ଖର୍ଚ୍ଚ ହେବ ୧ଠଠ କୋଟି

ନୀଳମାଧବ ପୀଠ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର,୨୭ା୪(ବୁ୍ୟରୋ): କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ୱିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଏଥିନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାମ ଶେଷ ହେବ । ସମନ୍ୱିତ ଐତିହ୍ୟ ଓ କୀର୍ତ୍ତିରାଜି ବିକାଶ ଯୋଜନାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ପ୍ରକଳ୍ପର ସଫଳ କାର୍ଯ୍ୟକାରିତା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଥାନୀୟ ଜନସାଧାରଣ ଓ ସେବାୟତଙ୍କ ସହଯୋଗ କାମନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନୀଳମାଧବ ପୀଠର ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଉପରେ ବିଚାରବିମର୍ଶ ପରେ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିଲେ । ଜଗନ୍ନାଥ ସଂସ୍କୃତି ସହ ନୀଳମାଧବ ପୀଠର ନିବିଡ ସଂପର୍କ ରହିଛି । ବିଶ୍ୱାସ କରାଯାଏ ଯେ ନୀଳମାଧବ ପୀଠ ବ୍ରହ୍ମାଦ୍ରୀ ପର୍ବତରେ ମହାପ୍ରଭୁ ନୀଳମଣି ଭାବରେ ଶବର ରାଜା ବିଶ୍ୱାବସୁଙ୍କ ଦ୍ୱାରା ପୂଜା ପାଉଥିଲେ । ମହାପ୍ରଭୁଙ୍କ ଏହି ଆଦିରୂପକୁ ଦର୍ଶନ କରିବା ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ନୀଳମାଧବ ପୀଠକୁ ଆସିଥାନ୍ତି । ବ୍ରହ୍ମାଦ୍ରୀ ପର୍ବତର ଉତ୍ତର ଦିଗରେ ମହାନଦୀର ଭୀମକାନ୍ତ ରୂପ ଅତ୍ୟନ୍ତ ରମଣୀୟ । ପର୍ଯ୍ୟଟକ ମାନଙ୍କ ପାଇଁ ମଧ୍ୟ ଏହି ସ୍ଥାନ ଅନ୍ୟତମ ପ୍ରମୁଖ ଆକର୍ଷଣ । ଏହି ପବିତ୍ର ପୀଠର ସୁବ୍ୟବସ୍ଥିତ ବିକାଶ ଦ୍ୱାରା ଭକ୍ତ ଓ ପର୍ଯ୍ୟଟକ ସହିତ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଗତ ସପ୍ତାହରେ ନୀଳମାଧବ ପୀଠ ପରିଦର୍ଶନ କରି ବିକାଶ ଯୋଜନା ସଂପର୍କରେ ସେବାୟତ ତଥା ସ୍ଥାନୀୟ ଜନସାଧାରଣଙ୍କ ଓ ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନା କରି ମାଷ୍ଟର୍ପ୍ଲାନ ପ୍ରସ୍ତୁତି ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହି ମାଷ୍ଟରପ୍ଲାନରେ ମୁଖ୍ୟତଃ ମନ୍ଦିରର ପୁନରୁଦ୍ଧାର, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିକ୍ରମା ପଥ, ଚନ୍ଦନ ପୁଷ୍କରିଣୀର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ସହିତ ଚତୁଃପାର୍ଶ୍ୱ ରାସ୍ତାର ଉନ୍ନତୀକରଣ, ଛାୟାପ୍ରଦ ବୃକ୍ଷ, ଉଦ୍ୟାନ, ପାର୍କିଂ, ମହାନଦୀର କୂଳ ସୁରକ୍ଷା ଓ ନଦୀପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ଆଦି ବିଷୟରେ ଗୁରୁତ୍ୱ ଦିଆଯାଇଛି । ମନ୍ଦିରକୁ ଯାଇଥିବା ତିଖା ପାହାଚ ଶ୍ରେଣୀର ପୁନରୁଦ୍ଧାର କରାଯାଇ ଭକ୍ତମାନେ ଯେପରି ସୁବିଧାରେ ଯାଇ ପାରିବେ ତଦନୁଯାୟୀ ବିକାଶ କରାଯିବା । ଏହା ସହିତ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଚାରି ଦ୍ୱାରର ଉନ୍ନତୀକରଣ କରାଯିବ । ବୟସ୍କ ଓ ଭିନ୍ନକ୍ଷମ ମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ପଶ୍ଚିମ ଦ୍ୱାରରେ ଲିଫ୍ଟ ଓ ସ୍କାଏ ବ୍ରିଜ୍ ସୁବିଧାର ବିକାଶ କରାଯିବ । ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ଖଣ୍ଡାଲାଇଟ୍ ପଥର ବିଛାଯିବା ସହିତ ମନ୍ଦିର ଓ ଠାକୁରଙ୍କ ବଗିଚାର ବିକାଶ କରାଯିବ । ଏହାସହିତ ରାସବିହାରୀ ମଣ୍ଡପ, ରଘୁନାଥ ମଠ ଓ ବାଟମଙ୍ଗଳା ମନ୍ଦିରର ମଧ୍ୟ ବିକାଶ କରାଯିବ । ଯାତ୍ରୀଙ୍କ ଜିନିଷପତ୍ର ରଖିବା ନିମନ୍ତେ ବ୍ୟବସ୍ଥା (କ୍ଲୋକ୍ ରୁମ୍) ଏବଂ ପଦପ୍ରକ୍ଷାଳନ ବ୍ୟବସ୍ଥାର ମଧ୍ୟ ନିର୍ମାଣ କରାଯିବ । ମନ୍ଦିରକୁ ପ୍ରବେଶ ପାଇଁଁ ପୂର୍ବ ଓ ପଶ୍ଚିମ ପାର୍ଶ୍ୱ ସଡକର ପ୍ରଶସ୍ତିକରଣ କରାଯିବ । ପୂର୍ବ ପାର୍ଶ୍ୱ ସଡକକୁ ୯ ମିଟର ଓ ପଶ୍ଚିମ ପାର୍ଶ୍ୱ ସଡକକୁ ୧୨ ମିଟର ପ୍ରଶସ୍ତ କରାଯିବ । ମହାନଦୀର କୂଳ କ୍ଷୟରୁ ମନ୍ଦିରକୁ ସୁରକ୍ଷା ଯୋଗାଇବା ପାଇଁ ୪୦୦ ମିଟର ପ୍ରୋଟେକ୍ଟିଭ୍ ୱାଲ୍ ନିର୍ମାଣ କରାଯିବ ।
ଏହି ପ୍ରକଳ୍ପ ପାଇଁ ସମୁଦାୟ ଦୁଇ ଏକର ଜମି ଆବଶ୍ୟକ ପଡିବ । ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପୁନର୍ବାସ ଓ ଥଇଥାନ ନୀତି ଅନୁଯାୟୀ ଜମି ଅଧିଗ୍ରହଣ କରିବେ । ପୂର୍ତ୍ତ ବିଭାଗ ଜରିଆରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ମହାନଦୀ କୂଳ କ୍ଷୟ ରୋକିବା ପାଇଁ ପ୍ରୋଟେକ୍ଟିଭ୍ ୱାଲ୍ କାମ ଜଳସମ୍ପଦ ବିଭାଗ କରିବ ବୋଲି ଜଣାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ପ୍ରକଳ୍ପ ସଂପର୍କରେ ଉପସ୍ଥାପନା ରଖିଥିଲେ । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା, ଜଳସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ଓ ନୟାଗଡ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *