ରୋହିତ, ରାହୁଲ, ବିରାଟ ସମେତ ସାତ ଖେଳାଳି ଖେଳିବେନି
ଆଇପିଏଲ୍ ପରେ ଦ.ଆଫି୍ରକା ଶୃଙ୍ଖଳାରେ ମିଳିବ ବିଶ୍ରାମ
ମୁମ୍ବାଇ, ୨୬ା୪ (ଏଜେନ୍ସି): ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ର ପଞ୍ଚଦଶ ସଂସ୍କରଣ ପରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ଟି-୨୦ ଶୃଙ୍ଖଳା ଖେଳିବ । ଏହାପରେ ଭାରତୀୟ ଟିମ୍ ଗୋଟିଏ ଟେଷ୍ଟ, ତିନିଟି ଦିନିକିଆ ଓ ତିନିଟି ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଖେଳିବା ପାଇଁ ଆୟରଲାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଯିବ । ତିନି ସପ୍ତାହର ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ପୂର୍ବରୁ କେତେକ ବଡ଼ ଖେଳାଳିଙ୍କୁ ବିଶ୍ରାମ ଦିଆଯିବ ବୋଲି ଜଣାପଡ଼ିଛି ।
ସୂତ୍ରାନୁଯାୟୀ, ଅଧିନାୟକ ରୋହିତ ଶର୍ମା, ଉପ-ଅଧିନାୟକ ଲୋକେଶ ରାହୁଲ, ବିରାଟ କୋହଲି, ରିଷଭ ପନ୍ତ, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମୀ ଓ ରବୀନ୍ଦ୍ର ଜାଡ଼େଜା ବିଶ୍ରାମ ନେବାକୁ ଥିବା ଖେଳାଳିମାନଙ୍କ ତାଲିକାରେ ସାମିଲ୍ ଅଛନ୍ତି । କୁହାଯାଉଛି ଯେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଘରୋଇ ଟି-୨୦ ଶୃଙ୍ଖଳାର ସମସ୍ତ ମ୍ୟାଚ୍ରେ ଏହି ଖେଳାଳିମାନେ ଖେଳିବେ ନାହିଁ । ଏହି ଶୃଙ୍ଖଳାରେ ବାୟୋ-ବବଲ୍ ରହିବ ନାହିଁ ।
ୱାର୍କଲୋଡ୍ ମ୍ୟାନେଜ୍ମେଣ୍ଟ ପ୍ରୋଗ୍ରାମ୍ ପ୍ରସ୍ତୁତ କରୁଛି ବିସିସିଆଇ
ଭାରତୀୟ ଟିମ୍ ଆଇପିଏଲ୍ ୨୦୨୨ ପରେ ଜୁନ୍ ୯ରୁ ୧୯ ମଧ୍ୟରେ ପାଞ୍ଚଟି ସହରରେ ପାଞ୍ଚଟି ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ର ଶୃଙ୍ଖଳା ଖେଳିବ । ଏହାପରେ ଟିମ୍ ଆୟରଲାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଯିବ । ଏପରି ସ୍ଥଳେ କାର୍ଯ୍ୟଚାପକୁ ଦୃଷ୍ଟିରେ ରଖି ଭାରତୀୟ ଟିମ୍ର ପ୍ରମୁଖ ଖେଳାଳିମାନଙ୍କୁ ବିଶ୍ରାମ ଦିଆଯିବ ।
ଅନ୍ୟପଟେ, କେତେକ ଖେଳାଳିଙ୍କ ଫର୍ମ ଟିମ୍ ପାଇଁ ଲଗାତାର ଚିନ୍ତାର ବିଷୟ ହୋଇଛି । ଟି-୨୦ ବିଶ୍ୱକପ୍ ସମୟରେ ଆଉଟ୍ ଅଫ୍ ଫର୍ମ ଖେଳାଳିଙ୍କ ସହ ପଡ଼ିଆକୁ ଓହ୍ଲାଇବା ଟିମ୍କୁ ଭାରୀ ପଡ଼ିପାରେ ।
