତବର୍ଷ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ କୌଣସି ଅବହେଳା କିମ୍ବା ଅନିୟମିତତାକୁ ବରଦାସ୍ଥ କରାଯିବ ନାହିଁ ବୋଲି ଗଣଣିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଚେତାବନି ଦେଇଛନ୍ତି । ଫଳରେ ସବୁ ପରୀକ୍ଷାକେନ୍ଦ୍ରରେ ଏଥର ସିସି ଟିିଭି ବାଧ୍ୟତାମୂଳକ କରାଯାଇଥିବା ବେଳେ ହବ୍ କେନ୍ଦ୍ରରେ ମଧ୍ୟ ସିସି ଟିଭି ବ୍ୟବସ୍ଥା କରାଯାଇ ହବ୍ ଏବଂ +୨ ପରିଷଦର ସେସ୍ପାଲ ସ୍କ୍ୱାଡ କମିଟି ସହ ସିଧାପ୍ରସାରଣର ବ୍ୟବସ୍ଥା କରାଯାଇଥିଲା । ସେହିପରି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଡେପୁଟି ସୁପରିଟେଣ୍ଡେଣ୍ଟ ନିଯୁକ୍ତ ହୋଇଥିବା ବେଳେ ସବୁ ପରୀକ୍ଷାକେନ୍ଦ୍ର ସହ +୨ ପରିଷଦର ଅଧ୍ୟକ୍ଷ ଏବଂ ପରୀକ୍ଷାନିୟନ୍ତ୍ରକ ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଯୋଗାଯୋଗ କରୁଥିଲେ । କିଛି ପରୀକ୍ଷାକେନ୍ଦ୍ରରେ ଜୋନ ସ୍କ୍ୱାଡ ୨ଥର ପରିଦର୍ଶନ କରିଥିବା ବେଳେ ଆଉ କିଛି କେନ୍ଦ୍ରକୁ ଥରଟିଏ ଯାଇ ପରୀକ୍ଷାର ସ୍ଥିତି ପରଖିଥିଲେ । ପରୀକ୍ଷା ଆରମ୍ଭ ହେବା ପରେ ମୁଖ୍ୟ ଫାଟକ ବନ୍ଦ କରାଯାଇଥିବା ବେଳେ କେନ୍ଦ୍ରରେ ପୁଲିସ ମଧ୍ୟ ମୁତୟନ ହୋଇଥିଲେ ।
ପୂର୍ବାହ୍ଣ ୧୨ଟାରେ ପରୀକ୍ଷା ଶେଷ ହୋଇଥିଲା । ପରୀକ୍ଷା ଭଲ ହୋଇଥିବାରୁ ପରୀକ୍ଷାର୍ଥୀମାନେ ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା । ପ୍ରଶ୍ନପତ୍ରରେ ୫୦% ମଲ୍ଟିପୁଲ ଚଏସ୍ ପ୍ରଶ୍ନ, ୩୦% ୨,୩ମାର୍କର ପ୍ରଶ୍ନ ଏବଂ ୨୦% ୬ମାର୍କ ବିଶିଷ୍ଟ ପ୍ରଶ୍ନ ରହିଥିଲା ।
ପ୍ରକାଶଥାଉ କି, ଚଳିତବର୍ଷ ରାଜ୍ୟର ୧୧୩୩ଟି ପରୀକ୍ଷକେନ୍ଦ୍ରରେ ମୋଟ୍ ୩ଲକ୍ଷ ୨୧ହଜାର ୫୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ସେଥିରୁ କଳାରେ ୨ଲକ୍ଷ ୧୩ହଜାର ୪୩୨ ଜଣ ପରୀକ୍ଷାର୍ଥୀ ଥିବା ବେଳେ ବିଜ୍ଞାନରେ ୭୮ହଜାର ୭୭ଜଣ, ବାଣିଜ୍ୟରେ ୨୪ହଜାର ୧୩୬ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୬୩ଜଣ ରହିଛନ୍ତି । ପରୀକ୍ଷାରେ ସ୍ୱଚ୍ଛତା ଆଣିବା ଲାଗି ୫୦୧ରୁ ୧୦୦୦ ପରୀକ୍ଷାର୍ଥୀ ଥିବା କେନ୍ଦ୍ରରେ ଦୁଇ ଜଣ ଡେପୁଟି ସୁପରିଟେଣ୍ଡେଣ୍ଟ ନିଯୁକ୍ତ ହୋଇଥିବା ବେଳେ ୧୦୦୧ରୁ ୧୨୫୦ ପରୀକ୍ଷାର୍ଥୀଙ୍କ ଲାଗି ୩ଜଣ, ୧୨୫୧ରୁ ୧୫୦୦ ପରୀକ୍ଷାର୍ଥୀଙ୍କ ଲାଗି ୪ଜଣ, ୧୫୦୧ରୁ ୨୦୦୦ ପରୀକ୍ଷାର୍ଥୀଙ୍କ ପାଇଁ ୫ ଜଣ ଓ ୨୦୦୧ରୁ ଅଧିକ ପରୀକ୍ଷାର୍ଥୀ ଥିବା କେନ୍ଦ୍ରରେ ୬ ଜଣ ଡେପୁଟି ସୁପରିଟେଣ୍ଡେଣ୍ଟ ନିଯୁକ୍ତ ହୋଇଥିଲେ । କରୋନା କଟକଣାକୁ ଗୁରୁତ୍ୱ ଦିଆଯାଇ କୋଭିଡ ନିୟମ ମୁତାବକ ପରୀକ୍ଷା ପରିଚାଳନା କରାଯାଉଛି । ଗ୍ରୀଷ୍ମପ୍ରବାହକୁ ଗୁରୁତ୍ୱ ଦେଇ ସବୁ କେନ୍ଦ୍ରରେ ପିଇବା ପାଣିର ବ୍ୟବସ୍ଥା ରହିଥିବା ବେଳେ ଶ୍ରେଣୀରେ ଫ୍ୟାନ୍ ଏବଂ ଅନ୍ୟାନ୍ୟ ସୁବିଧା କରାଯାଇଛି । ଏପରିକି ପରୀକ୍ଷା ସମୟରେ ଯଦି କୌଣସି ପରିକ୍ଷାର୍ଥୀଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହୁଏ ତେବେ ସେମାନଙ୍କୁ ତୁରନ୍ତ ହସ୍ପଟାଲନେବା ପାଇଁ ମଧ୍ୟ ଚଳିତବର୍ଷ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା +୨ ପରିଷଦ ପକ୍ଷରୁ ଜଣାପଡ଼ିଛି ।