ମିଳିଲାନି ଅନୁମତି, ପଦଯାତ୍ରା ସ୍ଥଗିତ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ପକ୍ଷରୁ ବୁଧବାର ଶରଧାବାଲି ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ହେବାକୁ ଥିବା ପଦଯାତ୍ରାକୁ ସ୍ଥଗିତ ରଖିଲା ସଂଗଠନ । ଏନେଇ ବିଧିବଦ୍ଧ ଭାବେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ସୁରକ୍ଷା ଆନେ୍ଦାଳନର ଆବାହକ ବିନୟ ନୃସିଂହ ମହାପାତ୍ର ।
ସେ କହିଛନ୍ତି ଯେ, ପଦଯାତ୍ରାକୁ ଅନୁମତି ଦେଲେ ନାହିଁ ଜିଲ୍ଲା ପ୍ରଶାସନ । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଜିଲ୍ଲାପାଳ ସମର୍ଥ ବର୍ମା ଅନୁମତି ଦେଇ ନ ଥିବା କହିଛନ୍ତି । ତେଣୁ ପ୍ରଶାସନର ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ପଦଯାତ୍ରା କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଏ ସମ୍ପର୍କରେ ସମସ୍ତ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିବା ପରେ ପରବର୍ତ୍ତୀ ପଦକ୍ଷେପ କ’ଣ ନିଆଯିବ ସେ ନେଇ ନିଷ୍ପତ୍ତି ନିଆଯିବ । ଅନ୍ୟପକ୍ଷରେ ଶ୍ରୀ ମହାପାତ୍ର ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପଦଯାତ୍ରା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ପରେ ସ୍ଥଗିତ ରହିଥିବା କହିଛନ୍ତି । ତତ୍ସହିତ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନଙ୍କୁ ମଧ୍ୟ ସେ ବୁଧବାର ନ ଆସିବାକୁ ଅନୁରୋଧ କରିଛନ୍ତି ।
ଅନ୍ୟପକ୍ଷରେ ପଦଯାତ୍ରା ବିରୋଧରେ ମାର୍କେଟ ଛକରେ ମଧ୍ୟ ଗଣଧାରଣା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଗଣ୍ଡଗୋଳ ଆଶଙ୍କାରେ କୌଣସି ସଂଗଠନକୁ ଅନୁମତି ମିଳିନାହିଁ । ତଥାପି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ବୁଧବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ନେଇ ଆନେ୍ଦାଳନ ହେଉଛି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ।
ସୂଚନାଥାଉକି, ଶ୍ରୀମନ୍ଦିର ପରକ୍ରମା ପ୍ରକଳ୍ପ ଲାଗି ମେଘନାଦ ପାଚେରିଠାରୁ ୭୫ମିଟର ପରିସର ମଧ୍ୟରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି । ହେଲେ ଏହି କାର୍ଯ୍ୟକୁ ଏନଏମ୍ଓ ଓ ଏଏସ୍ଆଇ ପକ୍ଷରୁ ଅନୁମତି ଦିଆଯାଇ ନାହିଁ । ତତ୍ସହିତ ୭୫ମିଟର ପରିସର ପରିବର୍ତ୍ତେ ୧୦୦ମିଟର ପରିଧି ବାହାରେ କରିବା ଲାଗି ପରାମର୍ଶ ଦେଇଥିଲେ । ହେଲେ ଏହି ବେଆଇନ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ଲାଗି ଶ୍ରୀମନ୍ଦିର ଞ୍ଚାଅ ଅଭିଯାନ ପକ୍ଷରୁ ବୁଧବାର ସକାଳେ ବଡ଼ଦାଣ୍ଡରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହେବ ବୋଲି ଘୋଷଣା ହୋଇଥିଲା । ମାତ୍ର ତାହାକୁ ପ୍ରଶାସନ ଅନୁମତି ନ ଦେବାରୁ ତାହା ସ୍ଥଗିତ ରହିଥିବା ଜଣାପଡ଼ିଛି ।