ଜାତୀୟ ଜନଜାତି ଆୟୋଗର ଜନଶୁଣାଣି

କେନ୍ଦୁଝର (ଆପ୍ର): ସଦର ବ୍ଲକ ମହାଦେଈଯୋଡ଼ା ପଞ୍ଚାୟତ ମଦରଙ୍ଗାଯୋଡି ଗ୍ରାମରେ ଜାତୀୟ ଆୟୋଗ ପକ୍ଷରୁ କ୍ୟାମ୍ପ କୋର୍ଟରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେବା ସହ ବହୁ ଅସୁବିଧାରେ ରହୁଥିବା ନେଇ ଜାତୀୟ ଜନଜାତି କମିଶନ, ନୂଆଦିଲ୍ଲୀର ଦ୍ୱାରସ୍ଥ ହୋଇଥିଲେ । ଜାତୀୟ ଜନଜାତି ଆୟୋଗ ର ସଦସ୍ୟ ଅନନ୍ତ ନାୟକ ଆଜି ମଦରଙ୍ଗାଯୋଡି ଗ୍ରାମକୁ ଯାଇ ଜନଜାତିଙ୍କ ବିଭିନ୍ନ ସମସ୍ୟା ଉପରେ ଜନଶୁଣାଣୀ କରିଥିଲେ । ଏହି ଗ୍ରାମର ୧୬ ଜଣ ଆଦିବାସୀଙ୍କ ସମେତ ମିଶ୍ର ମୁଣ୍ଡା ନାମକ ଜଣେ ବାଳକ ଜାତୀୟ ଜନଜାତି କମିଶନ ନିକଟରେ ଅଭିଯୋଗ ଜଣାଇଥିଲେ ।
ମିଶ୍ର ମୁଣ୍ଡାଙ୍କ ପିତା ପାଇରୋଫିଲାଇଟ (ଚୂନପଥର) ଖଣିରେ ଶ୍ରମିକ ଭାବେ କାମ କରୁଥିଲେ । ତାଙ୍କ ଦେହାନ୍ତ ପରେ କ୍ଷତିପୂରଣ ମିଳିନଥିବା ଜାତୀୟ ଜନଜାତି ଆୟୋଗ ନିକଟରେ ଅଭିଯୋଗ କରିଥିଲେ । ମଦରଙ୍ଗାଯୋଡି ଚୁନପଥର ଖଣିରେ ଶ୍ରମିକ ଭାବେ କାର୍ଯ୍ୟ କରି ବହୁ ପୁରୁଷ ଟିବିରେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କରିଛନ୍ତି । ବିଧବାଙ୍କ ଗ୍ରାମ ମଦରଙ୍ଗାଯୋଡିରେ ଅନେକ ଲୋକ ଏବେ ମଧ୍ୟ କ୍ଷତିପୂରଣ ପାଇନଥିବା ଆୟୋଗ ନିକଟରେ କହିଥିଲେ । ସ୍ଥାନୀୟ ଜନଜାତି ସୁରକ୍ଷା ଏବଂ ନ୍ୟାୟ ପ୍ରଦାନ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେଉନଥିବା ସେମାନେ ଅଭିଯୋଗ କରିଥିଲେ । ଗାଁର ବହୁ ଲୋକ ରେସନ କାର୍ଡ, ବିଧବା ଭତ୍ତା ଏବଂ ବାର୍ଦ୍ଧକ୍ୟ ଭତ୍ତା ପାଉନଥିବା କହିଥିଲେ ।
ଗାଁ ଲୋକଙ୍କର ଅଭିଯୋଗ ଅନୁସାରେ, ଏହି ମଦରଙ୍ଗାଯୋଡି ଗାଁ ନିକଟରେ ଅନେକ ବର୍ଷ ପୂର୍ବରୁ ଏକ ପାଇରୋଫିଲାଇଟ ଖଣି ଓ ଧୃର୍ପଦାରେ ଚୂନ ପଥର ପାଉଡର କାରଖାନା ଥିଲା । ଏହି ଗାଁ ର ପୁରୁଷ ଓ ମହିଳାମାନେ ସେହି ଖଣି ଓ କାରଖାନାରେ କାମ କରୁଥିଲେ । ଚୁନ ପଥର ଗୁଣ୍ଡ ଯୋଗୁଁ ଧିରେ ଧିରେ ସେମାନଙ୍କର ଶରୀର ଅସୁସ୍ଥ ହେବାକୁ ଲାଗିଲା । ଡାକ୍ତର ତାଙ୍କ ଫୁସଫୁସ ରେ ପାଉଡର ଜମିଥିବା କଥା କହିଲେ ଓ ସେଥି ପାଇଁ ସେମାନଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲା । ଶେଷରେ ଅନେକ ଚିକିତ୍ସା ଅଭାବରୁ ମୃତୁ୍ୟ ବରଣ କଲେ ଓ ଅନେକେ ଏବେ ବି ବହୁ ଲୋକ ଟିବି ରୋଗରେ ପଡି ମୃତୁ୍ୟ ଯନ୍ତ୍ରଣାରେ ରେ ଛଟପଟ ହେଉଛନ୍ତି । କମିଶନ ସଦସ୍ୟ ଅନନ୍ତ ନାଏକ ଏହାକୁ ଗୁରୁତର ସହ ନେଇଥିବା ବେଳେ ସମସ୍ତ ଅଭିଯୋଗ ଲିଖିତ ଭାବରେ ଦେବାକୁ କହିଥିଲେ । ଏହି କ୍ୟାମ୍ପ କୋର୍ଟରେ ସଦର ବିଡିଓ, ତହସିଲଦାର ଅନୁପସ୍ଥିତ ଥିବାବେଳେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅକ୍ଷୟ କୁମାର ପିଙ୍ଗୁଆ, ଏବିଡିଓ ଶରତ କୁମାର ବାରିକ, ପଦ୍ମପୁର ସିଏଚ୍ସିର ଡାକ୍ତର ସୁଦର୍ଶନ ମହାନ୍ତ, ମହାଦେଈଯୋଡା ସରପଞ୍ଚ ରମେଶ ମୁଣ୍ଡା, ରାଇସୁଆଁ ରାଜସ୍ୱ ନୀରିକ୍ଷକ ଯୁଗଳ କିଶୋର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *