ସ୍ତ୍ରୀକୁ ପୋଖରୀରେ ବୁଡ଼ାଇ ମାରିଲା ସ୍ୱାମୀ

ପରଜଙ୍ଗ, ୨୭ା୪ (ଆପ୍ର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଲଦା ପଞ୍ଚାୟତରେ ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି । ପୁଅକୁ ଅନ୍ୟତ୍ର ପଠାଇ ଦେଇ ଜହ୍ଲାଦ ସ୍ୱାମୀ ପକ୍ଷାଘାତରେ ପୀଡ଼ିତା ପତ୍ନୀଙ୍କୁ ପୋଖରୀରେ ବୁଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ରାମଚନ୍ଦ୍ରପୁର ଗ୍ରାମର ଦିଲ୍ଲୀପ ବେହେରାର ପତ୍ନୀ ଲକ୍ଷ୍ମୀ ବେହେରା (୪୦) ଦୀର୍ଘ ବର୍ଷ ହେବ ପକ୍ଷାଘାତରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ । ବୁଧବାର ଦିନ ଦିଲ୍ଲିପ କୌଶଳ କ୍ରମେ ତାଙ୍କୁ ପୋଖରୀକୁ ଗାଧୋଇବାକୁ ନେଇଥିଲେ । ବହୁ କଷ୍ଟରେ ଗାଧୋଇବା ସମୟରେ ଲକ୍ଷ୍ମୀଙ୍କୁ ଦିଲ୍ଲୀପ ଗଭୀର ଜଳକୁ ଠେଲି ଦେଇଥିଲା । ଲକ୍ଷ୍ମୀ ବୁଡ଼ି ଯାଇଥିବା ନିଶ୍ଚିତ ହେବା ପରେ ଦିଲ୍ଲୀପ ଗ୍ରାମରୁ ଫେରାର ହୋଇଯାଇଥିଲା । ଖବର ପାଇ ଲକ୍ଷ୍ମୀଙ୍କ ବାପ ଘର ଲୋକେ ରାମଚନ୍ଦ୍ରପୁରରେ ପହଞ୍ଚି ଘଟଣା ସଂପର୍କରେ ଅବଗତ ହୋଇ ଝିଅକୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ । ପରଜଙ୍ଗ ପୁଲିସ ଓ ଅଗ୍ନିଶମ ବାହିନୀ ପୋଖରୀରୁ ଶବ ଉଦ୍ଧାର କରିଥିଳେ । ଶବ ବ୍ୟବଛେଦ ପାଇଁ ପଠାଯାଇଛି । ପରଜଙ୍ଗ ଥାନାରେ ଏ ନେଇ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *