ଗୁଜରାଟକୁ ୧୯୬ ବିଜୟଲକ୍ଷ୍ୟ
ଆଇପିଏଲ୍ ୨୦୨୨ । ୪୦ତମ ମ୍ୟାଚ୍
ମୁମ୍ବାଇ, ୨୭ା୪ (ଏଜେନ୍ସି): ଅଭିଷେକ ଶର୍ମା ଓ ଏଡେନ୍ ମାର୍କରାମଙ୍କ ଅର୍ଦ୍ଧଶତକ ସହାୟତାରେ ସନ୍ରାଇଜର୍ସ ହାଇଦରାବାଦ ଚଳିତ ଆଇପିଏଲ୍ର ୪୦ତମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ ୧୯୬ ରନ୍ର ବିଜୟଲକ୍ଷ୍ୟ ଦେଇଛି । ରିପୋର୍ଟ ଲେଖା ଶେଷ ହେବା ବେଳକୁ ଗୁଜରାଟ ଟିମ୍ ୧୬ ଓଭର୍ରେ ୫ ୱିକେଟ୍ ହରାଇ ୧୪୦ ରନ୍ ସଂଗ୍ରହ କରିଥିଲା । ରାହୁଲ ତେୱାଟିଆ ୧୩ ରନ୍ କରି ଅପରାଜିତ ଥିଲେ ।
ଗୁଜରାଟର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ହାଇଦରାବାଦ ଟିମ୍କୁ ୱାଶିଂଟନ୍ ସୁନ୍ଦର ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ହାଇଦରାବାଦର ଅଧିନାୟକ କେନ୍ ୱିଲିଅମ୍ସନ୍ ପୁଣି ଥରେ ବିଫଳ ହୋଇଥିଲେ । ଏହା ଫଳରେ ୨୬ ରନ୍ର ଓପନିଂ ଯୋଡ଼ି ଭାଙ୍ଗିଥିଲା । ୱିଲିଅମ୍ସନ୍ ୫ ରନ୍ କରି ମହମ୍ମଦ ଶାମୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ନୂଆ ବ୍ୟାଟର୍ ରାହୁଲ ତ୍ରିପାଠୀ କେବଳ ୧୬ ରନ୍ର ଇନିଂସ୍ ଖେଳିଥିଲେ । ଏହି ୱିକେଟ୍ ବି ଶାମୀଙ୍କ ଖାତାକୁ ଯାଇଥିଲା । ଏହାପରେ କ୍ରିଜ୍ରେ ଯୋଗ ଦେଇଥିବା ଏଡେନ୍ ମାର୍କରାମଙ୍କ ସହ ମିଶି ଅଭିଷେକ ଶର୍ମା ଇନିଂସ୍କୁ ଆଗେଇ ନେଇଥିଲେ । ତୃତୀୟ ୱିକେଟ୍ ପାଇଁ ୬୧ ବଲ୍ରୁ ୯୬ ରନ୍ର ଭାଗୀଦାରୀ ହୋଇଥିଲା । ଇତ୍ୟବସରେ ଅଭିଷେକ ୩୩ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଆଇପିଏଲ୍ରେ ଏହା ତାଙ୍କର ଦ୍ୱିତୀୟ ଅର୍ଦ୍ଧଶତକ ଥିଲା ।
ଅଭିଷେକ (୪୨ ବଲ୍ରୁ ୬ ଚୌକା ଓ ୩ ଛକା ସହାୟତାରେ ୬୫ ରନ୍)ଙ୍କୁ ଆଉଟ୍ କରି ଅଲ୍ଜାରୀ ଯୋସେଫ୍ ଏହି ଯୋଡ଼ି ଭାଙ୍ଗିଥିଲେ । ପରବର୍ତ୍ତୀ ବ୍ୟାଟର୍ ନିକୋଲାସ୍ ପୂରନ୍ ମାତ୍ର ୩ ରନ୍ କରି ଶାମୀଙ୍କ ତୃତୀୟ ଶିକାର ହୋଇଥିଲେ । ୩୫ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିବା ମାର୍କରାମ ବ୍ୟକ୍ତିଗତ ୫୬ (୪୦ ବଲ୍ରୁ) ରନ୍ରେ ଯଶ ଦୟାଲ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ସେ ଆଇପିଏଲ୍ରେ ଚତୁର୍ଥ ଅର୍ଦ୍ଧଶତକ ଲଗାଇଥିଲେ । ୱାଶିଂଟନ୍ ସୁନ୍ଦର ୩ ରନ୍ କରି ରନ୍ଆଉଟ୍ ହୋଇଯାଇଥିଲେ ।
ହାଇଦରାବାଦ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୬ ୱିକେଟ୍ ହରାଇ ୧୯୫ ରନ୍ ସଂଗ୍ରହ କରିଥିଲା । ଶେଷ ଓଭର୍ରେ ୨୫ ରନ୍ ହୋଇଥିଲା । ଶଶାଙ୍କ ସିଂହ ୬ ବଲ୍ରୁ ୨୫ ଏବଂ ମାର୍କୋ ଜାନ୍ସେନ୍ ୮ ରନ୍ କରି ଅପରାଜିତ ଥିଲେ । ବିପକ୍ଷ ବୋଲର୍ ଶାମୀ ୩୯ ରନ୍ ଦେଇ ୩ ୱିକେଟ୍ ନେଇଥିବା ବେଳେ ଯଶ ଓ ଯୋସେଫ୍ଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।
୧୯୬ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ହାଇଦରାବାଦ ଟିମ୍ ପକ୍ଷରୁ ରିଦ୍ଧିମାନ ସାହା ଓ ଶୁଭମନ ଗିଲ୍ ଓପନିଂ ୱିକେଟ୍ ଯୋଡ଼ିରେ ୬୯ ରନ୍ ଯୋଗ କରିଥିଲେ । ଶୁଭମନ (୨୨)ଙ୍କୁ ଆଉଟ୍ କରି ଉମରାନ୍ ମଲିକ ଏହି ଯୋଡ଼ି ଭାଙ୍ଗିଥିଲେ । ଅନ୍ୟପଟେ ସାହା ଦୃଢ଼ ବ୍ୟାଟିଂ ଜାରି ରଖିଥିବା ବେଳେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୦ ରନ୍ କରି ଉମରାନ୍ଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ରିଦ୍ଧିମାନ ୩୮ ବଲ୍ରୁ ୧୧ ଚୌକା ଓ ୧ ଛକା ସହାୟତାରେ ୬୮ ରନ୍ କରି ଉମରାନଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଉମରାନଙ୍କ ଆଧିପତ୍ୟ ବଳବତ୍ତର ରହିଥିଲା । ଡେଭିଡ୍ ମିଲର୍ ୧୭ ଓ ଅଭିନବ ମନୋହର କୌଣସି ସ୍କୋର୍ ନ କରି ଉମରାନଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ ।