ମୋଦିଙ୍କ ପେଟ୍ରୋଲ ପଲିଟିକ୍ସ
କରୋନା ମିଟିଂରେ ବିରୋଧୀଙ୍କୁ ଟାର୍ଗେଟ୍
ରାଜ୍ୟମାନଙ୍କ ନାଁ ନେଇ ଟିକସ କମାଇବାକୁ କହିଲେ
ପ୍ରଧାନମନ୍ତ୍ରୀ ଭେଦଭାବ କରୁଛନ୍ତି: ବିରୋଧୀ
ନୂଆଦିଲ୍ଲୀ,୨୭ା୪: ଦେଶରେ କରୋନା ସଂକ୍ରମଣ ମାମଲା ବଢିବା ଘଟଣାର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମୁଖ୍ୟମନ୍ତ୍ରୀମାନଙ୍କୁ ଭର୍ଚୁଆଲ୍ ମିଟିଂ ଡାକିଥିଲେ । ସେଥିରେ ମହାମାରୀ ଓ ୟୁକେନ୍ର-ରୁଷ୍ ଯୁଦ୍ଧ ଯୋଗୁଁ ଦେଶର ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଥିବା ଉପରେ ମଧ୍ୟ ଏହି ବୈଠକରେ ଚର୍ଚ୍ଚା ହୋଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅଣ ବିଜେପି ଶାସିତ ରାଜ୍ୟ ସରକାରମାନଙ୍କୁ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପାଇଁ ଦାୟୀ କରିବା ସହ ଇନ୍ଧନ ଉପରୁ ଭାଟ୍ କମାଇ ଲୋକଙ୍କ ଉପରୁ ମହଙ୍ଗା ବୋଝ କମ୍ କରିବା ଲାଗି ନିବେଦନ କରିଥିଲେ । ଏ କ୍ଷେତ୍ରରେ କେତେକ ରାଜ୍ୟ କେନ୍ଦ୍ର ସହ ତାଳମେଳ ରଖୁନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିବାରୁ ବିରୋଧୀ ଦଳମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାଧାରଣ ଜନତାଙ୍କ ଇନ୍ଧନ ବ୍ୟୟଭାର ହ୍ରାସ କରାଇବା ଉଦେ୍ଦଶ୍ୟରେ ଗତବର୍ଷ ନଭେମ୍ବରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଉପରୁ ୫ଟଙ୍କା ଓ ଡିଜେଲ ଉପରୁ ୧୦ଟଙ୍କା ଏକ୍ସାଇଜ୍ ଡୁ୍ୟଟି କମାଇ ଦିଆଯାଇଥିଲା ଏବଂ ରାଜ୍ୟମାନଙ୍କୁ ଅନୁରୂପ ପଦକ୍ଷେପ ନେବା ଲାଗି ଅପିଲ୍ କରାଯାଇଥିଲା । ଗୁଜରାଟ, କର୍ଣ୍ଣାଟକ ଆଦି ରାଜ୍ୟମାନେ ପେଟ୍ରୋଲ-ଡିଜେଲ ଉପରୁ ଭାଟ୍ କମାଇଲେ, କିନ୍ତୁ ଆଉ କେତେକ ରାଜ୍ୟ ଭାଟ୍ ନ କମାଇବା ଫଳରେ ଲୋକଙ୍କ ଆର୍ଥିକ ବୋଝ ବଢିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ୭ଟି ରାଜ୍ୟର ନାଁ ନେଇ କହିଲେ ଯେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ଝାଡଖଣ୍ଡ ଓ ତାମିଲନାଡୁ ପେଟ୍ରୋଲ-ଡିଜେଲ ଉପରୁ ଭାଟ୍ କମାଇ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରନ୍ତୁ । “ମୁଁ ନିବେଦନ କରୁଛି ଦେଶ ହିତରେ ଗତ ନଭେମ୍ବରରେ ଯାହା କରିବା ଉଚିତ୍ ଥିଲା ସେଥିରେ ୬ମାସ ବିଳମ୍ବ ହୋଇଗଲାଣି । ଏବେ ଭାଟ୍ କମାଇ ଜନତାଙ୍କୁ ଉପକୃତ କରାଯାଉ ।” ସେ କହିଲେ, ଭାଟ୍ କମାଇଥିବା ରାଜ୍ୟରେ ପେଟ୍ରୋଲ-ଡିଜେଲ୍ ମୂଲ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି । ଗୁଜରାଟ ସରକାର ଟାସ୍କ କମାଇ ନଥିଲେ ଅଧିକ ସାଢେ ୩ହଜାର କୋଟି ଟଙ୍କା ରାଜସ୍ୱ ପାଇଥାନ୍ତେ । କେତେକ ରାଜ୍ୟ ଭାଟ୍ ନ କମାଇ ୬ ମାସ ଭିତରେ ସାଢେ ୫ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ଆୟ କରିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ବିଭିନ୍ନ ସହରରେ ପେଟ୍ରୋଲ-ଡିଜେଲ ଦରରେ ଥିବା ପାର୍ଥକ୍ୟ ଦର୍ଶାଇ କହିଥିଲେ, ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ଦର ପ୍ରାୟ ୧୧୧ ଟଙ୍କା ଥିବା ସ୍ଥଳେ ଜୟପୁରରେ ୧୧୮ ଟଙ୍କାରୁ ଅଧିକ, ହାଇଦ୍ରାବାଦରେ ୧୧୯ ଟଙ୍କାରୁ ଅଧିକ, କୋଲକତାରେ ୧୧୫ ଟଙ୍କାରୁ ଅଧିକ ଓ ମୁମ୍ବାଇରେ ୧୨୦ ଟଙ୍କାରୁ ଅଧିକ ହୋଇଛି । ମୁମ୍ବାଇ ନିକଟ ଡାମନ୍ରେ ପେଟ୍ରୋଲ ୧୦୨ ଟଙ୍କା, ଲକ୍ଷ୍ନୌରେ ୧୦୫ ଟଙ୍କା, ଜମ୍ମୁରେ ୧୦୬ ଟଙ୍କା, ଗୁଆହାଟୀରେ ୧୦୫ ଟଙ୍କା ଓ ଗୁଡଗାଓଁରେ ୧୦୫ ଟଙ୍କା ଦରରେ ବିକ୍ରି ହେଉଛି । ଉତ୍ତରାଖଣ୍ଡ ଭଳି ଛୋଟ ରାଜ୍ୟର ଡେରାଡୁନ୍ରେ ପେଟ୍ରୋଲ ୧୦୩ ଟଙ୍କାରେ ମିଳୁଛି । ପ୍ରଧାନମନ୍ତ୍ରୀଙ୍କ ବୈଠକ ଶେଷ ହେବା ପରେ ପରେ ଅଣ ବିଜେପି ଶାସିତ ରାଜ୍ୟ ଯଥା-ମହାରାଷ୍ଟ୍ର, ପଶ୍ଚିମବଙ୍ଗ ସରକାରଙ୍କ ପ୍ରତିକ୍ରିୟା ଆସିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ କହିଛନ୍ତି ଯେ, ରାଜ୍ୟମାନଙ୍କ ଯୋଗୁଁ ପେଟ୍ରୋଲ-ଡିଜେଲ୍ ମହଙ୍ଗା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିବା କଥା ଠିକ୍ ନୁହେଁ । ମୁମ୍ବାଇରେ ୧ଲିଟର ଡିଜେଲ୍ ଉପରେ ଲାଗୁଥିବା ଟିକସରୁ କେନ୍ଦ୍ର ୨୪ ଟଙ୍କା ୩୮ ପଇସା ନେଉଥିବା ସ୍ଥଳେ ରାଜ୍ୟ ପାଉଛି ୨୨ ଟଙ୍କା ୩୭ ପଇସା । ସେହିପରି ୧ ଲିଟର ପେଟ୍ରୋଲରେ କେନ୍ଦ୍ରୀୟ କର ୩୧ ଟଙ୍କା ୫୮ପଇସା ହୋଇଥିବାବେଳେ ରାଜ୍ୟ କର ୩୨ ଟଙ୍କା ୫୫ ପଇସା । ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ମହାରାଷ୍ଟ୍ର ସରକାର ପୂର୍ବରୁ ପ୍ରାକୃତିକ ଗ୍ୟାସ୍ ଉପରୁ ଟିକସ ହ୍ରାସ କରିଛନ୍ତି । କେନ୍ଦ୍ର ସରକାର ମହାରାଷ୍ଟ୍ରର ୨୬ ହଜାର ୫୦୦କୋଟି ଟଙ୍କା ଜିଏସ୍ଟି ପ୍ରାପ୍ୟ ଏଯାଏଁ ଦେଇନାହାନ୍ତି । ରାଷ୍ଟ୍ରୀୟସ୍ତରରେ ପ୍ରତ୍ୟକ୍ଷ କର ଓ ଜିଏସ୍ଟି ସଂଗ୍ରହରେ ମହାରାଷ୍ଟ୍ରର ଯୋଗଦାନ ଯଥାକ୍ରମେ ୩୮.୩ ଓ ୧୫ ପ୍ରତିଶତ । ତଥାପି କେନ୍ଦ୍ର ଆମ ସହ ଭେଦଭାବ କରୁଛି । ତୃଣମୂଳ କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବୟାନକୁ ତୀବ୍ର ସମାଲୋଚନା କରାଯାଇଛି । ସାଂସଦ ସୌଗତ ରାୟ କହିଛନ୍ତି, କେନ୍ଦ୍ର ସରକାର ଇନ୍ଧନ ଦର ନିୟନ୍ତ୍ରଣ କରି ନ ପାରି ରାଜ୍ୟମାନଙ୍କ ଉପରେ ଦୋଷ ଲଦୁଛନ୍ତି । କେନ୍ଦ୍ର ପ୍ରଥମେ ବକେୟା ଜିଏସ୍ଟି ଦେଉ । ବିଜେପିର ରାଜନୈତିକ ସ୍ୱାର୍ଥ ପାଇଁ କରୋନା ମିଟିଂର ଉପଯୋଗ କରାଯିବା ଅନୁଚିତ୍ । ଆମେ ଏହାକୁ ନିନ୍ଦା କରୁଛୁ ।
ଝାଡଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା କହିଛନ୍ତି ପ୍ରଧାନମନ୍ତ୍ରୀ ସ୍ୱାର୍ଥ ପରିବେର୍ତ୍ତ ପେଟ୍ରୋଲ-ଡିଜେଲ୍ ଉପରେ ଅଧିକ କହିଲେ, ଫଳତଃ ଏହା ରାଜନୈତିକ ବୈଠକରେ ପରିଣତ ହେଲା । ପ୍ରଧାନମନ୍ତ୍ରୀ ପେଟ୍ରୋଲ-ଡିଜେଲକୁ ଜିଏସ୍ଟି ପରିସରଭୁକ୍ତ କରି ସମଗ୍ର ଦେଶ ପାଇଁ ଗୋଟିଏ ନୀତି ପ୍ରଣୟନ କରନ୍ତୁ । କଂଗ୍ରେସ ନେତା ପବନ ଖେଡା କହିଛନ୍ତି, ପେଟ୍ରୋଲ-ଡିଜେଲ୍ରୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବାବଦରେ କେନ୍ଦ୍ର ସରକାର ୨୬ ଲକ୍ଷ କୋଟି ଟଙ୍କା ପାଇଛନ୍ତି । ଏକଥା ସେ କରୋନା ମିଟିଂରେ କହିଲେ କି? ରାଜ୍ୟମାନଙ୍କୁ ଯଥା ସମୟରେ ଜିଏସ୍ଟି ପ୍ରାପ୍ୟ ଦିଆଯାଇ ନାହିଁ । ତଥାପି ସେ ଭାଟ୍କୁ ଆହୁରି କମାଇବା ପାଇଁ ରାଜ୍ୟମାନଙ୍କ ଉପରେ ଚାପ ପକାଉଛନ୍ତି ।