ସୂତ୍ରାନୁଯାୟୀ, ବିସିସିଆଇ ପ୍ରଭାବଶାଳୀ ୱାର୍କଲୋଡ୍ ମ୍ୟାନେଜ୍ମେଣ୍ଟ ପ୍ରୋଗ୍ରାମ ପ୍ରସ୍ତୁତ କରୁଛି, ଯାହା ଫଳରେ ଆଇପିଏଲ୍ରେ ଦୀର୍ଘ ଦିନ ଧରି ବାୟୋ-ବବଲ୍ରେ ରହିବା ପରେ ଖେଳାଳି ସତେଜ ହୋଇ ଟିମ୍ ଇଣ୍ଡିଆର ଅଂଶବିଶେଷ ହୋଇ ପାରିବେ ।
ଦ୍ରାବିଡ଼ଙ୍କର ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା
କୁହାଯାଉଛି ଯେ ଖେଳାଳିମାନଙ୍କୁ କେତେ ଦିନ ଯାଏଁ ବିଶ୍ରାମ ଦିଆଯିବ, ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ସହ କଥାବାର୍ତ୍ତା ପରେହିଁ ତାହାର ନିଷ୍ପତ୍ତି ନିଆଯିବ । ପ୍ରକୃତରେ ଟିମ୍ ଦୀର୍ଘ ଦିନ ହେଲା ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ଉପରେ ଫୋକସ୍ କରୁଛି ଏବଂ ଏଥି ପାଇଁ ଖେଳାଳିମାନେ ମାନସିକ ଓ ଶାରୀରିକ ଭାବେ ଫିଟ୍ ରହିବା ଅନିର୍ବାର୍ଯ୍ୟ । ବାୟୋ-ବବଲ୍ର କ୍ଲାନ୍ତିକୁ ଦୃଷ୍ଟିରେ ରଖି ବିଶ୍ରାମର ନିଷ୍ପତ୍ତି ନିଆଯାଇଛି । ଟିମ୍ ଇଣ୍ଡିଆ ଦୀର୍ଘ ଦିନ ହେଲା ଆଇସିସି ଟ୍ରଫି ଜିତି ପାରି ନାହିଁ ଏବଂ ଦ୍ରାବିଡ଼ ଏଥି ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ।
ହାର୍ଦ୍ଦିକଙ୍କ ଉପରେ ନିଷ୍ପତ୍ତି ନିଆଯିବା ବାକି ଅଛି
ଏହା ଦେଖିବା କୌତୂହଳପୂର୍ଣ୍ଣ ହେବ ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତ ଉପରେ କି ନିଷ୍ପତ୍ତି ନିଆଯିବ । ଆଇପିଏଲ୍-୧୫ ଜରିଆରେ ହାର୍ଦ୍ଦିକ ପେସାଦାର କ୍ରିକେଟ୍୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ଆଇପିଏଲ୍ରେ ଲଗାତାର ଭଲ ପ୍ରଦର୍ଶନ କରୁଛନ୍ତି । ସେ ଏ ଯାବତ୍ ୬ ମ୍ୟାଚ୍ରୁ ୭୪ ଆଭରେଜ୍ରେ ୨୯୫ ରନ୍ ସଂଗ୍ରହ କରିଛନ୍ତି ।
ଏହା ସହିତ ୧୪୫ କିଲୋମିଟର ପ୍ରତି ଘଣ୍ଟା ବେଗରେ ବୋଲିଂ ବି କରୁଛନ୍ତି । ଏହା ଉପରେ ଶୀଘ୍ର ନିଷ୍ପତ୍ତି ନିଆଯାଇପାରେ ଯେ ହାର୍ଦ୍ଦିକ ଘରୋଇ ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ପାଇଁ ମନୋନୀତ ହେବେ ନା ସିଧା ଆୟରଲାଣ୍ଡରେ ଟି-୨୦ ଶୃଙ୍ଖଳା ସମୟରେ ପଡ଼ିଆକୁ ଓହ୍ଲାଇବେ । ସେ ଟି-୨୦ ବିଶ୍ୱକପ୍ ୨୦୨୧ ପରଠାରୁ ଟିମ୍ ଇଣ୍ଡିଆରୁ ଦୂରରେ ଅଛନ୍ତି ।