ପଦକ ଲକ୍ଷ୍ୟରେ ସିନ୍ଧୁ, ଲକ୍ଷ୍ୟ
ବ୍ୟାଡ୍ମିଣ୍ଟନ ଏସିଆ ଚାମ୍ପିଅନ୍ସିପ୍ସରୁ ଓହରିଲେ ପ୍ରଣୟ
ମାନିଲା, ୨୫ା୪ (ଏଜେନ୍ସି): ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବା ବ୍ୟାଡ୍ମିଣ୍ଟନ ଏସିଆ ଚାମ୍ପିଅନ୍ସିପ୍ସରେ ଭାରତୀୟ ଆହ୍ୱାନର ନେତୃତ୍ୱ ନେଉଥିବା ଦୁଇ ଥର ଅଲିମ୍ପିକ୍ ପଦକଧାରୀ ପିଭି ସିନ୍ଧୁ ଓ ବିଶ୍ୱ ଚାମ୍ପିଅନ୍ସିପ୍ସ କାଂସ୍ୟ ବିଜେତା ଲକ୍ଷ୍ୟ ସେନ୍ଙ୍କ ଉପରେ ନଜର ରହିବ । ଅନ୍ୟପଟେ ଏଚ୍ଏସ୍ ପ୍ରଣୟ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି ।
କୋଭିଡ୍-୧୯ ଯୋଗୁଁ ଦୁଇ ବର୍ଷର ବ୍ୟବଧାନ ପରେ ଏହି ମହାଦେଶୀୟ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି । ଭଲ ଫର୍ମରେ ଥିବା ସିନ୍ଧୁ ଓ ଲକ୍ଷ୍ୟଙ୍କ ଉପରେ ଭାରତର ଆଶା ନିବଦ୍ଧ ରହିଛି । ପ୍ରଣୟ ଓହରିଯିବା ଦ୍ୱାରା ଭାରତୀୟ ଆହ୍ୱାନ କିଛିଟା ପ୍ରଭାବିତ ହେବ, ଯିଏକି ୨୦୧୮ ଉହାନ ସଂସ୍କରଣରେ କାଂସ୍ୟ ପଦକ ଜିତିଥିଲେ ଏବଂ ସେ ମଧ୍ୟ ଭଲ ଫର୍ମରେ ଅଛନ୍ତି । ସ୍ୱିସ୍ ଓପନ୍ ସମୟରେ ମାମୁଲି ଆଘାତ ଯୋଗୁଁ ସେ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେ ନାହିଁ ।
ତେବେ ପ୍ରଣୟଙ୍କ ଅନୁପସ୍ଥିତିରେ ଅଲ୍ ଇଂଲଣ୍ଡ ରୌପ୍ୟ ବିଜେତା ଲକ୍ଷ୍ୟଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ । ଏହି ୨୦ବର୍ଷୀୟ ଖେଳାଳି ଇଣ୍ଡିଆ ଓପନ୍ ସୁପର୍ ୫୦୦ରେ ମୁକୁଟ ଜିତିଥିବା ବେଳେ ଜର୍ମାନ୍ ଓପନ୍ ଓ ଅଲ୍ ଇଂଲଣ୍ଡ ଚାମ୍ପିଅନ୍ସିପ୍ସରେ ଫାଇନାଲ୍ରେ ସ୍ଥାନ ପାଇଥିଲେ । ଲକ୍ଷ୍ୟ ମଧ୍ୟ ୨୦୨୦ ଏସିଆ ଟିମ୍ ଚାମ୍ପିଅନ୍ସିପ୍ସରେ କାଂସ୍ୟ ପଦକ ଜିତିଥିଲେ । ଏହାଛଡ଼ା ୨୦୧୮ ଓ ୨୦୧୬ ଏସୀୟ କନିଷ୍ଠ ଚାମ୍ପିଅନ୍ସିପ୍ସରେ ସେ ଯଥାକ୍ରମେ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ହାସଲ କରିଥିଲେ । ପଞ୍ଚମ ସିଡ୍ ଲକ୍ଷ୍ୟ ଟୁର୍ଣ୍ଣାମେଣ୍ଟରେ ପଦକ ଜିତିବା ପାଇଁ ବ୍ୟଗ୍ର ଅଛନ୍ତି । ସେ ପ୍ରଥମ ରାଉଣ୍ଡରେ ଚୀନ୍ର ୨୨ବର୍ଷୀୟ ଲି ଶି ଫେଙ୍ଗ୍ଙ୍କୁ ଭେଟିବେ, ଯିଏକି ବିଶ୍ୱ କନିଷ୍ଠ ଚାମ୍ପିଅନ୍ସିପ୍ସରେ ଦୁଇ ଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
ପୂର୍ବତନ ବିଶ୍ୱ ବିଜୟିନୀ ଚତୁର୍ଥ ସିଡ୍ ସିନ୍ଧୁଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ, ଯିଏକି ୨୦୧୪ ଗିମ୍ଚିଓନ୍ ସଂସ୍କରଣରେ କାଂସ୍ୟ ଜିତିଥିଲେ । ଦୁଇଟି ସୁପର୍ ୩୦୦ ମୁକୁଟ – ସୟଦ ମୋଦି ଇଣ୍ଟରନାସ୍ନାଲ୍ ଓ ସ୍ୱିସ୍ ଓପନ୍ ହାସଲ କରିବା ପରେ ସେ ଏହି ପ୍ରତିଯୋଗିତାକୁ ଆସିଛନ୍ତି । ବିଶ୍ୱର ସାତ ନମ୍ବର ଖେଳାଳି ଆଉ ଏକ ପଦକ ଲକ୍ଷ୍ୟରେ କୋର୍ଟକୁ ଓହ୍ଲାଇବେ, ଯେଉଁଠି ସେ ଚାଇନୀଜ୍ ତାଇପେର ପାଇ ୟୁ ପୋ’ଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ । ସିନ୍ଧୁ କ୍ୱାର୍ଟର୍-ଫାଇନାଲ୍ରେ ପଞ୍ଚମ ସିଡ୍ ଚୀନ୍ର ହି’ ବିଙ୍ଗ ଜିଆଓଙ୍କୁ ଭେଟି ପାରନ୍ତି ।
ପୁରୁଷ ଏକକରେ ସପ୍ତମ ସିଡ୍ ମାଲେସିଆର ଏନ୍ଜି ଜେ ୟଙ୍ଗ୍ଙ୍କୁ ଭେଟିବେ । ସେ ୨୦୧୬ ଓ ୨୦୨୦ ଏସିଆ ଟିମ୍ ଚାମ୍ପିଅନ୍ସିପ୍ସରେ କାଂସ୍ୟ ଜିତିଥିଲେହେଁ ବ୍ୟକ୍ତିଗତ ପଦକ ଜିତିବାରେ ସଫଳ ହୋଇ ନାହାନ୍ତି । ଏଥର ସେ ସୁଯୋଗର ଫାଇଦା ଉଠାଇବାକୁ ଲକ୍ଷ୍ୟ ରଖିଛନ୍ତି । ଟୋକିଓ ଅଲିମ୍ପିଆନ୍ ବି. ସାଇ ପ୍ରଣୀତ ମଧ୍ୟ ଭଲ ପ୍ରଦର୍ଶନ ପାଇଁ ଆଶା ରଖିଛନ୍ତି । ସେ ଚତୁର୍ଥ ସିଡ୍ ଜୋନାତନ କ୍ରିଷ୍ଟିଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ ।
ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ସାଇନା ନେହୱାଲ୍ ବ୍ୟାଡ୍ମିଣ୍ଟନ ଏସିଆ ଚାମ୍ପିଅନ୍ସିପ୍ସରେ ଚତୁର୍ଥ ପଦକ ଜିତିବା ଉପରେ ଲକ୍ଷ୍ୟ ରଖିଛନ୍ତି । ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ପ୍ରଥମ ମ୍ୟାଚ୍ରେ କୋରିଆର ସିମ୍ ୟୁଜିନ୍ଙ୍କୁ ଭେଟିବେ । ଅନ୍ୟମାନଙ୍କ ମଧ୍ୟରେ ଆକର୍ଷୀ କଶ୍ୟପ ଟପ୍ ସିଡ୍ ଅକାନେ ୟାମାଗୁଚିଙ୍କୁ ଏବଂ ମାଳବିକା ବନସୁଦ ସିଙ୍ଗାପୁରର ୟିଓ ଜିଆ ମିନ୍ଙ୍କ ଆହ୍ୱାନର ସମ୍ମୁଖୀନ ହେବେ ।