ଓଡ଼ିଶା ସ୍ପୋର୍ଟ୍ସର ଜୋର୍ଦାର ବିଜୟ
ଇଣ୍ଡିଆନ୍ ୱିମେନ୍ସ ଲିଗ୍
ଭୁବନେଶ୍ୱର, ୨୭ା୪ (ବୁ୍ୟରୋ): ସପ୍ତମ ବାଟାଲିଅନ୍ ଷ୍ଟାଡିୟମ୍ରେ ବୁଧବାର ଖେଳାଯାଇଥିବା ହିରୋ ଇଣ୍ଡିଆନ୍ ୱିମେନ୍ସ ଲିଗ୍ ମ୍ୟାଚ୍ରେ ଓଡ଼ିଶା ସ୍ପୋର୍ଟ୍ସ ସିର୍ଭୋଡେମ୍ ଏସ୍ସିକୁ ୯-୧ରେ ହରାଇ ଜୋର୍ଦାର ବିଜୟ ହାସଲ କରିଛି । ସ୍ପୋର୍ଟ୍ସ ଓଡ଼ିଶାର ଏହା ଚତୁର୍ଥ ମ୍ୟାଚ୍ରୁ ଦ୍ୱିତୀୟ ବିଜୟ । ଏଥି ସହ ଟିମ୍ ୭ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି । ଅନ୍ୟପଟେ, ସିର୍ଭୋଡେମ୍ ଏସ୍ସି ଅଦ୍ୟାବଧି ଚାରିଟି ମ୍ୟାଚ୍ ଖେଳିଥିବା ବେଳେ କୌଣସି ମ୍ୟାଚ୍ ଜିତି ପାରି ନାହିଁ ।
ଓଡ଼ିଶା ସ୍ପୋର୍ଟ୍ସ ପକ୍ଷରୁ ପ୍ୟାରୀ ଖାଖା ତିନିଟି ଗୋଲ୍ କରିଥିବା ବେଳେ ସତ୍ୟବତୀ ଖାଡ଼ିଆ ଓ ଯଶୋଦା ଦୁଇଟି ଲେଖାଏଁ ଏବଂ ଯବାମଣି ସୋରେନ୍ ଓ ଦୀପା ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ ।
ଓଡ଼ିଶା ଆକ୍ରମଣାତ୍ମକ ଆରମ୍ଭ କରି ଦ୍ୱିତୀୟ ମିନିଟ୍ରେହିଁ ଅଗ୍ରଣୀ ହାସଲ କରିଥିଲା । ସତ୍ୟବତୀ ଖାଡ଼ିଆ ବାମ ପାଶ୍ୱର୍ରୁ ବଲ୍ ପାଇ ସିଧା ନେଟ୍କୁ ପଠାଇ ଦେଇଥିଲେ । ୧୪ତମ ମିନିଟ୍ରେ ସତ୍ୟବତୀଙ୍କ ଦ୍ୱିତୀୟ ଗୋଲ୍ ବଳରେ ଓଡ଼ିଶାର ଅଗ୍ରଣୀ ଦ୍ୱିଗୁଣିତ ହୋଇଥିଲା । ମ୍ୟାଚ୍କୁ ଅଧ ଘଣ୍ଟା ପୂରିବାର ଅବ୍ୟବହିତ ପୂର୍ବରୁ ଓଡ଼ିଶା ୩-୦ରେ ଅଗ୍ରଣୀ ହାସଲ କରିଥିଲା । ପ୍ୟାରୀ ଖାଖା ଟିମ୍ ପକ୍ଷରୁ ଗୋଲ୍ ଦେଇଥିଲେ । ୩୭ତମ ମିନିଟ୍ରେ ଯବାମଣି ସୋରେନ୍ଙ୍କ ଗୋଲ୍ ବଳରେ ଓଡ଼ିଶା ସ୍ପୋର୍ଟ୍ସ ମଧ୍ୟାନ୍ତର ସୁଦ୍ଧା ୪-୦ ସ୍ଥିତିରେ ରହିଥିଲା ।
ପାଶ୍ୱର୍ ପରିବର୍ତ୍ତନ ପରେ ସିର୍ଭୋଡେମ୍ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରି କେତେକ ସୁଯୋଗ ସୃଷ୍ଟି କରିଥିଲା । ୫୩ତମ ମିନିଟ୍ରେ ଏର୍ନେଷ୍ଟିନା ଟିମ୍ ପକ୍ଷରୁ ଗୋଲ୍ କରି ସ୍କୋର୍ ବ୍ୟବଧାନକୁ ସାମାନ୍ୟ ହ୍ରାସ କରିଥିଲା । ଏହାପରେ ଓଡ଼ିଶା ଚାରି ମିନିଟ୍ ମଧ୍ୟରେ ତିନିଟି ଗୋଲ୍ କରି ୭-୧ରେ ଅଗ୍ରଣୀ ରହିଥିଲା । ୫୮ତମ ମିନିଟ୍ରେ ପ୍ୟାରୀ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍ କରିଥିବା ବେଳେ ୫୯ତମ ମିନିଟ୍ରେ ଯଶୋଦା ଓ ୬୧ତମ ମିନିଟ୍ରେ ଦୀପା ଗୋଲ୍ ଦେଇଥିଲେ ।
ଓଡ଼ିଶାର ଗୋଲ୍ ବର୍ଷା ଅବ୍ୟାହତ ରହିଥିଲା । ୬୩ତମ ମିନିଟ୍ରେ ଯଶୋଦା ମୁଣ୍ଡା ଟିମ୍ ପକ୍ଷରୁ ଅଷ୍ଟମ ଗୋଲ୍ ସ୍କୋର୍ କରିଥିଲେ । ୯୦+୩ ମିନିଟ୍ରେ ପ୍ୟାରୀ ଶେଷ ଗୋଲ୍ କରିଥିଲେ, ଯାହାକି ତାଙ୍କର ବ୍ୟକ୍ତିଗତ ତୃତୀୟ ଗୋଲ୍ ଥିଲା ।