୪ ମାସରେ ୬୨ ଆତଙ୍କୀ ନିପାତ
ଅପରେସନ୍ ଅଲ୍ ଆଉଟ୍ ସଫଳ
ଶ୍ରୀନଗର (ଏଜେନ୍ସି): ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଜମ୍ମୁ-କାଶ୍ମୀର ଘାଟିରେ ୬୨ ଆତଙ୍କବାଦୀଙ୍କୁ ନିପାତ କରାଯାଇସାରିଛି । ଏମାନଙ୍କ ମଧ୍ୟରୁ ୪୭ଜଣ ସ୍ଥାନୀୟ ବାସିନ୍ଦା ଏବଂ ୧୫ଜଣ ବିଦେଶୀ ନାଗରିକ ଭାବେ ଚିହ୍ନଟ କରାଯାଇଛି । ଜମ୍ମୁ-କାଶ୍ମୀର ଇନ୍ସପେକ୍ଟର ଜେନେରାଲ (ଆଇଜିପି) ବିଜୟ କୁମାର ଏସମ୍ପର୍କରେ ସୂଚନା ଦେଇଛନ୍ତି । ଆଇଜିପିଙ୍କ ଅନୁସାରେ ଜମ୍ମୁ କାଶ୍ମୀର ପୁଲିସ୍ ଏବଂ ସୁରକ୍ଷା ବଳ ପକ୍ଷରୁ ଲଗାତାର ଜାରି ରହିଥିବା ମିଳିତ ଅପରେସନ୍ ଯୋଗୁ ଏହି ସଫଳତା ମିଳିଛି । ଗତ ୪ ମାସ ମଧ୍ୟରେ ଘାଟିର ବିଭିନ୍ନ ପ୍ରାନ୍ତରୁ ୬୨ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ଏହି ୬୨ ଆତଙ୍କବାଦୀଙ୍କ ମଧ୍ୟରେ ସର୍ବାଧିକ ୩୯ ଆତଙ୍କବାଦୀ ଲସ୍କର-ଏ-ତୋଇବା ଆତଙ୍କୀ ସଂଗଠନରୁ, ୧୫ଜଣ ଜୈଶ-ଏ-ମହମ୍ମଦ୍ରୁ , ୬ଜଣ ହିଜ୍ବୁଲ୍ ମୁଜାହିଦ୍ଦିନ୍ରୁ ଏବଂ ୨ଜଣ ଅଲ୍ ବଦର ଗ୍ରୁପ୍ରୁ ସାମିଲ ରହିଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ଆତଙ୍କବାଦୀ ଗ୍ରୁପ୍ର କମାଣ୍ଡର ମଧ୍ୟ ସାମିଲ ଥିବା ବିଜୟ କୁମାର ଦର୍ଶାଇଛନ୍ତି ।
ଆଇଜିପି ବିଜୟ କୁମାରଙ୍କ କହିବାନୁସାରେ ଅନନ୍ତନାଗ, କୁଲମାଗ, ହିନ୍ଦୱାରା, ସୋପିଆନ୍ ଆଦି ଅଞ୍ଚଳରେ ସର୍ବାଧିକ ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ମିିଳିବା ପରେ କମ୍ବିଂ ଅପରେସନ୍ କରାଯାଇଥିଲା । ସେ କହିଛନ୍ତି, କାଶ୍ମୀରରେ ଗୁଇନ୍ଦା ସୂଚନା, ସୁରକ୍ଷା ବାହିନୀର ସତର୍କତା ଯୋଗୁଁ ଆତଙ୍କବାଦୀମାନଙ୍କ ନିପାତ ସମୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ମୃତୁ୍ୟବରଣ କରିଥିବା ୬୨ ଆତଙ୍କୀଙ୍କ ମଧ୍ୟରୁ ୩୨ଜଣ ଆତଙ୍କବାଦୀ ସଂଗଠନରେ ଯୋଗ ଦେବାର ମାତ୍ର ୩ମାସ ମଧ୍ୟରେ ମୃତୁ୍ୟବରଣ କରିଛନ୍ତି । ଅନ୍ୟପକ୍ଷେ ଜମ୍ମୁ କାଶ୍ମୀର ଆଇଜିପିଙ୍କ ଏପ୍ରକାର ସୂଚନା ଆସିବା ପରେ ସେନା ତଥା ସୁରକ୍ଷାବଳ ପକ୍ଷରୁ ଆତଙ୍କବାଦୀ ବିରୋଧୀ ଅଭିଯାନ ଅପରେସନ୍ ଅଲ୍ ଆଉଟ୍ ସଫଳ ହୋଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନାଯୋଗ୍ୟ, ପୂର୍ବବର୍ଷ ଅର୍ଥାତ୍ ୨ଠ୨୧ରେ ଜମ୍ମୁ-କାଶ୍ମୀର ପୁଲିସ୍ ଏବଂ ସୁରକ୍ଷାବଳର ଯବାନ୍ମାନେ ମିଳିତ ଭାବେ ମୋଟ୍ ୧୮୨ ଆତଙ୍କବାଦୀଙ୍କୁ କେବଳ ଘାଟି ଅଞ୍ଚଳରେ ନିପାତ କରିବାରେ ସଫଳ ହୋଇଥିଲେ ।