ପୁରୀରେ ଅପରାଜିତାଙ୍କ ହାଇଡ୍ରାମା
ପୁରୀ, ୨୭ା୪ (ବୁ୍ୟରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ପଦଯାତ୍ରା ପାଇଁ ଅନୁମତି ନ ଥିବା ସତ୍ତ୍ୱେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଶତାଧିକ ସମର୍ଥକଙ୍କ ସହିତ ପୁରୀରେ ପହଞ୍ଚି ହାଇଡ୍ରାମା କରିଛନ୍ତି । ଅଧବାଟରେ ପୁଲିସ ଅଟକାଇବାରୁ କିଛି ବାଟ ଚାଲିଚାଲି ଯିବା ପରେ ପ୍ରଶାସନର ଅନୁମତିକ୍ରମେ ଗାଡିÿରେ ଯାଇଛନ୍ତି । ପୁରୀର ପ୍ରବେଶ ପଥରୁ ପୁଣି ଚାଲିଚାଲି ଯିବା ବେଳେ ତାଙ୍କ ଉପରେ ଟମାଟୋ ମାଡ଼ କରାଯାଇଛି । ସେହିପରି ତାଙ୍କ ସମର୍ଥକମାନେ ବଡ଼ଦାଣ୍ଡରେ ନାରାବାଜି କରିବାରୁ ଟାଉନ ଥାନାରେ ଏତଲା ଦିଆଯାଇଛି । ବୁଧବାର ପୁର୍ବାହ୍ନରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରାୟ ୧୦ରୁ ଊଦ୍ଧ୍ୱର୍ ଗାଡିରେ ସମର୍ଥକଙ୍କୁ ନେଇ ପୁରୀରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଚନ୍ଦନପୁର ଥାନା କାଠପୋଲ ନିକଟରେ ପୁଲିସ ଅଟକାଇଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ଅତିରିକ୍ତ ଏସ୍ପି ମିହିର କୁମାର ପଣ୍ଡା ପହଞ୍ଚି ଦୁଇଟି ଗାଡ଼ିରେ ଶ୍ରୀମନ୍ଦିର ନିକଟକୁ ଯାଇ ଦର୍ଶନ କରିବାପାଇଁ କହିଥିଲେ । ମାତ୍ର ସେ କିଛି ନ ଶୁଣି କାଠପୋଲଠାରୁ ଚାଲି ଚାଲି ମାଳତୀପାଟପୁର ପର୍ଯ୍ୟନ୍ତ ଯାଇଥିଲେ । ଟାଣ ଖରାରେ ୨ କିଲୋମିଟର ଚାଲିବା ପରେ ପ୍ରଶାସନ ପକ୍ଷରୁ ସାଂସଦଙ୍କୁ ଗାଡି ଯୋଗେ ଯିବା ଲାଗି ଅନୁମତି ମିଳିଥିଲା । ସମର୍ଥକଙ୍କ ସହ ଅପରାଜିତା ଗାଡିରେ ଯାଇ ପୁଣି ମେଡିକାଲ ଛକଠାରୁ ଚାଲିଚାଲି ଯିବା ସମୟରେ ଛାତ୍ର କଂଗ୍ରେସ ପୁରୀ ଶାଖା ପକ୍ଷରୁ ତାଙ୍କ ଉପରେ ଟମୋଟୋ ମାଡ କରାଯାଇଥିଲା । ଏହା ସତ୍ତ୍ୱେ ସେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁ ଓ ଅନ୍ୟ ଦେବଦେବୀଙ୍କୁ ଦର୍ଶନ କରିଥିଲେ । ତାଙ୍କ ଗସ୍ତ ପାଇଁ ୧୬ ପ୍ଲାଟୁନ୍ ଫୋର୍ସ ସହ ୫୦ରୁ ଅଧିକ ପୁଲିସ ଅଧିକାରୀ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ଏଏସ୍ଆଇ ଡିଜିଙ୍କ ନିକଟରେ ଅପରାଜିତା ଅଭିଯୋଗ କରିଥିଲେ । ପ୍ରକଳ୍ପକୁ ବିରୋଧ କରି ଶ୍ରୀମନ୍ଦିର ବଞ୍ଚାଅ ସଙ୍ଗଠନ ପକ୍ଷରୁ ବୁଧବାର ପଦଯାତ୍ରା ଡାକରା ଦେଇଥିଲା । କିନ୍ତୁ ପ୍ରଶାସନ ଅନୁମତି ନ ଦେବାର ଏହାକୁ ସ୍ଥଗିତ ରଖାଯାଇଥିଲା । ପଦଯାତ୍ରାରେ ଅପରାଜିତା ଯୋଗଦେବାର ଥିଲା ଏବଂ କାର୍ଯ୍ୟକ୍ରମ ବାତିଲ ହୋଇଥିଲେ ବି ସେ ପୁରୀ ଆସିବାରୁ ସେବାୟତମାନେ ନାପସନ୍ଦ କରିଛନ୍ତି । ଭଙ୍ଗା ବେଳେ ଦେଖା ନ ଥିଲେ, ନିର୍ମାଣ ବେଳେ କୁଆଡେ ବୋଲି କେତେକ ପ୍ରଶ୍ନ କରିଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ ଲାଗି ଯିବା ବେଳେ ଅପରାଜିତାଙ୍କ ସମର୍ଥକମାନେ ନାରାବାଜି କରିଥିଲେ । ଏହାଦ୍ୱାରା ଆଇନଶୁଙ୍ଖଳା ପରିସ୍ଥତି ସୃଷ୍ଟି ହୋଇଥିବା ଦର୍ଶାଇ ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ତଥା ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । ସାଂସଦ ବଡଦାଣ୍ଡରେ ଆଇନ ଶୃଙ୍ଖଳା ଭଙ୍ଗ କରିଥିବାରୁ ତାଙ୍କ ବିରୋଧରେ ପୁଲିସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଖୁଣ୍ଟିଆ ଦାବି କରିଛନ୍ତି । ଅନ୍ୟପକ୍ଷରେ ପୁରୀ ସହରରେ ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ହାଇଡ୍ରାମା ଚାଲିଥିବା ବେଳେ ବିଧାୟକଙ୍କ ଅନୁପସ୍ଥିତି ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଜିଲ୍ଳାର ଅଧିକାଂଶ ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସାଧାରଣ ଜନତାଙ୍କ ଦୃଷ୍ଟି ବଡ଼ଦାଣ୍ଡ ଉପରେ ଥିଲା । ହେଲେ ସ୍ଥାନୀୟ ବିଜେପି ବିଧାୟକ ଜୟନ୍ତ କୁମାର ଷଢଙ୍ଗୀଙ୍କୁ ଦେଖିବାକୁ ମିଳି ନ ଥିଲା । ବିଧାୟକ ସାଂସଦଙ୍କ ଗୋଷ୍ଠୀର ନୁହନ୍ତି ବୋଲି ଆଲୋଚନା ହେଉଥିଲା । ବିରୋଧ ମଧ୍ୟରେ ଦର୍ଶନ ସାରି ଅପରାଜିତା ଷଡ଼ଙ୍ଗୀ ଶ୍ରୀମନ୍ଦିରରୁ ବାହାରକୁ ଆସିବା ପରେ ଗଣାମଧ୍ୟମକୁ ସୂଚନା ଦେଇ କହିଛନ୍ତି, ଭୂବନେଶ୍ୱରରୁ ପୁରୀରେ ପହଞ୍ଚିବା ପର୍ଯ୍ୟନ୍ତ ବହୁ ବିରୋଧ କରାଗଲା । ସରକାରଙ୍କ ନିଦେ୍ର୍ଦଶରେ ଅଧିକାରୀମାନେ କାମ କରୁଛନ୍ତି । ସରକାର ଆଇନ୍ ଅନୁଯାୟୀ କାମ କରନ୍ତୁ । ଶ୍ରୀମନ୍ଦିର ସୁରକ୍ଷିତ ରହିଥିବା ନେଇ ଗଜପତି ଦିବ୍ୟସିଂହ ଦେବଙ୍କ ମନ୍ତବ୍ୟ ଉପରେ ସେ କହିଛନ୍ତି, ମନ୍ଦିର ସୁରକ୍ଷିତ ଅଛି କି ନାହିଁ ଏଏସ୍ଆଇ ବା ଇଞ୍ଜିନିୟର କହିବେ । ମାମଲା ହାଇକୋର୍ଟରେ ରହିଛି । କୋର୍ଟଙ୍କ ଯାହା ନିଷ୍ପତ୍ତି ନେବେ ତାହା ଠିକ୍ ହେବ ବୋଲି ଅପରାଜିତା ମନ୍ତବ୍ୟ ଦେଇଥିଲେ ।