ନିମପୁର ନୂତନ ବସ୍ତିରେ ଶିଶୁ ଶିକ୍ଷାସେବା ବିପର୍ଯ୍ୟସ୍ତ

କଟକ-ଜଗତପୁର (ବୁ୍ୟରୋ): ଆଜିର ଶିଶୁ କାଲିର ଭବିଷ୍ୟତ । ଶିଶୁମାନେ ଶିକ୍ଷିତ ହେଲେ ଦେଶ ଗଠନର ସହାୟକ ହୋଇଥାନ୍ତି । ଏଥିପାଇଁ ରାଜ୍ୟ ସରକାର ଶିଶୁଙ୍କ ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ମାତ୍ର ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ନୀତି ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ବ୍ୟବସ୍ଥା ସଠିକ୍ ଢଙ୍ଗରେ ପରିଚାଳନା ହୋଇପାରୁନାହିଁ । ଫଳସ୍ୱରୁପ ବହୁ କୋମଳମତି ଶିଶୁମାନଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି । ଏଭଳି ସ୍ଥିତି ଜଗତପୁରସ୍ଥିତ ନିମପୁର ବିରୂପା ନଦୀ ପଠାରେ ପ୍ରାୟ ୨ ବର୍ଷ ଧରି ଥଇଥାନ ହୋଇଥିବା ନୂତନ ବସ୍ତି ପରିସରରେ ଦେଖିବାକୁ ମିଳିଛି । ଏହି ବସ୍ତିରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ହୋଇପାରିଲା ନାହିଁ । ଯାହାଫଳରେ ବସ୍ତିର କୋମଳମତି ଶିଶୁମାନେ ଗୋଷ୍ଠୀ କେନ୍ଦ୍ରରେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି । ଏହି ଗୋଷ୍ଠୀକେନ୍ଦ୍ରର ଚାରିପଟ ଖୋଲାମେଲା ରହିଥିବାରୁ ଶିଶୁମାନେ ଖାଇବା ସମୟରେ ଧୂଳି ଓ ଅଳିଆ ମିଶ୍ରଣ ନେଇ ରୋଗ ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି । ଏଥିପାଇଁ ଅନେକ ପିତାମାତା ସେମାନଙ୍କ ପିଲାଙ୍କୁ ଗୋଷ୍ଠୀକେନ୍ଦ୍ରକୁ ଛାଡିବା ପାଇଁ ଇଚ୍ଛାପ୍ରକାଶ କରୁନାହାଁନ୍ତି । ଏହି ବସ୍ତିରେ ଗୋଷ୍ଠୀକେନ୍ଦ୍ର ନିର୍ମାଣ ହେବା ପୂର୍ବରୁ ଅନେକ ଶିଶୁ ନଦୀ ଶଯ୍ୟାରେ ବସିି ପାଠ ପଢୁଥିବା ସେମାନଙ୍କ ଅଭିଭାବକଙ୍କ ଠାରୁ ସୂଚନା ମିଳିଛି ।
ବସ୍ତିରେ ସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ କରାଯିବା ଦାବିରେ ଏକାଧିକବାର ବସ୍ତିଲୋକଙ୍କ ପକ୍ଷରୁ ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, ସିଏମସି କମିଶନର ଓ ବସ୍ତି ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ଅଙ୍ଗନୱାଡି କେନ୍ଦ୍ରଗୁଡିକ ପରିଚାଳିତ ହେଉଥିବା ବେଳେ ସ୍ଥାନୀୟ ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଓ ରାଜସ୍ୱ ନିରୀକ୍ଷକଙ୍କ ପକ୍ଷରୁ ବସ୍ତିର ୫ଗୋଟି ସ୍ଥାନରେ ଜମି ଚିହ୍ନଟ କରାଯାଇଥିଲା । ମାତ୍ର ୮ମାସ ପରେ ବି ଆଜିଯାଏଁ ବସ୍ତିରେ ଗୋଟିଏ ହେଲେ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ ଯାହା ବସ୍ତି ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଯେ, ବିଭାଗୀୟ ଅଧିକାରୀ ଏହି ବସ୍ତିର ଶିଶୁମାନଙ୍କୁ ଶିକ୍ଷାସେବା ଯୋଗାଇବା ଦିଗରେ ଆନ୍ତରିକତା ଦେଖାଉନାହାଁନ୍ତି । ଏଥିପାଇଁ ନିମପୁର ନୂତନ ବସ୍ତିରେ ରହୁଥିବା ପାଖାପାଖି ୨ ଶହରୁ ଉଦ୍ଧ୍ୱର୍ ଶିଶୁ ଶିକ୍ଷାଦାନରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ତୁରନ୍ତ ଶିଶୁମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବସ୍ତିରେ ସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରିବାକୁ ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଜୟ ମା’ ମଙ୍ଗଳା ବସ୍ତି ସଭାପତି ବିଷ୍ଣୁ ନାଏକଙ୍କ ସମେତ ଶତାଧିକ ବସ୍ତି ଲୋକେ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *