ପରମାଣୁ ବୋମାରେ ସରିବ ଯୁଦ୍ଧ!
ଆମେରିକା ଓ ନାଟୋକୁ ରୁଷ୍ର କଡ଼ା ଚେତାବନୀ
ମସ୍କୋ, ୨୮ା୪: ଏକ ପରମାଣୁ ବିଶ୍ୱଯୁଦ୍ଧରେ ହିଁ ରୁଷ୍-ୟୁକ୍ରେନ୍ ଯୁଦ୍ଧର ପରିସମାପ୍ତି ଘଟିବ ବୋଲି ରୁଷିଆ ପକ୍ଷରୁ ଆମେରିକା ଓ ନାଟୋ ଦେଶମାନଙ୍କୁ ଚେତାବନୀ ଦିଆଯାଇଛି । ରୁଷ୍ର ସରକାରୀ ଟିଭି ଚ୍ୟାନେଲ ଆର୍ଟିର ସମ୍ପାଦିକା ମାର୍ଗାରିଟା ସିମୋନ୍ୟାନ ବୁଧବାର ରାତିରେ କହିଛନ୍ତି, ଆମେ ୟୁକ୍ରେନ୍ରେ ଯୁଦ୍ଧରେ ହାରିବୁ କିମ୍ବା ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ । ମୋର ବିଶ୍ୱାସ ତୃତୀୟ ବିଶ୍ୱଯୁଦ୍ଧ ଅଧିକ ବାସ୍ତବ । ପରମାଣୁ ବୋମା ପ୍ରୟୋଗ ପରେ ଯାଇ ୟୁକ୍ରେନ୍ ଯୁଦ୍ଧ ସରିବ । ଆମେ ସମସ୍ତେ ଦିନେ ମୃତୁ୍ୟମୁଖରେ ପଡିବା ।
ଗତ ୨ଦିନ ଭିତରେ ରାଷ୍ଟ୍ରପତି ପୁତିନ୍, ବିଦେଶମନ୍ତ୍ରୀ ସର୍ଗେଇ ଲାବରୋବ ପ୍ରମୁଖଙ୍କ ଏକାଧିକ ଧମକ ପରେ କ୍ରେମ୍ଲିନ୍ର ହାଇ ପ୍ରୋଫାଇଲ୍ ମୁଖପାତ୍ର ଭାବେ ଜଣାଶୁଣା ସିମୋନ୍ୟାନଙ୍କ ଏହି ବିବୃତି ପାଶ୍ଚାତ୍ୟ ମହଲରେ ଉଦ୍ବେଗ ସୃଷ୍ଟି କରିଛି । ଗତ ସପ୍ତାହରେ ରୁଷ୍ ପକ୍ଷରୁ ଆଣବିକ କ୍ଷେପଣାସ୍ତ୍ର ସରମତ୍-୨ ପରୀକ୍ଷା କରାଯାଇଥିଲା । ମଙ୍ଗଳବାର ବିଦେଶମନ୍ତ୍ରୀ ଲାବରୋବ ୟୁକ୍ରେନ୍ ଯୁଦ୍ଧରେ ପରମାଣୁ ଅସ୍ତ୍ର ପ୍ରୟୋଗ ସମ୍ଭାବନା ଥିବା ସୂଚନା ଦେଇଥିଲେ । ପରେ ପରେ ପୁତିନ୍ ଅନୁରୂପ ଧମକ ଦେଇଥିଲେ ।
୬୨ ଦିନର ଯୁଦ୍ଧରେ ରୁଷୀୟ ବାହିନୀ କିବ୍ ଦଖଲ କରିନପାରି ଡନ୍ବାସ୍ ଇଲାକା ଉପରେ ଫୋକସ୍ କରିବାକୁ ବାଧ୍ୟ ହୋଇଛନ୍ତି । ଜର୍ମାନୀରେ ୪୦ ଦେଶର ପ୍ରତିରକ୍ଷାମନ୍ତ୍ରୀ ସମ୍ମିଳନୀରେ ୟୁକ୍ରେନ୍କୁ ଅସ୍ତ୍ର ଯୋଗାଇବା ନିଷ୍ପତ୍ତିକୁ ପୁତିନ୍ ରୁଷ୍ ବିରୋଧରେ ଯୁଦ୍ଧ ଘୋଷଣା ବୋଲି ଧରି ନେଇଛନ୍ତି । ବୁଧବାର ରାତିରେ ୟୁକେ ପ୍ରତିରକ୍ଷା ସଚିବ ଲିଜ୍ ଟ୍ରସ୍ କହିଛନ୍ତି ୟୁକ୍ରେନ୍ ଯୁଦ୍ଧ ୧୦ବର୍ଷ ଚାଲିପାରେ । ଯଦି ପୁତିନ୍ ସାମରିକ ଲକ୍ଷ୍ୟରେ ସଫଳ ହୁଅନ୍ତି, ୟୁରୋପକୁ ଭୟାବହ ପରିଣତି ଭୋଗିବାକୁ ପଡିବ ।
‘ଆମ ଧୈର୍ଯ୍ୟ ପରୀକ୍ଷା କର ନାହିଁ’
ସମଗ୍ର ପଶ୍ଚିମ ଗୋଲାର୍ଦ୍ଧକୁ ରୁଷ୍ ଚେତାବନୀ ଦେଇ କହିଛି, ରୁଷ୍ ସୀମା ଭିତରେ କୌଣସି ପ୍ରକାର ଆକ୍ରମଣ ହେଲେ ତାହାର ଦୃଢ଼ ଜବାବ ଦିଆଯିବ । ମସ୍କୋ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଆମେରିକା ଓ ୟୁରୋପୀୟ ଦେଶମାନେ ୟୁକ୍ରେନ୍କୁ ଖୋଲାଖୋଲି ଭାବେ ଉସୁକାଉଛନ୍ତି । ଯୁଦ୍ଧରେ ସେମାନେ ୟୁକ୍ରେନ୍କୁ ସାମରିକ ଓ ଆର୍ଥିକ ସହାୟତା ଦେଉଛନ୍ତି । ୟୁକ୍ରେନ୍ ରାଜଧାନୀ କିବ୍ରୁ ରୁଷିଆର ବିଭିନ୍ନ ସ୍ଥାନକୁ ଟାର୍ଗେଟ୍ କରାଯାଉଛି । ଯଦି ଏଭଳି ଆକ୍ରମଣ ଆଗକୁ ଜାରି ରହେ, ସେ କ୍ଷେତ୍ରରେ ମସ୍କୋ ୟୁକ୍ରେନ୍ରେ ନିର୍ଣ୍ଣୟ ନେଉଥିବା କେନ୍ଦ୍ରଗୁଡ଼ିକୁ ଟାର୍ଗେଟ୍ କରିବ । ପାଶ୍ଚାତ୍ୟ ପରାମର୍ଶଦାତାମାନେ ଯେଉଁଠି ବସି ୟୁକ୍ରେନ୍କୁ ସହାୟତା କରୁଛନ୍ତି ସେହି ସ୍ଥାନଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରାଯିବ ।
ରୁଷ୍ର ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ମାରିଆ ଜଖାରୋବା କହିଛନ୍ତି ପାଶ୍ଚାତ୍ୟ ଦେଶମାନେ ରୁଷ୍ ଉପରେ ଆକ୍ରମଣ କରିବା ପାଇଁ ୟୁକ୍ରେନ୍କୁ ଆହ୍ୱାନ ଦେଉଛନ୍ତି । ଆକ୍ରମଣରେ ନାଟୋ ଦେଶଗୁଡ଼ିକରୁ ପ୍ରାପ୍ତ ଅସ୍ତ୍ର ବ୍ୟବହାର କରାଯିବ । ଆମ ଧୈର୍ଯ୍ୟର ପରୀକ୍ଷା ନେବା ପାଇଁ ମୁଁ ପରାମର୍ଶ ଦେଉନାହିଁ ।
ଉଲ୍ଲେଖ୍ୟଯୋଗ୍ୟ ଯେ, ୟୁକ୍ରେନ୍ ଉପରେ ଆକ୍ରମଣର ଦୁଇ ମାସ ପରେ ରୁଷ୍ ପକ୍ଷରୁ ଗୋଟିଏ ରିପୋର୍ଟ ଜାରି କରାଯାଇ କୁହାଯାଇଛି ଯେ, କିଛିଦିନ ହେଲା ୟୁକ୍ରେନୀ ସୈନିକମାନେ ସୀମା ଡେଉଁ ରୁଷୀୟ ଇଲାକାରେ ହମଲା କରୁଛନ୍ତି । ୟୁକ୍ରେନ୍ ଏହି ଅଭିଯୋଗକୁ ଖଣ୍ଡନ ନ କରି କହିଛି ଏସବୁ ରୁଷୀୟ ସାମରିକ କାର୍ଯ୍ୟାନୁଷ୍ଠାନର ପରିଣାମ ।