କ୍ୱାର୍ଟରରେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ
ବ୍ୟାଡ୍ମିଣ୍ଟନ ଏସିଆ ଚାମ୍ପିଅନ୍ସିପ୍ସ
ମାନିଲା (ଫିଲିପିନ୍ସ), ୨୮ା୪ (ଏଜେନ୍ସି): ଭାରତର ତାରକା ସଟ୍ଲର୍ ପିଭି ସିନ୍ଧୁ ନିମ୍ନ ମାନ୍ୟତାଧାରିଣୀ ଇଣ୍ଡୋନେସିଆର ୟୁଏ ୟାନ୍ ଜସଲିନ୍ ହୁଇଙ୍କୁ ସିଧାସଳଖ ଗେମ୍ରେ ହରାଇ ଗୁରୁବାର ବ୍ୟାଡ୍ମିଣ୍ଟନ ଏସିଆ ଚାମ୍ପିଅନ୍ସିପ୍ସର ମହିଳା ଏକକ କ୍ୱାର୍ଟର୍-ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଭାରତର ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟି ମଧ୍ୟ ଅନ୍ତିମ-୮ରେ ପ୍ରବେଶ କରିଛନ୍ତି । ତେବେ ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ସାଇନା ନେହୱାଲ୍ ଓ ବିଶ୍ୱ ଚାମ୍ପିଅନ୍ସିପ୍ସ ରୌପ୍ୟ ବିଜେତା କିଦାମ୍ବୀ ଶ୍ରୀକାନ୍ତ ପରାଜୟ ସହ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି ।
ଚତୁର୍ଥ ସିଡ୍ ସିନ୍ଧୁ ୧୦୦ତମ ମାନ୍ୟତାଧାରିଣୀ ହୁଇଙ୍କୁ ୨୧-୧୬, ୨୧-୧୬ରେ ପରାସ୍ତ କରିଥିଲେ । ଏହି ମ୍ୟାଚ୍ ୪୨ ମିନିଟ୍ ଧରି ଚାଲିଥିଲା । ଦୁଇ ଥର ଅଲିମ୍ପିକ୍ ପଦକ ବିଜୟିନୀ ପରବର୍ତ୍ତୀ ରାଉଣ୍ଡରେ ତୃତୀୟ ସିଡ୍ ଚୀନ୍ର ହି ବିଙ୍ଗ୍ ଜିଆଓଙ୍କୁ ଭେଟିବେ, ଯାହାଙ୍କୁ ସେ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଲଢ଼େଇରେ ହରାଇଥିଲେ । ବିଶ୍ୱର ସାତ ନମ୍ବର ଖେଳାଳି ସିନ୍ଧୁଙ୍କ ବିଙ୍ଗ୍ ଜିଆଓଙ୍କ ବିପକ୍ଷରେ ୭-୯ ଜୟ-ପରାଜୟ ରେକର୍ଡ ରହିଛି ।
ପୁରୁଷ ଯୁଗଳରେ ତୃତୀୟ ସିଡ୍ ଯୋଡ଼ି ସାତ୍ତ୍ୱିକ ଓ ଚିରାଗ ଚମକ୍ପ୍ରଦ ପ୍ରଦର୍ଶନ କରି ଜାପାନ୍ର ଅକିରା କୋଗା ଓ ତାଇଚି ସାଇତୋଙ୍କୁ ୨୧-୧୭, ୨୧-୧୫ରେ ମାତ୍ ଦେଇଥିଲେ । ବିଶ୍ୱର ସାତ ନମ୍ବର ଭାରତୀୟ ଯୋଡ଼ି ପରବର୍ତ୍ତୀ ରାଉଣ୍ଡରେ ମାଲେସିଆର ଆରୋନ୍ ଚିଆ ଓ ସୋହ ୱି ୟିକ୍ ଅଥବା ସିଙ୍ଗାପୁରର ଡାନି ବାୱା କ୍ରିସ୍ନାନ୍ତା ଓ ଜୁନ୍ ଲିଆଙ୍ଗ ଆଣ୍ଡି ୱେକ୍ଙ୍କୁ ଭେଟିବେ ।
ଅନ୍ୟପଟେ, ସାଇନାଙ୍କ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ପଦକ ଜିତିବା ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି । ସେ ପ୍ରି-କ୍ୱାର୍ଟରରେ ବିଶ୍ୱର ୧୬ତମ ଖେଳାଳି ଚୀନ୍ର ୱାଙ୍ଗ ଝି ୟି’ଙ୍କଠାରୁ ୨୧-୧୨, ୭-୨୧, ୧୩-୨୧ରେ ହାରି ଯାଇଥିଲେ । ପୁରୁଷ ଏକକରେ ସପ୍ତମ ସିଡ୍ ଶ୍ରୀକାନ୍ତଙ୍କ ଅଭିଯାନ ମଧ୍ୟ ଶେଷ ହୋଇଛି । ସେ ଚୀନ୍ର ୱେଙ୍ଗ୍ ହଙ୍ଗ୍ ୟାଙ୍ଗ୍ଙ୍କଠାରୁ ୧୬-୨୧, ୨୧-୧୭, ୧୭-୨୧ରେ ପରାଜିତ ହୋଇଥିଲେ । ଏହି ମ୍ୟାଚ୍ ଏକ ଘଣ୍ଟା ୧୭ ମିନିଟ୍ ଧରି ଚାଲିଥିଲା ।