ସରିଲା ପର୍ଯ୍ୟବେକ୍ଷକଙ୍କ ସହ ନବୀନଙ୍କ ଆଲୋଚନା

ଭୁବନେଶ୍ୱର,୨୫ା୪(ବୁ୍ୟରୋ): ପର୍ଯ୍ୟାୟକ୍ରମେ ବିଜେଡିର ୩୩ ସାଂଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କ ସହ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଲୋଚନା ଶେଷ ହୋଇଛି । ସଦ୍ୟ ସମାପ୍ତ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ସଫଳତା ଓ ବିଫଳତା ସମ୍ପର୍କରେ ମାରାଥନ୍ ଆଲୋଚନା ହୋଇଛି । ଏଥିସହ ପର୍ଯ୍ୟବେକ୍ଷକମାନଙ୍କୁ ନିଜ ଅଞ୍ଚଳର ଅପ୍ଡେଟ୍ ୧ଠ ଦିନ ମଧ୍ୟରେ ବିସ୍ତୃତ ଭାବେ ଜଣାଇବାକୁ ଶ୍ରୀ ପଟ୍ଟନାୟକ ନିଦେ୍ର୍ଦଶ ଦେଇଥିବା ଜଣାପଡ଼ିଛି । ପର୍ଯ୍ୟବେକ୍ଷକଙ୍କ ଠାରୁ ରିପୋର୍ଟ ମିଳିବା ପରେ ୨ଠ୨୪ ନିର୍ବାଚନ ପାଇଁ ନୂଆ ଖସଡ଼ା ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି । ଏପରିକି ସାଂଗଠନିକ ସ୍ତରରେ ମଧ୍ୟ ଅଦଳବଦଳ ହେବାର ସମ୍ଭାବନା ରହିଛି ।
ସୂଚନାନୁସାରେ, ବିଜେଡି ସଭାପତି ସବୁ ଜିଲାର ପର୍ଯ୍ୟବେକ୍ଷକମାନଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରିଛନ୍ତି । ଗତ ଶନିବାର ନବୀନ ନିବାସ ଯାଇ ୨୦ ଜିଲ୍ଲାର ୧୬ ଜଣ ପର୍ଯ୍ୟବେକ୍ଷକ ଆଲୋଚନା କରିଥିଲେ । ରବିବାର ଏହି ଆଲୋଚନା ବନ୍ଦ ଥିବାବେଳେ ସୋମବାର ବାକି ଜିଲ୍ଲାଗୁଡିକର ପର୍ଯ୍ୟବେକ୍ଷକମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।
ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଦଳ କେଉଁଠି ଭଲ ଓ ଖରାପ କରିଛି ତାର ଟିକିନିକି ରିପୋର୍ଟ ସଂଗ୍ରହ କରାଯାଉଥିବା ଜଣାପଡିଛି । ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ସେ ଖୋର୍ଦ୍ଧା ଜିଲା ପର୍ଯ୍ୟବେକ୍ଷକ ଅଛନ୍ତି । ତେଣୁ ଜିଲ୍ଲାର ପଞ୍ଚାୟତ ଓ ପୌର ଭୋଟ୍ କେମିତି ହୋଇଛି ସେ ବିଷୟରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ଯେଉଁଠି ଖରାପ ଫଳ ହୋଇଛି ତାହା ସଜାଡିବାକୁ କୁହାଗଲା । ଏହାସହ ଯେଉଁଠି ଭଲ ପ୍ରଦର୍ଶନ ହୋଇଛି ସେଠାରେ କିପରି ଯାହା ଭୋଟ୍ ହୋଇଛି ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ସେମିତି ରହିବ ତାହା ଉପରେ ଗୁରୁତ୍ୱ ଦେବା ଲାଗି କୁହାଯାଇଥିବା ପ୍ରମିଳା କହିଛନ୍ତି । ୨୦୨୪ ନିର୍ବାଚନ ଲାଗି ଏବେଠାରୁ ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଆଲୋଚନା ଆରମ୍ଭ ହେଉଥିବାବେଳେ ଖୁବ୍ଶୀଘ୍ର ଦଳର ସାଙ୍ଗଠନିକ ରୂପରେଖ ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଦ୍ୱିତୀୟ ପର୍ଯ୍ୟାୟରେ ନବୀନ ନିବାସ ଯାଇଥିବା ପର୍ଯ୍ୟବେକ୍ଷକମାନେ ମଧ୍ୟ ଖୁବ୍ଶୀଘ୍ର ସେମାନଙ୍କ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବେ ବୋଲି କୁହାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *