ଡାକ୍ତର ପଦବୀ ପୂରଣ ନ ହେଲେ ପୁଣି ବାଜିବ ଘଣ୍ଟ

ବ୍ରହ୍ମପୁର (ବୁ୍ୟରୋ): ଏମ୍କେସିଜି ମେଡିକାଲ୍ରେ ଖାଲି ପଡିଥିବା ସମସ୍ତ ଡାକ୍ତର ପଦବୀ ତୁରନ୍ତ ପୂରଣ ଓ ରୋଗୀ ଦେଖା ସମୟରେ ଅନୁପସ୍ଥିତ ରହୁଥିବା ଡାକ୍ତରଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଜିଲ୍ଲାର ବିଭିନ୍ନ ଗଣସଙ୍ଗଠନଙ୍କ ମିଳିତ ଉଦ୍ୟମକ୍ରମେ ଏମ୍କେସିଜି ମେଡିକାଲ୍ ମୁଖ୍ୟ ଗେଟ୍ ଆଗରେ ବିକ୍ଷୋଭ କରାଇଯାଇଛି । ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବିଭିନ୍ନ ଗଣସଙ୍ଗଠନ ନେତୃବୃନ୍ଦ ବିକ୍ଷୋଭରେ ସାମିଲ ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ଦୀର୍ଘ ବର୍ଷରୁ ଏମ୍କେସିଜି ମେଡିକାଲ୍ରେ ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ରହିଛି । ଦୈନିକ ହଜାର ହଜାର ରୋଗୀ ଚିକିତ୍ସା ସେବା ପାଇଁ ଆସୁଥିଲେ ବି ରାଜ୍ୟ ସରକାରଙ୍କ ଯୋଜନାଗୁଡିକ ଅଧିକାଂଶ ସମୟରେ ଏଠାରେ କାର୍ଯ୍ୟ କରୁନାହିଁ । ଦୀର୍ଘ ବର୍ଷରୁ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ସଜାଡିବା ଦାବି ନେଇ ବ୍ରହ୍ମପୁର ସହରରେ ନିୟମିତ ଭାବେ ଜନଆନେ୍ଦାଳନ ହେଉଛି । ଅନେକ ସମସ୍ୟାର ସମାଧାନ ହୋଇଥିଲେ ବି ସ୍ଥାୟୀ ପ୍ରତିକାର କରାଯାଇନାହିଁ । ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ ହୋଇଥିଲେ ବି ରୋଗୀ ସେବାରେ ଚରମ ଅବହେଳା ଦେଖାଦେଉଛି । ବହୁ ଅଭିଜ୍ଞତା ସମ୍ପନ୍ନ ବରିଷ୍ଠ ଡାକ୍ତରଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରାଯାଉଛି । ଏମ୍କେସିଜି ମେଡିକାଲ୍ରେ ବର୍ତ୍ତମାନ ୬୦ପ୍ରତିଶରୁ ଊଦ୍ଧ୍ୱର୍ ଡାକ୍ତର ପଦବୀ ଖାଲି ପଡିଥିଲେ ବି ନୂତନ ଡାକ୍ତର ନିଯୁକ୍ତି ଦିଆଯାଉନାହିଁ । ସେବା ନପାଇ ଅନେକ ରୋଗୀ ଅକାଳ ମୃତୁ୍ୟର ଶିକାର ହୋଇଛନ୍ତି । କେବଳ ମେଡିକାଲ୍ ଛାତ୍ରଛାତ୍ରୀଙ୍କ ଉପରେ ରୋଗୀଙ୍କ ଜୀବନ କେତେଦୂର ସୁରକ୍ଷିତ? ସୁପର ସ୍ପେସିଆଲିଟି ବ୍ଳକ୍ରେ ସୁପର ସ୍ପେସିଆଲିଷ୍ଟ ଡାକ୍ତର ଯେ ଆବଶ୍ୟକ, ଏହା ସରକାର ଜାଣି ମଧ୍ୟ ଡାକ୍ତର ନିଯୁକ୍ତି ଦେଉନାହାଁନ୍ତି । ଅନ୍ୟପକ୍ଷରେ ଏଠାରେ ନିୟୋଜିତ କିଛି ବରିଷ୍ଠ ଡାକ୍ତର ରୋଗୀ ଦେଖା ସମୟରେ ହସ୍ପିଟାଲକୁ ନ ଆସିବା ଆଉ ଏକ ଚିନ୍ତାର ବିଷୟ । ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ନିଜ ନିଜ ଘରୋଇ କ୍ଲିନିକ୍ରେ ବ୍ୟସ୍ତ ରହି ବ୍ୟବସାୟ ଚଳାଇଥିବା କିଛି ଅସାଧୁ ଡାକ୍ତର ମାସ ପୂରିଲା ବେଳକୁ ଦରମା ନେଉଛନ୍ତି । ଏ ପ୍ରକାର ଦୁର୍ନୀତିକୁ ବନ୍ଦ କରିବା ସହ ଖାଲି ପଡିଥିବା ସମସ୍ତ ଡାକ୍ତର ପଦବୀ ଅବିଳମ୍ବେ ପୂରଣ କରିବାକୁ ଦାବି ହେଉଛି ।
ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କଲେ ଜନଆନେ୍ଦାଳନ ହେବ ବୋଲି ଆବାହକ ଆଇନ୍ଜୀବୀ ଅବନୀ ଗୟା ମତବ୍ୟକ୍ତ କରିଛନ୍ତି । ଡାକ୍ତର ନିଯୁକ୍ତି ଦିଆନହେଲେ ପୁଣିଥରେ ଘଣ୍ଟଯାତ୍ରା ଆନେ୍ଦାଳନ ଆରମ୍ଭ ହେବ ବୋଲି ଚେତାବନୀ ଦିଆଯାଇଛି । ବରିଷ୍ଠ ସାମ୍ବାଦିକ ରବି ରଥ, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ଶଙ୍କର ସାହୁ, ସେବା ନିବୃତ ଶିକ୍ଷକ କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ଶ୍ୟାମସୁନ୍ଦର ଖାଡଙ୍ଗା, ପୂଜ୍ୟ ପୂଜା ସମିତିର ସଭାପତି ବଂଶୀଧର ଭୂୟାଁ, ଜନ ଜାଗରଣ ମଞ୍ଚର ସମ୍ପାଦକ ଗଗନ ଚନ୍ଦ୍ର ମଲ୍ଲିକ, ସାମାଜିକ କର୍ମୀ ମନୋଜ କୁମାର ତରାଇ, ଡ.ଡମ୍ବରୁଧର ସାହୁ, ସୁବାଷ ଚନ୍ଦ୍ର ମିଶ୍ର, ଚତୁର୍ଭୂଜ ପାତ୍ର, ଏସ୍.ସାମ୍ବାଶିବା ରାଓ ପ୍ରମୁଖ ଡାକ୍ତର ନିଯୁକ୍ତି ପାଇଁ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *