କେନ୍ଦୁପତ୍ର ତୋଳାଳିଙ୍କୁ ଅଣଦେଖା
ସରକାରୀ ଯୋଜନା ବାଟମାରଣା
ଫୁଲବାଣୀ (ବୁ୍ୟରୋ): ଜିଲ୍ଲାରେ ସମସ୍ତ କେନ୍ଦୁପତ୍ର ତୋଳାଳି, ଫଡ଼ି କମିଟି ଅଭିଯୋଗ ଅନୁଯାୟୀ ଦୀର୍ଘ ବର୍ଷ ଧରି ଫଡି କମିଟି ଗଠନ ଲୁକାୟିତ ଭାବରେ ବିଭିନ୍ନ ସର୍କଲ୍ରେ ହୋଇଅସୁଛି । ତାହା ମୁନ୍ସି କିମ୍ବା ସିଜିନାଲ୍ କର୍ମଚାରୀ ଓ ଗ୍ରାମବାସୀ ମଧ୍ୟ ଜାଣି ପାରୁ ନାହାନ୍ତି । ଫଡି କମିଟି ଗଠନ କେଉଁ ପ୍ରକାର ହେବା କଥା, ସେଠାରେ କିଏ ସଭ୍ୟ ରହିବା କଥା, ଗଠନର ଉଦେ୍ଦଶ୍ୟ, କାର୍ଯ୍ୟକାରୀତା ବିଷୟରେ କେହି ମଧ୍ୟ ଜାଣନ୍ତି ନାହିଁ । ଫଡି କମିଟି ଗଠନ ଲୋକଙ୍କ ଜ୍ଞାତସାରରେ ବୈଠକ ମାଧ୍ୟମରେ କରାଯିବା କଥା କିନ୍ତୁ ଏହାକୁ କାହିଁକି ଲୁକ୍କାୟିତ ଭାବେ ବିଭାଗୀୟ କର୍ମଚାରୀଙ୍କ କରିଆସୁଛନ୍ତି ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଫଡି ଏରିଆର ସମସ୍ତ ତୋଳାଳୀଙ୍କ ଉପସ୍ଥିତିରେ ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତି କରାଯିବାକୁ ଦାବି ହେଉଛି ।
ଗତ ୨୦୧୯-୨୦ରୁ ଆରମ୍ଭ କରି ୨୦୨୦-୨୧ ଆର୍ଥôକ ବର୍ଷରେ ତୋଳାଳୀ ମାନଙ୍କ ପ୍ରାପ୍ୟ/ବୋନସ୍ ଠିକ୍ ଭାବେ ମିଳି ପାରିନାହିଁ । ତତ୍ ସଂପର୍କରେ ବିଭାଗୀୟ କର୍ମଚାରୀଙ୍କୁ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଆଶ୍ୱାସନା ମିଳଛି ସତ କିନ୍ତୁ ସମୟ ମଧ୍ୟରେ ମିଳୁନାହିଁ, କେଉଠି ଅଧିକାରୀମାନଙ୍କ ଖାମ ଖିଆଲି ମନଭାବ ତ କେଉଁଠି ପୋଷ୍ଟାଲ କର୍ମଚାରୀଙ୍କ ଅବହେଳା । ଏମାନଙ୍କ ମଧ୍ୟରେ ପେଷି ହେଉଛନ୍ତି ଗରିବ ଶ୍ରମିକ । ଅଧିକାରୀଙ୍କ ଦପ୍ତରକୁ ଗଲେ କର୍ମଚାରୀମାନେ କହୁଛନ୍ତି ବାବୁ ଛୁଟିରେ ଅଛନ୍ତି । କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ସରକାର ବିଭିନ୍ନ ଯୋଜନାରେ ବହୁ ସୁବିଧା ଉପଲବ୍ଧ କରିଛନ୍ତି । ମାତ୍ର ସମସ୍ତ ଯୋଜନା କେବଳ ପ୍ରଚାର ଓ ପ୍ରସାର ଭିତରେ ସୀମିତ ରହିଛି । କିଛି ସରକାର ତୋଳାଳୀଙ୍କ ପାଇଁ ବୋନସ୍ ଯୋଜନା ପ୍ରଦାନ କଲେ, ସତ ମାତ୍ର ସଠିକ୍ ଭାବରେ ଶ୍ରମିକ ମାନେ ତାହା ପାଇପାରୁ ନାହାନ୍ତି । ବହୁ ଶ୍ରମିକଙ୍କ ବୋନସ୍ ଆତ୍ମସାତ୍ କରାଯାଇଥିବା ଅଭିଯୋଗ ହୋଇଆସୁଛି । ଏହାର ବିଧିବଦ୍ଧ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି । ଜିଲ୍ଲାର ବହୁ ବନପାଳ ଅଫିସରେ ପ୍ରାୟତଃ ତାଲା ଝୁଲୁ ଥିବାର ଦେଖିବାକୁ ମିଳୁଛି ।
ସ୍ଥାନୀୟ କର୍ମଚାରୀ ସଂପୂର୍ଣ୍ଣ ସେକ୍ସନ ଦାୟିତ୍ୱରେ ରହି ଅଫିସ୍ କାର୍ଯ୍ୟ ନିଜ ନିଜ ଘରେ ଚଳାଉଥିବା ଅଭିଯୋଗ ହେଉଛି । ଏ ନେଇ ଶ୍ରମିକ ମାନେ ବହୁ ବାର ଆନେ୍ଦାଳନ କରିଥିଲେ ମଧ୍ୟ କିଛି ସୁଫଳ ମିଳିନି । ଏ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମୀ ପତ୍ରତୋଳା ସମୟରେ କାର୍ଯ୍ୟବନ୍ଦ ଆନେ୍ଦାଳନ କରାଯାଇ ରାଜରାସ୍ତାକୁ ଓହ୍ଲାଇବାକୁ ସଂଗଠନ ପକ୍ଷରୁ କୁହାଯାଇଛି ।