ଚତୁର୍ଥ ଲହରର ପଦଧ୍ୱନି
ନୂଆଦିଲ୍ଲୀ, ୨୬ା୪: ଦେଶରେ କରୋନା ମାମଲା ପୁଣି ଥରେ ବଢ଼ିବାରେ ଲାଗିଛି । କ୍ରମାଗତ ୭ମ ଦିନରେ ୨୦୦୦ରୁ ଅଧିକ ନୂଆ ସଂକ୍ରମଣ ମାମଲା ସାମନାକୁ ଆସିଛି । ଗତ ୨୪ ଘଣ୍ଟାରେ ୨୪୮୩ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସବୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ବୁଧବାର ଦିନ ୧୨ଟା ବେଳେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ସେ କରୋନା ସ୍ଥିତି ସମୀକ୍ଷା କରିବେ ।
ପ୍ରଧାନମନ୍ତ୍ରୀ ରବିବାର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ମଧ୍ୟ ସଂକ୍ରମଣ ପ୍ରତି ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ ।
ଇତିମଧ୍ୟରେ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ସୁଧାକର କହିଛନ୍ତି ଜୁନ୍ ଶେଷ ବେଳକୁ କରୋନାର ଚତୁର୍ଥ ଲହର ପିକ୍କୁ ଯାଇପାରେ । ସେ ଆଇଆଇଟି କାନପୁର ଦ୍ୱାରା ହୋଇଥିବା ଅଧ୍ୟୟନର ଉଦାହରଣ ଦେଇ କହିଛନ୍ତି ଚତୁର୍ଥ ଲହରର ପ୍ରଭାବ ଅକ୍ଟୋବର ପର୍ଯ୍ୟନ୍ତ ରହିବ ।
ଏବେ ସବୁଠୁ ବଡ଼ ଚିନ୍ତାର କାରଣ ହୋଇଛି ଦିଲ୍ଲୀ । ଦିଲ୍ଲୀରେ ପ୍ରତିଦିନ ୧୦୦୦ରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି ।
ଏକ ଅଧ୍ୟୟନରୁ ଜଣାଯାଇଛି ଯେ, କରୋନାର ଓମିକ୍ରନ୍ ଭାରିଏଣ୍ଟ୍ ବିରୋଧରେ ଲଢ଼ିବାରେ କୋଭିଶିଲ୍ଡ ଓ କୋଭାକ୍ସିନ୍ ଟିକା ଆଶାନୁରୂପ କାମ ଦେଉ ନାହିଁ । ଓମିକ୍ରନ୍ର ବିଏ.୧ ଭାରିଏଣ୍ଟ୍ ଉପରେ କୋଭିଶିଲ୍ଡ ଟିକାର ପ୍ରଭାବ ଅତ୍ୟନ୍ତ କମ୍ ଥିବା ଉକ୍ତ ଅଧ୍ୟୟନରୁ ଜଣାପଡ଼ିଛି । ତାହା ପୂର୍ବରୁ ଆଉ ଏକ ରିପୋର୍ଟରେ କୁହାଯାଇଥିଲା ଯେ, ଓମିକ୍ରନ୍ ଭାରିଏଣ୍ଟ୍ ବିରୋଧରେ କୋଭାକ୍ସିନ୍ ମଧ୍ୟ ବିଶେଷ ପ୍ରଭାବୀ ନୁହେଁ । ଏହି ଦୁଇ ଟିକାର ଦୁଇଟି ଡୋଜ୍ ନେବା ପରେ ମଧ୍ୟ ଓମିକ୍ରନ୍ ଓ ତା’ର ସବ୍ ଭାରିଏଣ୍ଟ୍ ଲୋକଙ୍କ ଠାରେ ସଂକ୍ରମିତ ହେଉଛି । ଏଥିରେ ବର୍ତ୍ତିବା ପାଇଁ ବୁଷ୍ଟର୍ ଡୋଜ୍ ନେବା ଜରୁରୀ । କିନ୍ତୁ ବୁଷ୍ଟର୍ ଡୋଜ୍ ଦେବାରେ ବିଶେଷ ଅଗ୍ରଗତି ଘଟି ନାହିଁ ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏବେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୫,୬୩୬ ଥିବା ସ୍ଥଳେ କରୋନାର ପଜିଟିଭିଟି ହାର ୦.୫୫ ପ୍ରତିଶତ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମନସୁଖ ମଣ୍ଡାବ୍ୟା ଟୁଇଟ୍ କରି ଜଣାଇଛନ୍ତି ଯେ ୮୬ ପ୍ରତିଶତରୁ ଅଧିକ ବୟସ୍କ ଲୋକଙ୍କ ପୂର୍ଣ୍ଣ ଟିକାକରଣ ହୋଇସାରିଛି ।
ଅନ୍ୟ ଏକ ଖବର ଅନୁଯାୟୀ ପ୍ରତିକୂଳ ପ୍ରଭାବ ଭୟରେ ଟିକାର ବୁଷ୍ଟର ଡୋଜ୍ ନେବାକୁ ଲୋକେ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏପର୍ଯ୍ୟନ୍ତ ଦେଶର ବୟସ୍କ ଜନସଂଖ୍ୟା ମଧ୍ୟରୁ ମାତ୍ର ୪ଲକ୍ଷ ୬୪ହଜାର ଜଣ ପିକ୍ସନ୍ ବା ବୁଷ୍ଟର ଡୋଜ୍ ନେଇଛନ୍ତି । ଲୋକଙ୍କ ମନରେ ବୁଷ୍ଟର ଡୋଜ୍ ନେଇ ଆଶଙ୍କା ଉପୁଜିବାର ପ୍ରଧାନ କାରଣ ହେଉଛି ସେମାନଙ୍କର ପୂର୍ବରୁ କୁହାଯାଇଥିଲା ଯେ କରୋନା ଟିକାର ଦୁଇଟି ଡୋଜ୍ ନେବାକୁ ପଡିବ ।