ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବିଭିନ୍ନ ପ୍ରକଳ୍ପ ସମୀକ୍ଷା
ପୁରୀ (ବୁ୍ୟରୋ): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ବ୍ଲକ୍ ଭଣ୍ଡାରିକୁଦାଠାରେ ଥିବା ବୃହତ୍ ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି । ଏଥିସହିତ ବ୍ଲକ୍ର ୫୯ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି । ବ୍ରହ୍ମଗିରିର ୬୯ଟି ଗ୍ରାମ ଏବଂ କୃଷ୍ଣପ୍ରସାଦ ବ୍ଲକ୍ର ୩୦ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ କୁସୁପୁରଠାରେ ଥିବା ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣଧୀନ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରି ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ମଧ୍ୟାହ୍ନରେ ପୁରୀ ସର୍କିଟ୍ ହାଉସ ସମ୍ମିଳନୀ କକ୍ଷରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଉପସ୍ଥିତରେ ବୃହତ୍ ପାନୀୟଜଳ ଯୋଗାଣ ପ୍ରକଳ୍ପ ସମ୍ବନ୍ଧରେ ସମୀକ୍ଷା କରିଛନ୍ତି ।
ବ୍ରହ୍ମଗିରି ବ୍ଲକ୍ ଭଣ୍ଡାରିକୁଦା, ରାଏବିଧାର, ଗୋଲରା, ବ୍ରାହ୍ମଣିଆ ଓ ଦାମୋଦରପୁର ୫ଗୋଟି ଜୋନ୍ର ୫୯ ଗୋଟି ଗ୍ରାମରେ ବାକି ଥିବା କିଛି ଗ୍ରାମକୁ ପାଇପ୍ ସଂଯୋଗ କରି ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ବ୍ରହ୍ମଗିରି ବ୍ଲକ୍ର ଆମ୍ବପଡ଼ା, ରେବଣା ନୂଆଗାଁ ଓ କୃଷ୍ଣପ୍ରସାଦ ବ୍ଲକ୍ର ପଣସପଦା ଗ୍ରାମରେ ପ୍ରକଳ୍ପକୁ ନେଇ ଉପୁଜିଥିବା ଜମିଜମା ସମସ୍ୟାକୁ ସ୍ଥାନୀୟ ପ୍ରତିନିଧି ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ସମାଧାନ କରିବା ପାଇଁ ତହସିଲଦାରଙ୍କୁ ନିଦେ୍ର୍ଦଶ ଦିଆଯାଇଛି ।
ବୈଠକରେ ଗ୍ରାମ୍ୟ ପାନୀୟଜଳ ଯୋଗାଣର ସର୍ବୋଚ୍ଚ ଯନ୍ତ୍ରୀ ସର୍ବେଶ୍ୱର ବାରିକ, ନିର୍ବାହୀ ଯନ୍ତ୍ରୀ ଅଭିମନୁ୍ୟ ବାରିକ, ଉପସହକାରୀ ଯନ୍ତ୍ରୀ ସତ୍ୟଜିତ ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରତିନିଧି ବିଦ୍ୟାଧର ସ୍ୱାଇଁ, ବ୍ରହ୍ମଗିରି ବ୍ଲକ୍ ଅଧ୍ୟକ୍ଷା ରତ୍ନବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, କୃଷ୍ଣ ପ୍ରସାଦ ବ୍ଲକ୍ ଅଧ୍ୟକ୍ଷା ସରୋଜିନୀ ତରେଇ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ଜମ୍ବେଶ୍ୱର ସାହୁ ଓ ସମିତି ସଭ୍ୟା କରିସ୍ମା ସେଠୀ ଉପସ୍ଥିତ ଥିଲେ ।