୪୪.୫ ଡିଗ୍ରୀରେ ସିଝିଲା ବୌଦ୍ଧ
ଭୁବନେଶ୍ୱର,୨୬ା୪(ବୁ୍ୟରୋ): ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଉପକୂଳରେ ତାତି ସାମାନ୍ୟ କମିଛି ହେଲେ ଆଭ୍ୟନ୍ତରୀଣ ଜିଲ୍ଲାରେ ବଢ଼ିବାରେ ଲାଗିଛି । ଏପ୍ରିଲ୍ ମାସରେ ମେ’ର ତାତି ଅନୁଭୂତ ହେଉଛି । ଆସନ୍ତା ୨୯ ଯାଏ ରାଜ୍ୟର ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ୱାଭାବିକ ଠାରୁ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ମଙ୍ଗଳବାର ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏଠାରେ ଦିନର ସର୍ବାଧିକ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ଼ ହୋଇଛି । ମଙ୍ଗଳବାର ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ସେଥିରୁ ୪୨ ଡିଗ୍ରୀ ଉପରେ ୧୪ଟି ସହର ଥିବା ବେଳେ ୪୩ ଡିଗ୍ରୀ ଉପରେ ୯ଟି ସହର ଅଛି । ଭୁବନେଶ୍ୱରର ତାପମାତ୍ରା ୩୯.୬ ଡିଗ୍ରୀକୁ ଖସି ଆସିଥିବା ବେଳେ କଟକ ସହରର ତାପମାତ୍ରା ୩୮.୮ ଡିଗ୍ରୀ ରହିଛି ।
ସେହିଭଳି ଝାରସୁଗୁଡ଼ାରେ ତାପମାତ୍ରା ୪୩.୯ ଡିଗ୍ରୀ ଥିବା ବେଳେ ବଲାଙ୍ଗିରରେ ତାପମାତ୍ରା ୪୩.୮ ଡିଗ୍ରୀ ରହିଛି । ବାରିପଦାରେ ୪୩.୮ ଡିଗ୍ରୀ, ସୋନପୁରରେ ୪୩.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ, ଅନୁଗୁଳରେ ୪୩.୧ ଡିଗ୍ରୀ, ସମ୍ବଲପୁରରେ ୪୩.୧ ଡିଗ୍ରୀ, ସୁନ୍ଦରଗଡ଼ରେ ୪୩ ଡିଗ୍ରୀ ଓ ଦେବଗଡ଼ରେ ୪୨.୮ ଡିଗ୍ରୀ ତାପମାତ୍ରା ରହିଛି ।
ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି, ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେଉଛି । ଆସନ୍ତା ୪ ଦିନ ଅର୍ଥାତ ୨୭, ୨୮, ୨୯, ୩୦ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ରହିବ ।
ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ବ୍ୟକ୍ତିଙ୍କ ପାଇଁ ନିଆଯାଉଥିବା ସତର୍କତାମୂଳକ ପଦକ୍ଷେପକୁ ଲୋକେ ମାନିବା ସହ ଏହି ଗ୍ରୀଷ୍ମ ପ୍ରଭାବରୁ ନିଜକୁ ସୁରକ୍ଷିତ ରଖିବା ଉଚିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଆସନ୍ତା ୩୦ ତାରିଖ ପରେ ପୁଣି କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗର ପାରିପାଶ୍ୱିର୍କ ସ୍ଥିତି କହୁଛି ଯେ, ଉପକୂଳ ସମେତ ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ଫଳରେ ତାତି ହ୍ରାସ ପାଇବା ସହିତ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବ ।
ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ବଢ଼ିଚାଲିଛି । ଏନେଇ ସ୍କୁଲ ଛୁଟି ଘୋଷଣା ହେବା ପରେ ଏପ୍ରିଲ ୨୭ରୁ ମେ’ ୨ତାରିଖ ପର୍ଯ୍ୟନ୍ତ ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଛୁଟି କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏନେଇ ମଙ୍ଗଳବାର ରାଜ୍ୟର ସମସ୍ତ କୁଳପତି ଏବଂ ଅଧ୍ୟକ୍ଷଙ୍କୁ ବିଭାଗ ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ଉଭୟ ୟୁଜି ଏବଂ ପିଜି ପାଠପଢ଼ା ବନ୍ଦ କରିବାକୁ ନିଦେ୍ର୍ଦଶ ଦିଆଯାଇଥିବା ବେଳେ ଏହି ସମୟରେ ପରୀକ୍ଷା, ମୂଲ୍ୟାୟନ, ଗବେଷଣା, ପ୍ରଶାସନିକ ଆଦି କାର୍ଯ୍ୟ ପୂର୍ବପରି ଜାରି ରହିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାବ୍ୟତୀତ ସବୁ ଟିଚିଂ ଏବଂ ନନ୍ ଟିଚିଂ କର୍ମଚାରୀ ଉପସ୍ଥିତ ରହିବେ । ପାଠପଢ଼ା ବନ୍ଦ ହୋଇଥିଲେ ହେଁ କର୍ମଚାରୀଙ୍କୁ ସେମାନଙ୍କର କର୍ତ୍ତୃପକ୍ଷ ଅନ୍ୟ କାର୍ଯ୍ୟରେ ନିୟୋଜିତ କରିପାରିବେ ବୋଲି ନିଦେ୍ର୍ଦଶ ଦିଆଯାଇଛି । ମାତ୍ର ଏହି ସମୟ ମଧ୍ୟରେ ଉଭୟ ଦଶମ ଓ ଯୁକ୍ତ୨ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଅନୁଷ୍ଠିତ ହେବ । ଅପରପକ୍ଷେ ରାଜ୍ୟରେ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଅଙ୍ଗନବାଡି ଛୁଟି କରାଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଆଜି ଠାରୁ ୫ ଦିନ ପର୍ଯ୍ୟନ୍ତ ଅଙ୍ଗନବାଡ଼ି ବନ୍ଦ ରହିବ । ଏନେଇ ମହିଳା ଓ ଶିଶୁ ବିଭାଗ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।